ଭୋଗରାଇ -୧୦/୦୨ ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ.ପାଣ୍ଡିଆନ୍ ସୋମବାର ଦିନ ଅଚାନକ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳ ଗସ୍ତ କରିଛନ୍ତି । ଶ୍ରୀ ପାଣ୍ଡିଆନ୍ ହେଲିକେପ୍ଟର ଯୋଗେ ତାଳସାରୀ ନିକଟସ୍ଥ ବିନ୍ଧା ପଦ୍ମପୁର ହେଲିପେଡ୍ରେ ପୂର୍ବାହ୍ନ ୧୦.୩୦ ମିନିଟ୍ ସମୟରେ ଅବତରଣ କରିଥିଲେ । ତାଙ୍କ ସହିତ ଓ୍ୱାର୍କ ସଚିବ ସଚୀନ ଯାଦବ, ପର୍ଯ୍ୟଟନ ଶିଳ୍ପର ନିର୍ଦ୍ଦେଶକ କିଶନ କୁମାର ପ୍ରମୁଖ ଆସିଥିଲେ ପରେ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କାର ଯୋଗେ ତାଳସାରିରେ ପହଞ୍ଚି ତାରସାରୀ-ଉଦୟପୁର ସମୁଦ୍ରଉପକୂଳ ବୁଲି ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ବିକାଶ ଓ କାର୍ଯ୍ୟକାରିତା ସମ୍ପର୍କରେ ଅନୁସନ୍ଧାନ କରିଥିଲେ । ଓଡ଼ିଶା ପଶ୍ଚିମବଂଗ ସୀମାନ୍ତ ଉଦୟପୁର ବେଳାଭୂମିରେ ଏହି ଉଚ୍ଚ ପଦସ୍ଥ ଅଧିକାରୀମାନେ ଅଳ୍ପ ସମୟ ମଧ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏକ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଓ ତାର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିବା ବେଳେ ଓଡ଼ିଶାର ଉଦୟପୁର ସୀମା ସମସ୍ୟା ସମ୍ପର୍କରେ ସଚିବ ମାନେ ଅବଗତ ହୋଇଥିବା ବିଭାଗୀୟଙ୍କ ଠାରୁ ସୂଚନା ମିଳିଥିଲା । ଅପର ପକ୍ଷରେ ଓଡ଼ିଶାକୁ ଛୁଇଁଥିବା ପଶ୍ଚିମ ବଂଗ ଦୀଘା ବେଳାଭୂମି ପର୍ଯ୍ୟଟନ ଶିଳ୍ପର ବିକାଶ ଶୀର୍ଷ ପାହାଚରେ ପାଦ ଥାପିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଳସାରି ବେଳାଭୂମି ମହୋତ୍ସବକୁ ୨୦୧୧ ମସିହାରେ ଉଦ୍ଘାଟନ କରିଥିଲେ । ସେବେ ଠାରୁ ଅଦ୍ୟାବଧି ଉଦ୍ଘାଟନ କରି ତାଳସାରିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଘୋଷଣା କରିଥିବା ବେଳେ ତାଳସାରୀ -ଉଦୟପୁର ୨.୨ କି.ମି. ସାମୁଦ୍ରିକ ପଥର ବନ୍ଦ ବା ମେରାଇନ୍ ଡ୍ରାଇଭ ପାଇଁ ୫କୋଟି ୧୦ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ୧୦ବର୍ଷ ହେଲା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ଏହାଛଡ଼ା ତାଳସାରି ସୁବର୍ଣ୍ଣ ବେଳାଭୂମିକୁ ଫୁଟ ଓଭରବି୍ରଜ୍ ନିମନ୍ତେ ଦେଢକୋଟି ଟଙ୍କାର ମାଷ୍ଟରପ୍ଲାନ୍ କରାଯାଇଥିବା ବେଳେ ଅଦ୍ୟାବଧି ଟେଣ୍ଡର ହୋଇପାରି ନାହିଁ । ୫-ଟିର ସଚିବ ତାଳସାରୀରୁ ଫେରିଥିବା ବେଳେ ଚନ୍ଦନେଶ୍ୱର ମନ୍ଦିର ବୁଲିବା ସହ ଏହି ଶୈବପୀଠର କିଭଳି ଭାବେ ବିକାଶ ହୋଇପାରିବ ସେବାବଦରେ ଆଲୋଚନା କରିଥିଲେ ।