Odisha news

ଭଞ୍ଜନଗର : କରୋନା ସତର୍କତା ଲକ୍ ଡାଉନ୍ ନିୟମ ଭାଙ୍ଗି ୧୯ ଗିରଫ

0

ଭଞ୍ଜନଗର, – ସାରାଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣାପରେ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଙ୍ଗଳବାର ରାତିରେ ଲକ୍ ଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ଭଞ୍ଜନଗର ପୋଲିସ ଉପଜିଲ୍ଲାରେ ମୋଟ ୧୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ବୁଧବାର ରିପୋର୍ଟ ଲେଖାଯିବା ସୁଦ୍ଧା କେବଳ ବାଲିପଦର ଫାଣ୍ଡି ପୋଲିସ ଏସଂକ୍ରାନ୍ତରେ ଜଣକୁ ଗିରଫ କରିଛି ।

କରୋନା ଭୁତାଣୁ ସଂକ୍ରମଣ ପାଇଁ ଯେଉଁ ଶୃଙ୍ଖଳ ରହିଛି ତାକୁ ଭାଙ୍ଗିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭରପୁର ପ୍ରୟାସ ଆରମ୍ଭ କରିଥିବାବେଳେ ଏଥିପାଇଁ ବିଶୃଙ୍ଖଳିତ ଲୋକଙ୍କୁ ଘଉଡାଇବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଉଛି । ଅବୁଝା ଲୋକଙ୍କୁ ବୁଝାଇବାକୁ ପୋଲିସ ମଧ୍ୟ ସାମାନ୍ୟ ଉଗ୍ର ହେବାକୁ ପଡୁଛି । ସେହିପରି ଭଞ୍ଜନଗର ସହରରେ ସଉଦାପତ୍ର ଓ ପନିପରିବା ସଂଗ୍ରହ ପାଇଁ ସ୍ଥାନୀୟ ଏନଏସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏନଏସିର ନୋଡାଲ ଅଫିସର ଦିଲ୍ଳୀପ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଏସି କର୍ମଚାରୀମାନେ ବୁଧବାର ଭିଡ ଜମୁଥିବା ବିଭିନ୍ନ ଦୋକାନବଜାର ଓ ପନିପରିବା ଦୋକାନ ଆଗରେ ଏକ ମିଟର ବ୍ୟବଧାନରେ ଫୁଟିକିଆ ଗୋଲେଇ କାଟି ଅତି ବେଶୀରେ ଗୋଟିଏ ଦୋକାନରେ ୩ଜଣରୁ ୫ଜଣ ଲୋକ ଯେମିତି ସୁବିଧାରେ ସଉଦା କିଣି ପାରିବେ ସେଥିନେଇ ବ୍ୟବସ୍ଥା ଗ୍ରହଣ କରିଥିଲେ । ସେହିପରି ୩ କିଲୋ ପଲିଥିନ ଜବତ କରାଯାଇ ୨ହଜାର ଟଙ୍କା ମଧ୍ୟ ଜରିମାନା ଆଦାୟ କରାଯାଇଥିଲା ।

ଏହା ଠିକ୍ ଭାବେ ପାଳନ ହେଉଛିକି ନାହିଁ ତାର ମଧ୍ୟ ମଧ୍ୟାହ୍ନ ୧୨ଯାଏଁ ତଦାରଖ କରିଥିଲେ । ବ୍ଲକ ନୋଡାଲ ଅଫିସର ପ୍ରହଲ୍ଲାଦ ପ୍ରଧାନଙ୍କ ନେତୃତ୍ୱରେ ମଧ୍ୟ ଏକ ଟିମ୍ ଭଞ୍ଜନଗର ବ୍ଲକର ବିଭିନ୍ନ ଅଭ୍ୟନ୍ତରୀଣ ଇଲାକା ବୁଲି ଲୋକଙ୍କୁ ସଚେତନ କରିବା କାର୍ଯ୍ୟ ଜାରୀ ରଖିଛନ୍ତି । ବୁଧବାର ଏହି ଟିମ୍ ବ୍ଲକର ଲାଲସିଂ ଓ ବଡକୋଦଣ୍ଡା ପଞ୍ଚାୟତ ଇଲାକାର ବିଭିନ୍ନ ଗ୍ରାମରେ ଜନସଚେତନ କାର୍ଯ୍ୟକୁ ବ୍ୟାପକ କରିଥିଲେ । ସେହିପରି ବିଡିଓ ଅନୀଲ କୁମାର ସେଠୀ, ଏବିଡିଓ ଭଜରାମ ବିଶ୍ୱାଳ ପ୍ରମୁଖ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ଏଡାଇବାକୁ କାର୍ଯ୍ୟର ତଦାରଖ କରୁଛନ୍ତି ।

Leave A Reply