ଭଞ୍ଜନଗର,୨୯/୧୦(ଏହି ଥାନା ଅନ୍ତର୍ଗତ ଜି.ରମ୍ଭା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଅତର୍କିତ ଚଢାଉ କରାଯାଇ ଗାଆଁ ପାଖ ଏକ ଜଙ୍ଗଲିଆ ସ୍ଥାନରୁ ୨୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବାସହ ପାଖାପାଖି ୩୬୮୦ଲିଟର ପୋଚ ନଷ୍ଟ କରାଯାଇଛି । ଏଥିରେ ସଂପୃକ୍ତ ଅଭିଯୋଗରେ ଜଣକୁ ଗିରଫ କରିଛି ଅବକାରୀ ପୁଲିସ । ମିଳିଥିବା ସୁଚନା ପ୍ରକାରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ସବଇନିସପେକ୍ଟର ପାର୍ଥସାରଥୀ ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ଜି.ରମ୍ଭା ଗ୍ରାମରେ ଚଢାଉ କରିଥିଲା । ଗାଆଁ ପାଖ ଜଙ୍ଗିଲିଆ ନିଛାଟିଆ ସ୍ଥାନରେ ସେହି ଗ୍ରାମର ବିଶ୍ୱମ୍ବର କହଁର ନାମକ ଜଣେ ଯୁବକ ଖୋଲମ ଖୋଲା ଭାଟି ଜାଳି ୪/୫ଟି ସ୍ଥାନରେ ଦେଶୀ ମଦ ପ୍ରସ୍ତୁତ କରୁଥିବାବେଳେ ଅବକାରୀ କର୍ମଚାରୀମାନେ ଅତର୍କିତ ସେଠାରେ ଚଢାଉ କରିଥିଲେ ।
ଆଉ ଚୁଲିରେ ବସିଥିବା ଅବସ୍ଥାରେ ୨୩୦ ଲିଟର ମଦ ଜବତ କରିଥିଲେ । ଏଥିସହ ମଦ ତିଆରି ବହୁ ସରଞ୍ଜାମ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ଅବକାରୀ କର୍ମଚାରୀ ସନାତନ ନାହକ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ମନୋରଂଜନ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏସଂପର୍କରେ ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜି.ରମ୍ଭା ଗ୍ରାମର ବିଶ୍ୱମ୍ବର କହଁରକୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିବା ଅବକାରୀ ଓଆଇସି ପାର୍ଥସାରଥୀ ରାଉତଙ୍କ ସୁତ୍ରରୁ ଜଣାପଡିଛି ।
