ଭଞ୍ଜନଗର,୧୪/୮(ଆପ୍ର):ବିଷପିଇ ମହିଳାଙ୍କ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ଗାଙ୍ଗପୁର ଥାନା ଇଲାକାର ମୁନିଗାଡି ଗ୍ରାମରେ ଘଟିଛି । ଗ୍ରାମର ଜୁରିଆ ବେହେରାଙ୍କ ପତ୍ନୀ ଆରତୀ ବେହେରା(୩୫) ଗୁରୁବାର ରାତିରେ ବିଷଖାଇ ଦେବା କାରଣରୁ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଗୋବରା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆରତୀଙ୍କର ମୃତ୍ୟୁ ଘଟିଥିଲା ।
ଖବର ପାଇ ଗାଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ । ଥାନା ଅଧିକାରୀ ଧୀରେଶ ଦାଶଙ୍କ ସୁଚନା ପ୍ରକାରେ ଆରତୀ ଗତ ୧୦ବର୍ଷ ହେଲା ବିବାହ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ଜନ୍ମ ନହେବାକୁ ନେଇ ଭାଙ୍ଗି ପଡିଥିଲେ । ଆଉ ଗତକାଲି ରାତିରେ ବିଷପାନ କରି ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଥିଲେ । ଏଭଳି ଘଟଣା ପରେ ମୁନିଗାଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
