ଭଞ୍ଜନଗର : ୨ବର୍ଷର ଛୁଆକୁ ଧରି ନ୍ୟାାୟ ପାଇଁ ଘୁରି ବୁଲୁଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା । ସ୍ୱାମୀ ବୋଲି ଯାହାର ହାତ ଧରିଥିଲେ ସିିଏ ଏବେ ତାଙ୍କୁ ପରକରି ଅନ୍ୟ କାହା ପ୍ରେମରେ ପଡି ତାଙ୍କୁ ଛାଡି କେଉଁଆଡେ ଫେରାର ହୋଇଯାଇଛନ୍ତି । ବିବାହ ପରଠାରୁ ବାପ ମାଆ ଆରପାରିକି ଚାଲିଯାଇଛନ୍ତି । ଏବେ ସେ ନିସ୍ୱ । ଅସହାୟ । କିମିତି ଚାଲିବ ତାଙ୍କର ସଂସାର ରଥ । ଏଣୁ ଶେଷରେ ମହିଳା ଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ଆଉ ପୁଲିସ ସବୁ ଶୁଣିବା ପରେବି ଏଯାଏଁ କିଛି କରିନଥିବାରୁ ସେ ଏସଡିପିଓଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି । ବାସ୍ତବରେ ତାଙ୍କ ଉପରେ ସତେଯେମିତି ଦୁଃଖର ସବୁ ପାହାଡ ଏକାଥରକେ ଲଦି ହୋଇପଡିଛି ।
ନୟାଗଡର ରୀନା ପ୍ରଧାନ ନାମକ ଜଣେ ଯୁବତୀ ନିଜର ପିଉସୀପୁଅ ଭାଇକୁ ୨୦୧୨ରେ କୁଆଡେ ପ୍ରେମ ବିବାହ କରିଥିଲେ । ଯୁବକଙ୍କ ଘର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତାମନାଡ ଗ୍ରାମରେ ବୋଲି ରୀନା ଉଲ୍ଲେଖ କରିବାସହ ବିବାହ ସମୟରେ ତାଙ୍କ ପରିବାର ପକ୍ଷରୁ ଅଢେଇଲକ୍ଷ ଟଙ୍କାର ଯୌତୁକ ସାମଗ୍ରୀ ଦିଆଯାଇଥିବା କହିଛନ୍ତି । ତେବେ ଅଧିକ ଯୌତୁକ ଆଶାରେ ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ବହୁବାର ଅକଥନୀୟ ଅତ୍ୟାଚାର କରିଛନ୍ତି । ଏବେ ତାଙ୍କର ଏକ ୨ବର୍ଷର ଶିଶୁପୁତ୍ର ରହିଛି ।
ତେବେ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ସେ କୁଆଡେ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରି ତାସହ କେଉଁଆଡେ ଫେରାର ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ତାଙ୍କ ପାଇଁ ଏବେ ବଞ୍ଚିବା ମୁସ୍କିଲ ହୋଇପଡିଛିବୋଲି ରୀନା ଉଲ୍ଲେଖ କରିଛନ୍ତି । ନ୍ୟାୟ ପାଇଁ ସେ ଗତ ୨୫/୫/୨୦୨୦ ତାରିଖରେ ସେ ଜଗନ୍ନାଥପ୍ରସାଦ ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏଯାଏଁ କିଛିବି ପଦକ୍ଷେପ ନିଆନଯିବା କାରଣରୁ ସେ ବାଧ୍ୟହୋଇ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ଭେଟି ନିଜର ଗୁହାରୀ ଜଣାଇଥିବା ଉଲ୍ଲେଖ କରିଛନ୍ତି ।