ଭଞ୍ଜନଗର – ଖୋଲିଲା ପୁରା ଭଞ୍ଜନଗର ସହର । କେବଳ ସୁନା ଦୋକାନ ଓ ଲଜିଂକୁ ଛାଡିଦେଲେ ବାକି ଅନ୍ୟ ସବୁ ଦୋକାନ ବଜାର ଏବେ ଖୋଲିବା ଆରମ୍ଭ କରିଛି । ଅନ୍ୟପକ୍ଷରେ ବାରମ୍ବାର ସଚେତନତା ସତ୍ୱେ ଅଧିକାଂଶ ଅମାନିଆଙ୍କ ମୁହଁରେ ଏଯାଏ ନା ରହୁଛି ସାମାଜିକ ଦୂରତା ନା ରହୁଛି ମାସ୍କ । ଫଳରେ ଯଦି ଏଭଳି ଆଗକୁ ବି ଜାରୀ ରହେ ତେବେ ସହର ସମେତ ଏହାରର ଆଖପାଖ ଇଲାକାରେ ପୁଣିଥରେ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିବା ସ୍ୱଭାବିକ । ଏଣୁ ବେଳହୁଁ ସାବଧାନ ରହିବା ନିହାତି ଜରୁରୀ ।
ସୁଚନାଯୋଗ୍ୟଯେ ଦୀର୍ଘ ୫ମାସ କରୋନା ସଂକ୍ରମଣ ଆଶଙ୍କାରେ ସାରା ଭଞ୍ଜନଗର ସହର ଲକ୍ ଡାଉନ୍, ସଟ୍ ଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଆଦିରେ ରହିବା ସହ ଲୋକଙ୍କ ଜୀବନ ଜୀବିକା ଏକପ୍ର୍ରକାର ଠପ୍ ହୋଇଯାଇଥିଲା । ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକି୍ରୟା ଏବେ ଅଗଷ୍ଟମାସ ଶେଷ ଆଡକୁ ଧୀରେ ଧୀରେ ସମାପ୍ତ ହେବାକୁ ଯାଉଥିବାବେଳେ ସାଧାରଣ ଲୋକମାନେ ଏହାଦ୍ୱାରା ସୁଫଳ ପାଇବେବୋଲି ଆଶା କରାଯିବା ସ୍ୱଭାବିକ । ତେବେ କିଛି ଅମାନିଆଙ୍କ ଯୋଗୁଁ ଆଗକୁ ଏହା କେତେ ଦିନ ତିଷ୍ଟି ରହିବ ତାହାବି କହିବା ମୁସ୍କିଲ । ଏବେ ଦୋକାନ ବଜାର ସ୍ୱଭାବିକ ଢଙ୍ଗରେ ଖୋଲିଥିବାବେଳେ ଅଧିକାଂଶ ଅମାନିଆ ଜାଣିଶୁଣି ମୁହଁରେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳିଛି । ଭୋରରୁ ପନିପରିବା ମଣ୍ଡିରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ବସଷ୍ଟାଣ୍ଡ ପରିସରରେ ଏବେ ଖୋଲୁଥିବା ପରିବା ମଣ୍ଡି ପାଇଁ ପର୍ଯ୍ୟାପ୍ତ ପରିମାଣର ସ୍ଥାନ ରହିଥିବାବେଳେ ପନିପରିବା ମଣ୍ଡିରେ ପନିପରିବା ବିକ୍ରି କରୁଥିବା ବ୍ୟବସାୟୀମାନେ କିନ୍ତୁ ସାମାଜିକ ଦୂରତାକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଅଧିକାଂଶ ପରିବା ବିକାଳୀଙ୍କ ମୁହଁରେ ରହୁନି ମାସ୍କ । ପରିବା ମଣ୍ଡିରେ ଯେଉଁଭଳି ସକାଳୁ ସକାଳୁ ୨ ଘଣ୍ଟାର ଗହଳି ଲାଗିରହୁଛି ତାକୁ ଦେଖିଲେ ଲାଗୁଛି କରୋନା ସଂକ୍ରମଣ ଆଶଙ୍କାକୁ ଏମାନେ ସଂପୂର୍ଣ୍ଣ ବେଖାତିର କରୁଛନ୍ତି । ଏଭଳି ଲାଗିରହିଲେ ଏହା ପ୍ରକାରନ୍ତରେ ସ୍ଥାନୀୟ ଲୋକଙ୍କ ପାଇଁ ବିପଦକୁ ଡାକି ଆଣିବ ।
ଏବେ ଏବେ ନଗଦ ଦୋକାନ ବଜାର ଖୋଲିଛି । ଏଣୁ ଏହାକୁ ଚଳାଇ ରଖିବାକୁ ହେଲେ ସମସ୍ତଙ୍କୁ ଅନୁଶାସନ ସହ ବନ୍ଧା ହୋଇ ସମସ୍ତ ନୀତି ନିୟମକୁ ମାନି ନେବାକୁ ହେବ । ସାଧାରଣ ଲୋକଙ୍କ ସ୍ୱାଥଁ ତଥା ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବଜାର ସଂପୂର୍ଣ୍ଣ ଖୋଲା ରହିବା ନିହାତି ଜରୁରୀ । ଏଣୁ ବଜାର ଖୋଲା ରହିବାକୁ ହେଲେ ଯେଉଁ ଅମାନିଆମାନେ ମୁହଁରେ ମାସ୍କ ପିନ୍ଧୁ ନାହାନ୍ତି ଯେଉଁ ଅମାନିଆମାନେ ସାମାଜିକ ଦୂରତାକୁ ଫୁ କରି ଉଡାଇ ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ସଭିଏଁ କଠୋର ହେବାକୁ ହେବ । କେବଳ ପ୍ରଶାସନକୁ ଏଥିପାଇଁ ଦାୟୀ ନକରି ସଭିଏଁ ନିଜର ଦାୟିତ୍ୱକୁ ସୁଚାରୁରୂପେ ସଂପାଦନ କରିବାକୁ ହେବ । ତେବେ ଯାଇ ଭଞ୍ଜନଗରରେ ଅଗଷ୍ଟରେ ଖସିଥିବା କରୋନା ଗ୍ରାଫକୁ ଆମେ ଆହୁରି ତଳକୁ ନେଇ ଏହାକୁ ପୁରା ସମାପ୍ତ କରିପାରିବାବୋଲି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଶାପ୍ରକାଶ କରିଛନ୍ତି ।
