Odisha news

ରଞ୍ଜନ ନାହାକ ହତ୍ୟା ମାମଲା : ୮ଜଣଙ୍କୁ ଗିରଫ କଲା ଗାଙ୍ଗପୁର ପୁଲିସ , ବିିଭିନ୍ନ ମାରଣାସ୍ତ୍ର ଜବତ

0

ଭଞ୍ଜନଗର – ଧରାକୋଟ ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଦୁଲା ଗ୍ରାମରେ ଗତ ୧୯ ତାରିଖ ରାତିରେ ସଂଗଠିତ ଏକ ହତ୍ୟା ମାମଲାରେ ଗାଙ୍ଗପୁର ପୁଲିସ ୮ଜଣକୁ ଗିରଫ କରି କୋର୍ଟଚାଲଣ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କାତି, ଭୁଜାଲି, ଖଣ୍ଡା, ଲୁହା ରଡ, ଷ୍ଟିଲ୍ ଛଡ ସହ ଠେଙ୍ଗା ଆଦି ଜବତ କରିଛି ପୁଲିସ । ଗାଙ୍ଗପୁର ଥାନା ଆଇଆଇସି ଧୀରେଶ ଦାଶଙ୍କ ସୂଚନା ପ୍ରକାରେ ଗତ ବୁଧବାର ରାତି ପାଖାପାଖି ସାଢେ ୭ଟାରେ ଧରାକୋଟ ବ୍ଲକ ସାହାସପୁର ଗ୍ରାମର ରଂଜନ କୁମାର ନାହାକ(୨୬) ନାମକ ଜଣେ ସ୍ଥଳସେନାର ଜବାନ ନନ୍ଦିଘୋର ଗ୍ରାମର ବିନୋଦ ଗୌଡ ଓ ତାର ଅନ୍ୟ ୪ଜଣ ସାଂଗ ସୁନୀଲ ବାଡତ୍ୟା, ପ୍ରତାପ ବାଡତ୍ୟା, ଚନ୍ଦନ ସେଠୀ ଓ ସୀମା ସାହୁଙ୍କ ସହ ମିଶି ବିନୋଦଙ୍କ ମାମୁଁଘର ବାଦୁଲା ଗ୍ରାମର ପାଣ୍ଡବ ଗୌଡଙ୍କ ଘରକୁ ଆସୁଥିଲେ ।

ଏମାନେ ଗୋଟିଏ ବୁଲେଟ୍ ଓ ଗୋଟିଏ ହୁଣ୍ଡା ସାଇନ୍ ଗାଡିରେ ୬ଜଣ ହୋଇ ବାଦୁଲା ଗ୍ରାମକୁ ଆସିଥିବାବେଳେ ଗାଆଁ ମୁହଁରେ ଖଟି କରୁଥିବା ସେହି ଗ୍ରାମର କିଛି ଯୁବକ ଏମାନଙ୍କୁ ଅଟକାଇ ଥିଲେ । କାହିଁକି ଏମାନେ ବାରମ୍ବାର ବାଦୁଲା ଗ୍ରାମକୁ ଆସୁଛନ୍ତି ବୋଲି ଯୁବକମାନେ ପ୍ରଶ୍ନ କରିଥିଲେ । ତେବେ ବିନୋଦ ଗୌଡ ତାର ମାମୁଁ ଘରକୁ ସାଂଗମାନଙ୍କ ସହ ଆସିଥିବା ଉଲ୍ଲେଖ କରିଥିଲେ । ଜବାନ ରଂଜନ ନାହାକ ଆମେ ଆସିଲେ ଏଥିରେ ତୁମର କଣ ହେଲାବୋଲି ପ୍ରଶ୍ନ କରିବାରୁ ଯୁବକମାନେ ଏହି ସାମାନ୍ୟ କଥାରେ ରାଗିଯାଇ କରୋନା କାଳରେ ବାରମ୍ବାର ଗ୍ରାମକୁ ଯିବା ଆସିିବା କଲେ ଗ୍ରାମ ଭିତରକୁ ଛଡାଯିବନାହିଁ ବୋଲି ଉଲ୍ଲେଖ କରିଥିଲେ ।

ଏହାକୁ ନେଇ ଏମାନଙ୍କ ମଧ୍ୟରେ ପାଟିତୁଣ୍ଡରୁ ବଚସା ଓ ଧସ୍ତାଧସ୍ତି ଯାଏଁ ହୋଇଥିଲା । ପରେ ରାଗିଯାଇ ବାଦୁଲା ଗ୍ରାମର ଅଧିର ଗୌଡ(୨୭), ରତ୍ନାକର ସ୍ୱାଇଁ(୨୦), ପ୍ରଦପ କୁମାର ବିଶୋୟୀ ଓରଫ ନନ୍ଦ(୨୮), ରବି ଓରଫ ରବୀନ୍ଦ୍ର୍ର ଗୌଡ(୨୬), ଅଜିତ ଗୌଡ(୨୬), ମନୋଜ ପ୍ରଧାନ(୨୩), ଶମ୍ଭୁ ସ୍ୱାଇଁ ଓରଫ ଚାଇନା(୧୯) ଓ ହର ଓରଫ ହର୍ଷ ଗୌଡ(୧୯) ନିଜ ନିଜ ଘରୁ ଖଣ୍ଡା,କାତି, ଫାର୍ଶା, ଲାଠି, ଲୁହା ରଡ, ଷ୍ଟିଲ୍ ରଡ ଆଦି ଆଣି ଏହି ଯୁବକମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଆଉ ଅତର୍କିତ ଆକ୍ରମଣ ଦେଖି ସୁନୀଲ ବାଡତ୍ୟା, ପ୍ରଦାପ ବାଡତ୍ୟା, ଚନ୍ଦନ ସେଠୀ ଓ ସୀମା ସାହୁ ଘଟଣାସ୍ଥଳରୁ ଅଳ୍ପକେ ଖସି ଯାଇଥିବାବେଳେ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଉଭୟ ରଞ୍ଜନ କୁମାର ନାହାକ ଓ ବିନୋଦ ଗୌଡ ଗୁରୁତର ଆହାତ ହୋଇଥିଲେ ।

ଘଟଣାସ୍ଥଳରେ ଉଭୟେ ପଡି ଛଟପଟ ହେଉଥିବାବେଳେ ଖବରପାଇ ବିନୋଦର ମାମୁଁ ପାଣ୍ଡବ ଗୌଡ ଅନ୍ୟମାନେ ସେଠାକୁ ଆସି ଦୁହିଁଙ୍କୁ ଉଦ୍ଧାର କରି ତୁରନ୍ତ ଆସିକା ଡାକ୍ତରଖାନାକୁ ପଠାଇଥିଲେ । ଆଉ ଆସିକା ଡାକ୍ତରଖାନାରେ ରଂଜନ କୁମାର ନାହାକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏସଂପର୍କରେ ଖବର ପାଇ ଗାଙ୍ଗପୁର ପୁଲିସ ଆସିକା ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବାସହ ବାଦୁଲା ଗ୍ରାମରେ ପହଞ୍ଚି ରାତି ଅଧିଆ ଚଢଉ କରିି ୧୦ରୁ ଅଧିକ ଜଣକୁ ଉଠାଇ ଆଣିଥିଲା । ଏମାନଙ୍କୁ ୫ ଦିନ ଧରି ବିଭିନ୍ନ ପ୍ରକାର ଜେରା କରାଯିବାପରେ ଶେଷରେ ୮ଜଣ ଅଭିଯୁକ୍ତ ଧରାପଡି ନିଜର ଦୋଷ ସ୍ୱୀକାର କରିଥିଲେବୋଲି ଥାନା ଅଧିକାରୀ ଧୀରେଶ ଦାଶ ସୁଚନା ଦେଇଛନ୍ତି ।

ଏସଂପର୍କରେ ଗାଙ୍ଗପୁର ଥାନା କେଶ ନମ୍ବର – ୨୩୯/୨୦ର ଦଫା- ୧୪୭/୧୪୮/୨୯୪/୩୨୩/୩୪୧/୫୦୬/୩୦୭/୪୨୭/୩୦୨/୧୪୯ ଆଇପିସି ପ୍ରକାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅଧୀର ଗୌଡ, ପ୍ରଦୀପ ବିଶୋୟୀ, ରବି ଗୌଡ,ଅଜିତ୍ ଗୌଡ, ମନୋଜ ପ୍ରଧାନ, ଶମ୍ଭୁ ସ୍ୱାଇଁ ଓ ହର ଗୌଡଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛିବୋଲି ଥାନା ଅଧିକାରୀ ଧୀରେଶ ଦାଶ ସୁଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଜାମିନ ନାମଞ୍ଜୁର କାରଣରୁ ଆସାମୀମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସାମାନ୍ୟ କଥାରେ ଗ୍ରାମକୁ ପ୍ରବେଶ ଉପରେ ଅଯଥା କଟକଣା ଓ ଏଡାକୁ ନେଇ ପାଟିତୁଣ୍ଡ ଓ ପରେ ହାତାହାତିରୁ ଗୋଟିଏ ନୀରିହ ଜବାନଙ୍କ ଜୀବନ ପ୍ରଦୀପ ଲିଭିଗଲା । ଏବେ ଅଭିଯୁକ୍ତମାନେ ସେମାନଙ୍କ ଭୁଲ ବୁଝିପାରିଛନ୍ତି ସତ ହେଲେ ଭୁଲ ବୁଝିବା ବେଳକୁ ନେଡିଗୁଡ କହୁଣୀକୁ ବୋହିଯାଇସାରିଛି । ଜେଲର ଅନ୍ଧାରୀ ସେଲ ଭିତରେ ଏବେ କେବଳ ଅନୁତାପର ଅଶ୍ରୁ ନିଗାଡିି ନିଜ କୃତ କର୍ମ ପାଇଁ ନିଜ କର୍ମକୁ ନିନ୍ଦୁଛନ୍ତି ଏହି ୮ ଅଭିଯୁକ୍ତ ।

Leave A Reply