ଭଞ୍ଜନଗର,୧୨/୮- ତାରାସିଂ ଥାନା ଅନ୍ତର୍ଗତ କୁରାଢିଆ ଜଙ୍ଗଲରୁ ଜଣେ ଯୁବକର ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି । ଯୁବକଟି ୧୦ ତାରିଖରୁ ଘରୁ ନିଖୋଜ ରହିଥିଲେ । ୧୨ ତାରିଖରେ ଯୁବକର ଝୁଲନ୍ତା ଶବ ଉଦ୍ଧାର ହେବାପରେ ସଂପୃକ୍ତ ଯୁବକର ବାପା ପୁଅକୁ ତାଙ୍କର ମାରିଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ତାରାସିଂ ପୁଲିସ ଝୁଲନ୍ତା ଶବ ଉଦ୍ଧାର କରିବାପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୁଚନା ଦେଇଛନ୍ତି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବବୋଲି ସେ ସୁଚନା ଦେଇଛନ୍ତି ।
ମିଳିଥିବା ସୁଚନା ପ୍ରକାରେ ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଅଧୀନରେ ରହିଥିବା ଦୋମୁହାଁଣୀ ପଞ୍ଚାୟତର ଆମ୍ବୁଆ ସାହିର ରମେଶ ଜାନୀଙ୍କ ପୁଅ ବିଶିକେଶନ ଜାନୀ(୨୦) ସେହି ଗ୍ରାମର ଜଣେ ଝିଅକୁ ଏକପାଖିଆ ପ୍ରେମ କରୁଥିଲା । ଏହାକୁ ନେଇ ଝିଅର ପରିବାର ପକ୍ଷରୁ ବାରଣ କରାଯାଇଥିଲେ ମଧ୍ୟ ବିଶିକେଶନ ଏଥିରୁ ନିବୃତ୍ତ ନହୋଇ ଝିଅଟିକୁ ରାସ୍ତାଘାଟରେ କମେଣ୍ଟ ମାରିବା ଆରମ୍ଭ କରିଦେଇଥିଲା । ଏଥିରେ ଝିଅଟି ଅତିଶୟ ଅତିଷ୍ଠ ହୋଇ ନିଜ ପରିବାରରେ ଘଟଣା ସଂପର୍କରେ ସୁଚୀତ କରିଥିଲା । ଆଉ ଝିଅର ବାପା ୧୦ ତାରିଖରେ ବିଶିକେଶନକୁ ଘରକୁ ଡାକିଥିଲେ ।
ବିଶିକେଶନ ଝିଅଘରକୁ ଆସିବାପରେ ଝିଅର ବାପା, ଭାଇ ଓ ନିଜେ ସେହି ଝିଅ ମିଶି ବିଶିକେଶନକୁ ପ୍ରବଳ ମାଡ ମାରିଥିଲେ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି । ଆଉ ଏଭଳି ଘଟଣାପରେ ଲୋକ ଲଜ୍ଜା ସହିନପାରି ବିଶିକେଶନ ୧୦ ତାରିଖରୁ ନିଖୋଜ ହୋଇଯାଇଥିଲା । ପରିବାର ଲୋକମାନେ ତାକୁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ପାଇନଥିଲେ । ଆଉ ୧୨ ତାରିଖରେ କୁରାଢିଆ ଜଙ୍ଗଲରେ ଏକ ଆମ୍ବଗଛରେ ଜଣେ ଯୁବକର ଶବ ଝୁଲୁଥିବା ନେଇ ଖବର ପ୍ରଚାରିତ ହେବାମାତ୍ରେ ବିଶିକେଶନର ବାପା ଘଟଣାସ୍ଥଳକୁ ଯାଇ ଶବକୁ ଚିହ୍ନଟ କରିବାପରେ ପୁଲିସରେ ଖବର ଦେଇଥିଲେ ।
ଖବରପାଇ ତାରାସିଂ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗଛରୁ ଶବକୁ ତଳକୁ ଓଲ୍ଲାଇବାସହ ଏହାର ବ୍ୟବଚ୍ଛଦ ପାଇଁ ଭଞ୍ଜନଗର ପଠାଇଥିଲେ । ଏସଂପର୍କରେ ତାରାସିଂ ଥାନାରେ ୧୮/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅନୁସନ୍ଧାନକୁ ବ୍ୟାପକ କରାଯାଇଥିବାବେଳେ ମୃତ ଯୁବକର ବାପାର ଅଭିଯୋଗ ପ୍ରକାରେ ଝିଅର ବାପା ଓ ଭାଇକୁ ଥାନାରେ ଅଟକ ରଖି ପଚରାଉଚୁରା ଆରମ୍ଭ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୁଚନା ଦେଇଛନ୍ତି ।
