ଭଞ୍ଜନଗର – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପ୍ରତ୍ୟକ ବର୍ଷ ରଥ ନିର୍ମାଣ ସକାଶେ ବିଭିନ୍ନ ଅଞ୍ଚଳରୁ କାଠ ସଂଗ୍ରହ କରାଯାଇଥାଏ | ଚଳିତ ବର୍ଷ ରଥ ଯାତ୍ରା ନିମନ୍ତେ ଘୁମୁସର ବନଖଣ୍ଡରୁ ରଥ ନିର୍ମାଣ ପାଇଁ କାଠ ଯିବା ନେଇ ସ୍ଥିର ହୋଇଛି। ପୁରୀ ଶ୍ରୀ ମନ୍ଦିର ପ୍ରଶାସନର କାଠ ଚିହ୍ନଟ ସେବାୟତ ଦଳ ଭଞ୍ଜନଗର ଠାରେ ପହଞ୍ଚିବା ସହ ବିଭିନ୍ନ ବନାଞ୍ଚଳ ବୁଲି ୨୯ ଗୋଟି ଗଛ ଚିହ୍ନଟ କରିଛନ୍ତି। କେନ୍ଦ୍ରୀୟ ବନାଞ୍ଚଳର ପୁରୁଣାପଣି ଗ୍ରାମବାସୀ ଗୋବର ପାଣିରେ ଲିପାପୋଛା କରିବା ସହ ଝୋଟି ଚିତା କାଟି ସେବାୟତ ଦଳକୁ ବନ୍ଦାପନା କରି ଚିହ୍ନଟ ହୋଇଥିବା ଗଛ ଗୁଡିକୁ ପୂଜା କରିଥିଲେ। ଉକ୍ତ ଦଳକୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,ବନାଞ୍ଚଳ ଅଧିକାରୀ କୁମର ବେହେରା,ତାରସିଂ ରେଞ୍ଜର କୃତ୍ତିବାସ କୁମାର ଏବଂ ମୁଜାଗଡ ବନ କର୍ମଚାରୀ ମାନେ ବାଇବାଲି ଜଙ୍ଗଲରୁ ୨୦ ଟି ଢଉରା ଗଛ ଚିହ୍ନଟ କରିଥିଲେ।କେନ୍ଦ୍ରୀୟ ବନାଞ୍ଚଳର କାଳିଆମ୍ବା ସେକ୍ସନ୍ର ପୁରୁଣାପାଣି ଜଙ୍ଗଲରୁ ୩ ଟି ଫାସୀ ଗଛ ଏବଂ ତାରସିଂ ବନାଞ୍ଚଳରୁ ୬ ଟି ଫାସୀ ଗଛ ଚିହ୍ନଟ କରିଛନ୍ତି।
