ଭଞ୍ଜନଗର(ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଅନ୍ୟ ବ୍ଲକକୁ ବଦଳି ହେବାରୁ ବ୍ଲକ କାର୍ଯ୍ୟାଳୟରେ ବିଷ ପିଇ ଦେଇଥିଲେ ଗ୍ରାମ ପଞ୍ଚାୟତ ଅଧିକାରୀ।ଦୀର୍ଘ 12 ଦିନ ଧରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।ମୃତ ଅଧିକାରୀ ଜଣକ ହେଲେ ସୋରଡା ଗ୍ରାମ ପ୍ରମୋଦ ପଟ୍ଟନାୟକ।ଏଭଳି ଅଭାବନୀୟ ଘଟଣା ଘଟିଥିଲା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ପରିସରରେ ।ସୂଚନା ମୁତାବକ ପ୍ରମୋଦ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଭଞ୍ଜନଗର ବ୍ଲକରେ ଗ୍ରାମ ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ଜାନୁଆରୀ 30 ତାରିଖରେ ତାଙ୍କର ପାତ୍ରପୁର ବ୍ଲକ କୁ ବଦଳି ନିର୍ଦ୍ଦେଶ ଆସିବା ପରେ ଭଞ୍ଜନଗର ବିଡ଼ିଓ ତାଙ୍କୁ ରିଲିଫ କରିଥିଲେ।ସେ ଫେବୃଆରୀ 1ତାରିଖରେ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଭଞ୍ଜନଗର ବ୍ଲକ କୁ ଆସି କୀଟନାଶକ ଔଷଧ ପିଇ ଗୁରୁତର ହୋଇ ତଳେ ପଡି ଯାଇଥିଲେ ।ବ୍ଲକ କର୍ମଚାରୀ ମାନେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।ଯାହା ସୂଚନା ରହିଛି ପ୍ରମୋଦଙ୍କ ଆଉ ଚାରିମାସ ଚାକିରି ସମୟ ରହିଥିଲା।ସେ ସୋରଡା ରେ ରହୁଥିବାରୁ ଭଞ୍ଜନଗର ବ୍ଲକ କୁ ପ୍ରତିଦିନ ଯିବା ଆସିବା କରୁଥିଲେ ।ହଠାତ୍ ତାଙ୍କର ପାତ୍ରପୁର ବ୍ଲକ ବଦଳି କୁ ସହ୍ୟ କରି ପାରିନଥିଲେ।ଭାରସାମ୍ୟ ହରାଇ ବିଷ ପି ଦେଇଥିବା ଅନୁମାନ କରାଯାଉଛି।ଭଞ୍ଜନଗର ପୋଲିସ ବ୍ଲକ କାର୍ଯ୍ୟାଳୟ ଓ ମେଡ଼ିକାଲ କୁ ଯାଇ ଘଟଣାର ତଦନ୍ତ ଚଳାଇଛି। ଏ ପର୍ଯ୍ୟନ୍ତ ବିଷ ପାନ ସଠିକ୍ କାରଣ ଜଣା ପଡ଼ିନାହିଁ।
