Odisha news

ଭଞ୍ଜନଗର ବ୍ଳକ୍ ପରିସରରେ ଅଭାବନୀୟ ଘଟଣା : କାର୍ଯ୍ୟରତ ଜିପିଓ ଆତ୍ମହତ୍ୟା ଉଦ୍ୟମ , ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି

0

ଅମରେନ୍ଦ୍ର କୁମାର ପଟ୍ଟନାୟକ ,  ସକାଳ ଖବର : ଭଞ୍ଜନଗର ବ୍ଳକ୍ ପରିସରରେ ଆଜି ଏକ ଅଭାବନୀୟ ଘଟଣାରେ ବ୍ଳକରେ ପୂର୍ବରୁ କାର୍ଯ୍ୟରତ ଜିପିଓ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନ ସମୟରେ ବ୍ଳକ୍ର ପ୍ରାକ୍ତନ ଜିପିଓ ପ୍ରମୋଦ କୁମାର ପଟ୍ଟନାୟକ ଭିଡିଓ କନ୍ଫେର୍ନ୍ସିଂ ରୁମ୍ରେ ହଠାତ୍ ବାନ୍ତି କରିବା ସହ ତଳେ ପଡିଯିବାରୁ ତୁରନ୍ତ ଅନ୍ୟ କର୍ମଚାରୀ ମାନେ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେ କିଛି ବିଷାକ୍ତ ଜିନିଷ ପିଇ ଥିବା ପ୍ରକାଶ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ସେ ଦୀର୍ଘ ବର୍ଷ ଧରି ଭଞ୍ଜନଗର ବ୍ଳକ୍ରେ ପିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ୨ବର୍ଷ ହେବ ଜିପିଓ ଦାୟିତ୍ବରେ ରହିଥିଲେ। ଗତ ୩୦ ତାରିଖ ଦିନ ତାଙ୍କର ପାତ୍ରପୁର ବ୍ଳକ୍କୁ ବଦଳି ହୋଇଥିଲା।

ତେବେ ଏଭଳି ଘଟଣା କାହିଁକି ଘଟିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ବ୍ରହ୍ମପୁର ମେଡିକାଲ୍ରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି। ଏସଂର୍ପକରେ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର କହିଛନ୍ତି ଯେ, ଜିଲ୍ଲା କାର୍ଯ୍ୟାଳୟରୁ ଶ୍ରୀ ପଟ୍ଟନାୟକଙ୍କ ବଦଳି ନିର୍ଦ୍ଦେଶ ଆସିବା ପରେ ଗତ ୩୦ ତାରିଖ ଦିନ ତାଙ୍କୁ ରିଲିଫ୍ କରି ଦିଆଯାଇଥିଲା। ଆଜି ସକାଳୁ ବ୍ଳକ୍ କାର୍ଯ୍ୟାଳୟକୁ ଆସି ଦାୟିତ୍ବ ହସ୍ତାନ୍ତର କରିବା ପରେ ମଧ୍ୟାହ୍ନ ସମୟରେ ବ୍ଳକ ପରିସରରେ ଥିବା ଭିସି ହଲ୍ରେ ସେ ବାନ୍ତି କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର କିଛି ବିଷାକ୍ତ ପଦାର୍ଥ ସେ ପିଇ ଦେଇଥିବା ପ୍ରକାଶ କରି ଚିକିତ୍ସା କରିଥିଲେ। ତେବେ ସେ ଏଭଳି ପଦକ୍ଷେପ କାହିଁକି ନେଲେ ତାହା ଜାଣି ନଥିବା କହିଛନ୍ତି। ତେବେ ବଦଳି କାରଣରୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବେି ସେ ସଂର୍ପକରେ ସେ ଜାଣିନଥିବା କହିଛନ୍ତି। ମାନବିକତା ଦୃଷ୍ଟିରୁ ଗୁରୁତର ଅବସ୍ଥାରେ ଥିବା ଶ୍ରୀ ପଟ୍ଟନାୟକଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବିଡ଼ିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ଖବର ପାଇ ପୁଲିସ୍ ବ୍ଳକ୍କୁ ଯାଇ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି।

Nalco
Leave A Reply