ଭଞ୍ଜନଗର ୦୧ /୦୨ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରେ ଆଜି ଜଣେ ବରିଷ୍ଠ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି | ବରିଷ୍ଠ କର୍ମଚାରୀ ଜଣକ ହେଲେ ପ୍ରମୋଦ କୁମାର ପଟ୍ଟନାୟକ ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ | ଗତ ଦୁଇ ବର୍ଷ ହେବ ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ଆଉ କିଛି ମାସ ପରେ ସେ ଅବସର ନେଇଥାନ୍ତେ କିନ୍ତୁ ହଠାତ ଆଜି ସେ ଚରମ ପନ୍ଥା ଆପଣାଇ କୀଟନାଶକ ଔଷଧ କିମ୍ବା କୌଣସି ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ସୂଚନା ପ୍ରକାରେ କିଛି ଦିନ ପୂର୍ବେ ବରିଷ୍ଠ କର୍ମଚାରୀ ଜଣକ କୌଣସି କାରଣରୁ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ସହ ଯୁକ୍ତିତର୍କ ହୋଇଥିଲା ଏବଂ ବିଡିଓଙ୍କୁ ଅସଦାଚରଣ କରିଥିବାରୁ ଜିଲ୍ଲାପାଳଙ୍କୁ ଏହି ସମ୍ପର୍କରେ ଏକ ଚିଠି ଲେଖିଥିଲେ ଭଞ୍ଜନଗର ବିଡ଼ିଓ | ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଏକ ଚିଠିରେ ତାଙ୍କର ଅନ୍ୟତ୍ର ସ୍ଥାନକୁ ବଦଳି ହୋଇଥିବା ଚିଠି ଦ୍ୱାରା ନିର୍ଦେଶ ଆସିଥିଲା | ବଦଳି ହୋଇଥିବା ନିର୍ଦେଶ ପ୍ରକାରେ ଆଜି ଅନ୍ୟ ଜଣେ କର୍ମଚାରୀଙ୍କୁ ସେ ଚାର୍ଜ ଦେବା ପରେ ବିଡ଼ିଓ ଏବଂ ଅନ୍ୟ କର୍ମଚାରୀ ମାନେ ଏକ ବୈଠକରେ ଥିବା ବେଳେ ଶ୍ରୀ ପଟ୍ଟନାୟକ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଉକ୍ତ କାର୍ଯ୍ୟାଳୟର ଜଣେ କର୍ମଚାରୀ ଶ୍ରୀ ପଟ୍ଟନାୟକ ଅଚେତ ଅବସ୍ଥାରେ ଥିବା ଦେଖି ସଙ୍ଗେ ସଙ୍ଗେ ବିଡିଓଙ୍କୁ ଜଣାଇଥିଲେ ଏହାପରେ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି | ବିଡିଓଙ୍କୁ ଏହି ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ | ପୋଲିସ ଖବର ପାଇଁ ଉକ୍ତ ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି |
