ଭଞ୍ଜନଗର,୩୧/୧୨ : ୨୦୨୨ କୁ ବିଦାୟ ଦେବାର କିଛି ଘଣ୍ଟା ପୂର୍ବରୁ ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ସହରର ମୁଖ୍ୟ ରାସ୍ତାକୁ ଅଧିକ ଆକର୍ଷଣୀୟ କରିବାକୁ ଟାଉନ୍ ହଲ୍ ସାମନାରେ ଭଗବାନ ଶ୍ରୀବିଷ୍ଣଙ୍କ ସାଦୃଶ୍ୟ ଅନନ୍ତ ଶୟନ ପ୍ରକଳ୍ପକୁ ସହରବାସୀଙ୍କ ଉଦେ୍ଦଶ୍ୟରେ ଲୋକାର୍ପିତ କରିଛନ୍ତି । ଆଉ ସାଦୃଶ୍ୟ ଆଲୋକମାଳାରେ ଶ୍ରୀବିଷ୍ଣଙ୍କ ଅନନ୍ତ ଶୟନ ବେଶ ମନୋରମ ଓ ସହରବାସୀଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇପାରିଛି । ସାଗର ଗର୍ଭରେ ବାସୁକୀ ନାଗ ଉପରେ ଭଗବାନ ଶ୍ରୀବିଷ୍ଣ ଅନନ୍ତ ଶୟନ କରିଥିବାବେଳେ ପାଖରେ ମାତା ଲକ୍ଷ୍ମୀ ପାଦ ସଂଚାଳନ କରୁଥିବାବେଳେ ଶ୍ରୀ ଗରୁଡ ଦେବ ଯୋଡ ହସ୍ତରେ ଦଣ୍ଡାୟମାନ ଅଛନ୍ତି । ସେହିପରି ଶ୍ରୀବିଷ୍ଣଙ୍କ ନାଭି ମଣ୍ଡଳରୁ ସ୍ୱୟଂ ବ୍ରହ୍ମାଙ୍କ ଆବିର୍ଭାବ ହେବାର ଦୃଶ୍ୟକୁ ଶିଳ୍ପୀ ଅତି ନିଖୁଣତାର ସହ ନିର୍ମାଣ କରିଛନ୍ତି । ଯାହାକି ଯେକୌଣସି ବ୍ୟକ୍ତିବିଶେଷଙ୍କୁ ଘଡିଏ ସେଠାରେ ଠିଆା ହେବାକୁ ବାଧ୍ୟ କରୁଛି । ସହରର କେନ୍ଦ୍ର ସ୍ଥଳରେ ଏଭଳି ଏକ ପ୍ରକଳ୍ପ ସମସ୍ତଙ୍କ ମନ ମୋହୁଥିବାବେଳେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ପୁରୁଣା ବର୍ଷକୁ ବିଦାୟ ଦେବା ପୂର୍ବରୁ ଏଭଳି ଏକ ପ୍ରକଳ୍ପ ଲୋକାର୍ପିତ କରି ୨୦୨୩ କୁ ସାଦର ନିମନ୍ତ୍ରଣ କରାଯାଇଛି ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶନିବାର ଭୁବନେଶ୍ୱରୁ ଭଞ୍ଜନଗର ଗ୍ରସ୍ତରେ ଆସି ଟାଉନ୍ ହଲ ସାମନାରେ ଏହି ପ୍ରକଳ୍ପ ଲୋକାର୍ପିତ କରିଥିଲେ । ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ପୂର୍ବତନ ନଗରପାଳ ସୁଧୀର ରଂଜନ ବେହେରା, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ପୂର୍ବତନ ଉପାଧ୍ୟକ୍ଷ ରାଜେନ୍ଦ୍ର୍ର କୁମାର ବିଶୋୟୀ, ବରିଷ୍ଠ ସଂଗଠକ ରାଜକୁମାର ସାହୁ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଶୁଳପାଣି ଶତପଥୀଙ୍କ ସହ ସହରର ସମସ୍ତ କାଉନସିଲର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ ।
ସହରାଞ୍ଚଳ ମୁକ୍ତ ସ୍ଥାନ ସୌନ୍ଦର୍ଯ୍ୟକରଣ ଯୋଜନାରେ ଏବେ ସହରର ମୁଖ୍ୟ ରାସ୍ତାରେ ୩ଟି ସାଦୃଶ୍ୟ ପ୍ରକଳ୍ପ ସ୍ଥାନିତ ହୋଇଛି । ପୂର୍ବରୁ ଏନଏସିର ପୁରୁଣା ମାର୍କେଟ ଏରିଆରେ ହରିଣ ବିଚରଣ ପ୍ରକଳ୍ପ ସହ ଭଞ୍ଜମାର୍ଗରେ ଉକ୍ରଳୀୟ ପରମ୍ପରାର ବାର୍ତ୍ତା ବହନ କରୁଥିବା ଓଡିଶୀ ନୃତ୍ୟାଙ୍ଗନାଙ୍କ ସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ଓ ତାଙ୍କ ଦ୍ୱାରା ରଚିତ ବହୁ ମୂଲ୍ୟବାନ ଗ୍ରନ୍ଥ ସବୁ ତାଳପତ୍ର ପୋଥି ମଧ୍ୟ ଏଠାରେ ସ୍ଥାାନିତ ହୋଇଛି । ସୁନ୍ଦର ଜଳ ଉତ୍ସ ସହ ଆଲୋକମାଳାରେ ଝଲସି ଉଠୁଛି ଏହି ୩ଟି ଇଲାକା । ଦର୍ଶକଙ୍କ ମନକୁ ବିମୋହିତ କରୁଛି । ଏତିକିରେ ଅକଟି ଯିବନି ଏହି ଯୋଜନା । ସହରର ବିଭିନ୍ନ ସାହିଗଳିରେ ଥିବା ଖୋଲା ସ୍ଥାନମାନଙ୍କରେ ଏଭଳି ଅନେକ ସାଦୃଶ୍ୟ ପ୍ରକଳ୍ପ ଭବିଷ୍ୟତରେ ର୍ନିମାଣ କରାଯିବାସହ ଭଞ୍ଜନଗର ସହରକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳାଯିବ । ସହରର ଐତିହ ଓ ପରମ୍ପରା ବାର୍ତ୍ତା ବହନ କରୁଥିବା ଘୁମୁସର ଅଂଚଳର କଳା କାରୁକାର୍ଯ୍ୟ ସବୁକୁ ଏହି ପ୍ରକଳ୍ପରେ ସାମିଲ କରାଯିବ । ଯାହାକି ଆଗାମୀ ପିଢୀଙ୍କୁ ମାର୍ଗ ଦେଖାଇବବୋଲି ବାଚସ୍ପତି ଆରୁଖ ଏହି ଅବସରରେ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।
