ଭଞ୍ଜନଗର : ଭଞ୍ଜନଗର ସହରର ୬ ଓ ୧୨ ନମ୍ବର ୱାର୍ଡରୁ କଣ୍ଟେନମେଣ୍ଟ ଜୋନ ହଟିବା ପ୍ରସଂଗ ନେଇ ରବିବାର ଏଡିଏମ୍ ବିଶାଲ ସିଂ ସ୍ଥାନୀୟ ଆଦର୍ଶ ବଣିକ ସଂଘ ଓ ଓକିଲ ସଂଘ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏବେ ଉକ୍ତ ଇଲାକାରୁ କଣ୍ଟେନମେଣ୍ଟ ଜୋନ୍ ହଟିବା ପ୍ରାସଂଗିକତା ହେବନାହିଁ ବୋଲି ଏଡିଏମ ସିଂ ସ୍ପଷ୍ଟ ସୂଚନା ଦେବାସହ ଏସମ୍ପର୍କରେ କିଏ ଗ୍ୟରେଣ୍ଟି ଦେଇପାରିବେ କି ବୋଲି ଓଲଟି ପ୍ରଶ୍ନ ପଚାରିଥିଲେ । ଅନ୍ୟପକ୍ଷରେ ସହରରେ ରବିବାର ଠାରୁ କିଛି କଟକଣାକୁ କୋହଳ କରାଯାଇଛି । ସ୍ଥାନୀୟ ଷ୍ଟାଡିୟମ ପରିସରରେ ରବିବାର ଠାରୁ ପୁଣିଥରେ ପନିପରିବା ହାଟ ଆରମ୍ଭ ହୋଇଛି । ଏହାକୁ ଅନେକ ବୁଦ୍ଧିଜୀବି ନାପସନ୍ଦ କରିଛନ୍ତି । ପନିପରିବା ବିକାଳିମାନେ ଏବେ ଏନଏସିରୁ ଅନୁମତି ପତ୍ର ନେଇ ଠେଲାଗାଡି, ସାଇକେଲ ଓ ଅଟୋରେ ସାହିଗଳିରେ ପନିପରିବା ବିକ୍ରି କରୁଛନ୍ତି । ଏହା ସବୁଠାରୁ ଉପଯୋଗୀ ସାବ୍ୟସ୍ତ ହୋଇଥିବାବେଳେ ପୁଣିଥରେ ଗୋଟିଏ ସ୍ଥାନରେ ସମସ୍ତଙ୍କୁ ଏକାଠି କରି ପରୋକ୍ଷରେ କରୋନା ସଂକ୍ରମଣକୁ ବଢାଇବାକୁ ନିମନ୍ତ୍ରଣ କରାଯାଉଛି ବୋଲି ଅନେକ ଅଭିଯୋଗ କରିଛନ୍ତି ।
କରୋନା ପାଇଁ ସ୍ୱତନ୍ତ୍ର ଭାବେ ଭଞ୍ଜନଗର ସବଡିଭିଜନ୍ ଦାୟିତ୍ୱରେ ଥିବା ଏଡିଏମ ବିଶାଲ ସିଂ ରବିବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତାରେ ଏକ ଜରୁରୀ ବୈଠକ ଡାକିଥିଲେ । ଏଥିରେ ଓକିଲ ସଂଘ ସଭାପତି ଗୋପାଳ କୃଷ୍ଣ ପ୍ରଧାନ, ବରିଷ୍ଠ ଓକିଲ ଏମ୍ ତାଜ ଆଦେନୀ, ଆଇନଜୀବି ବଳରାମ ମହାପାତ୍ରଙ୍କ ସମେତ ଆଦର୍ଶ ବଣିକ ସଂଘ ସଭାପତି ଏ.ଗୌରୀ ଶଙ୍କର ପାତ୍ର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗରର ୱାର୍ଡ ନମ୍ବର ୬ ଓ ୧୨ ରୁ କଣ୍ଟେନମେଣ୍ଟ ଜୋନ୍ ହଟିବା ନେଇ ଚଳିତ ମାସ ୨୩ ତାରିଖରେ ଏକ ଚିଠିରେ ଉଲ୍ଲେଖ କରିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ଉକ୍ତ ଅଞ୍ଚଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ବିଚାର କରି ବର୍ତ୍ତମାନ ପରିପ୍ରେକ୍ଷୀରେ କଣ୍ଟେନମେଣ୍ଟ ଜୋନ ହଟିବା ସମ୍ଭବନୁହଁବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି । ଏଡିଏମ ବିଶାଲ ସିଂ ଏଥିରେ ସମସ୍ତଙ୍କ ସହଯୋଗ ଓ ସହଭାଗୀତା ରହିବା ଜରୁରୀବୋଲି ଉଲ୍ଲେଖ କରିବାସହ କରୋନା ସଂକ୍ରମିତ ଚିହ୍ନଟ ପ୍ରକି୍ରୟାରେ ବଣିକ ସଂଘ ଓ ଓକିଲ ସଂଘ ସଦସ୍ୟମାନେ ନଜର ରଖିବାସହ ଲକ୍ଷଣ ଚିହ୍ନଟ ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ପ୍ରୋତ୍ସାହିତ କରିବାକୁ ଏଡିଏମ ସିଂ ଅପିଲ କରିଥିଲେ । ଅନ୍ୟପକ୍ଷରେ ରବିବାର ଠାରୁ ପୂର୍ବର କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ତେବେ କୌଣସି କାମ ନଥାଇ ଅଯଥାରେ ବାଇକ୍ ଧରି ଘୁରି ବୁଲୁଥିବା ଲୋକଙ୍କ ବିରୁଦ୍ଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବବୋଲି ଏଡିଏମ ସିଂ ସ୍ପଷ୍ଟ ସୂଚନା ଦେଇଛନ୍ତି । ତେଣୁ କୌଣସି କାମ ନଥିଲେ ଅଯଥାରେ ଜନସାଧାରଣ ବାହାରକୁ ନବାହାରି ଘରେ ନିରାପଦରେ ରହିବାକୁ ସେ ଅପିଲ କରିଛନ୍ତି ।