ଭଞ୍ଜନଗର,୧୫/୧୧(ଆପ୍ର) ମହାନ୍ କ୍ରାନ୍ତିକାରୀ ବିପ୍ଳବୀ ବିର୍ସା ମୁଣ୍ଡା ଙ୍କ ୧୪୭ ତମ ଜନ୍ମ ଜୟନ୍ତୀରେ ଆଦିବାସୀ ଭାରତ ମହାସଭା ପକ୍ଷରୁ ଭଞ୍ଜନଗର ଠାରେ ଆଦିବାସୀ ମେଳି ।ଏହି ଅବସରରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକାଠି ହୋଇ ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ସ୍ମାରକପତ୍ର ରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର, ଜଙ୍ଗଲ ଅଧିକାର ଆଇନ ୨୦୦୫ ଅନୁଯାୟୀ ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ଆଦିବାସୀଙ୍କ ନାମରେ ଥିବା ଜମିକୁ ଚିହ୍ନଟ କରିବା, ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷର ସ୍ଥାୟୀ ସମାଧାନ, ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ନିଜ ହକ ପ୍ରଦାନ କରିବା ସହ ଜୀବନ ଓ ଜୀବିକା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଆଇନ, ଆନ୍ଧ୍ର ଓ ଗୁକରାଟ ଜମି ମାଫିଆମାନେ ଜମି ଦଲାଲ ଓ ସରକାରୀ କଳକୁ ହାତେଇ ଫର୍ଜି ପଟ୍ଟା ତିଆର କରି ଆଦିବାସୀଙ୍କ ଅଧିକାରକୁ ହରିଲୁଟ କରି ଆସୁଥିବା ଏବଂ ଜଙ୍ଗଲ ଓ ପରିବେଶ ଧ୍ବଂସ କରି ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରୁଥିବା ଜମି ମାଫିଆ ଙ୍କୁ ଦୃଢ଼ ହସ୍ତରେ ଦମନ କରିବା ସହ ଫର୍ଜି ପଟ୍ଟାକୁ ରଦ୍ଦ କରି ଆଦିବାସୀଙ୍କ ନାମରେ ପଟ୍ଟା ପ୍ରଦାନ କରିବା ଆଦି ଦାବୀରେ ଏହି ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି।
କ୍ଷମତା ହସ୍ତାନ୍ତରର ପଞ୍ଚସ୍ତ୍ତରି ବର୍ଷ ବିତି ଗଲାଣି।ମାତ୍ର ଏ ଦେଶର ଆଦିବାସୀ ସମୁଦାୟ ଯେଉଁ ଅଧିକାରର ସ୍ବପ୍ନ ନେଇ ଇଂରେଜ ସରକାର ବିରୋଧରେ ଲଢିଥିଲେ ଓ ସର୍ବୋଚ୍ଚ ବଳିଦାନ ଦେଇଥିଲେ ଆଜି ସେହି ସ୍ବପ୍ନ ଭୁଲୁଣ୍ଠିତ। ଗଞ୍ଜାମ ଜିଲ୍ଲାର ଶହ ଶହ ଏକର ଆଦିବାସୀଙ୍କ ଜମିକୁ ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆ ସରକାରୀ କଳକୁ ହାତେଇ ଫର୍ଜି ପଟ୍ଟା କରି ଆଦିବାସୀଙ୍କୁ ତଳି ତଳାନ୍ତ କରୁଛନ୍ତି। ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ ଏକଘରିଆ ପଲ୍ଲୀ, ଢିମିରିପଲ୍ଲୀ, ବରବରା ଆଦି ଅଞ୍ଚଳ ଶହ ଶହ ଆଦିବାସୀଙ୍କ ଜମି କରାୟତ ସେହିପରି ବୁଗୁଡ଼ା ତହସିଲ ର ବେଲଗୁମା, କଣ୍ଡରାଇ, ନିମପଲ୍ଲୀ, ସମଲାଇ ର ଶହ ଶହ ଏକର ଜମି ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆଙ୍କ ଫର୍ଜି ପଟ୍ଟା ଦ୍ବାରା ନିୟନ୍ତ୍ରିତ। ଏହା ବିରୁଦ୍ଧରେ ନିରନ୍ତର ଆଦିବାସୀମାନେ ସ୍ବର ଉତ୍ତୋଳନ କରି ଆସୁଥିଲେ ସୁଦ୍ଧା ସରକାରଙ୍କ ଆନ୍ତରିକତା ଅଭାବରୁ ଜମି ଦଲାଲ, ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆମାନେ ପ୍ରବେଶ କରି ଆଦିବାସୀଙ୍କ ଅଧିକାର କୁ ହଡ଼ପ କରୁଛନ୍ତି ।
ଆଦିବାସୀ ଭାରତ ମହାସଭା ର ରାଜ୍ୟ ଆବାହକ ଟୁନା ମଳିକ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୁଗୁଡ଼ା ବ୍ଳକ ସଭାପତି ବଳଭଦ୍ର ମଳିକ, ରାମ୍ପୋର ଚିତ୍ରସେନ ଜାନି, କଣ୍ଡରାଇ ର ନିଧିଆ ପ୍ରଧାନ, କ୍ରାନ୍ତିକାରୀ ମହିଳା ସଂଘର ନେତ୍ରୀ ସଂଧ୍ୟା ରାଣୀ ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭା ର କାର୍ତିକ ପ୍ରଧାନ, ବିପ୍ର ଜାନି, ସନ୍ତୋଷ ପ୍ରଧାନ, ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ଶ୍ରମିକ କର୍ମଚାରୀ ସମନ୍ବୟ ସମିତିର ନେତା ହରେକୃଷ୍ଣ ସାହୁ, ଯୁବ ନେତା ଦିଲ୍ଲୀପ ସମେତ ବହୁ ଆଦିବାସୀ ମହିଳା ପୁରୁଷ ଉପସ୍ଥିତ ଥିଲେ।
