ଭଞ୍ଜନଗର : ନିକଟସ୍ଥ କେବିରି ବରପୁର ଗ୍ରାମର ଗନ୍ଧିଆ ନାଇକ ଓ ତାଙ୍କ ପତ୍ନୀ ସଞ୍ଜୁ ନାଇକଙ୍କୁ ସେହି ଗ୍ରାମର ଗୋଟିଏ ପରିବାର ବାପ ଓ ୨ ପୁଅ ମିଶି ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ଗୁରୁତର ଅବସ୍ଥାରେ ସ୍ୱାମୀସ୍ତ୍ରୀ ଉଭୟଙ୍କୁ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିବାବେଳେ ଏଠାରୁ ଗନ୍ଧିଆଙ୍କ ପତ୍ନୀ ସଞ୍ଜୁଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗୁରୁତର ଗନ୍ଧିଆ ଏବେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଗଣ୍ଡଗୋଳର କାରଣ ସମ୍ପର୍କରେ ସେ କହନ୍ତିଯେ ଗତକାଲି ତାଙ୍କ ଗ୍ରାମରେ ପୋଖରୀରୁ ମାଛ ଧରା ହେଉଥିଲା ।
ତେଣୁ ସେ ମାଛ ଆଣିବାକୁ ପୋଖରୀ ନିକଟକୁ ଯାଇଥିଲେ, ହେଲେ ସେଠାରେ କିଛି ଲୋକ ତାଙ୍କୁ ତୁ ପରେ ନେବୁ କହି ଘଉଡାଇ ଦେଇଥିଲେ । ଆଉ ସେ ଘରକୁ ଫେରିଆସିଥିଲେ । ହେଲେ ସନ୍ଧ୍ୟାରେ ମାଛ ଧରାଯାଇଥିବା ପୋଖରୀ ମାଲିକ ଆସି କାହିଁକି ମାଛ ନଆଣି ଫେରିଆସିଲୁ ବୋଲି ପ୍ରଶ୍ନ କରିଥିଲେ । ପରେ ସେ ଅଯଥା ଯୁକ୍ତତର୍କ ମଧ୍ୟ କରିଥିଲେ । ଏଥିରେ ରାଗିଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଭାଇ ଓ ତାଙ୍କର ୨ ପୁଅ ମାରଣାସ୍ତ୍ର ସହାୟତାରେ ଘରେ ପଶି ଆକ୍ରମଣ କରିଥିଲେ ବୋଲି ଗନ୍ଧିଆ ଉଲ୍ଲେଖ କରିଛନ୍ତି । ଅପରପକ୍ଷରେ ଉଭୟ ପତିପତ୍ନୀ ମେଡିକାଲରେ ଚିକିତ୍ସାଧୀନ ରହିଥିବାରୁ ଏସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।