ଓଡ଼ିଆ ଭାଗବତ ଓଡିଶାର ଜନଜୀବନ ସହ ସୁପରିଚିତ। ଲୋକେ କଥା ପ୍ରସଙ୍ଗ ରେ ଭାଗବତର ବିଭିନ୍ନ ପଦ ଉଚ୍ଚାରଣ କରିଥାନ୍ତି।ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଭାଗବତ ବାଣୀ ମୌଷଧି ଭଲି କାମକରିଥାଏ।ମୂଳଭାଗବତ ବ୍ୟାସଦେବ ସଂସ୍କୃତରେ ରଚନା କରିଥିଲେ।ଭାରତୀୟ ବିଭିନ୍ନ ଭାଷା ସହ ବୈଦେଶିକ ଭାଷାରେ ମଧ୍ୟ ଭାଗବତ ଅନୁବାଦ ହୋଇସାରିଛି।ତତ୍କାଳୀନ ସମୟରେ ଆବଶ୍ୟକତା କୁ ଉପଲବ୍ଧି କରି ଅତିବଡ଼ି ଜଗନ୍ନାଥ ଦାସ ରଚନା କରିଥିଲେ ଓଡ଼ିଆ ଭାଗବତ।ଏହା ମୂଳଭାଗବତ ଏକ ଅନୁବାଦ ହୋଇଥିଲେ ମଧ୍ୟ ଅନେକ ସ୍ୱତନ୍ତ୍ରତା ରେ ଭରପୂର ଓଡ଼ିଆ ଭାଗବତ।ଏଠି ଓଡ଼ିଶାର ପ୍ରାକୃତିକ, ସାମାଜିକ ଜୀବନର ଛବି ସ୍ଫଟ ଭାବରେ ବାରିହୋଇପଡେ। ଓଡ଼ିଆ ଭାଗବତ ନବାକ୍ଷରୀ ଛାନ୍ଦରେ ରଚିତ।ପ୍ରତ୍ୟେକ ଧାଡ଼ିର ତୃତୀୟ, ଷଷ୍ଠ ଓ ନବମ ଅକ୍ଷର ମୂଖ୍ୟତଃ ନ,ପ,ବ,ମ,ର,ଲା,ଲ,ଶ,ସ ରେ ପଡି ଥାଏ।ଏହା ବାରଟି ସ୍କନ୍ଧରେ ୩୩୫ ଗୋଟି ଅଧ୍ୟାୟ ରହିଛି। ଭାଗବତ ସହ ଶରୀର ତତ୍ୱର ଅନେକ ସଂପର୍କ ରହିଛି ଯାହା ମୂଳତଃ ଅନ୍ତଃଭାବ ପ୍ରକାଶ କରିଥାଏ।
ଭାଗବତ ଭଗବାନ ଶ୍ରୀକୃଷ୍ଣ ଙ୍କ ସ୍ବରୂପ ଅଟେ।ପ୍ରଥମ ଓ ଦିତୀୟ ସ୍କନ୍ଧ କୁ ପାଦ,ତୃତୀୟ ଓ ଚତୁର୍ଥ ସ୍କନ୍ଧକୁ ଉରୁ,ପଞ୍ଚମ ସ୍କନ୍ଧ କୁ ନାଭି,ଷଷ୍ଠ ସ୍କନ୍ଧ କୁ ହୃଦୟ,ସପ୍ତମ ଓ ଅଷ୍ଟମସ୍କନ୍ଧକୁ ଦୁଇ ବାହୁ,ନବମ ସ୍କନ୍ଧକୁ ନାସିକା,ଦଶମ ସ୍କନ୍ଧକୁ ମୁଖ,ଏକାଦଶ ସ୍କନ୍ଧକୁ କପାଳ,ଦ୍ଵାଦଶ ସ୍କନ୍ଧକୁ ମସ୍ତିଷ୍କ ଭାବରେ ବର୍ଣାନା କରାଯାଇଛି।ଭାଗବତ ର ପ୍ରତ୍ୟେକ ଅଧ୍ୟାୟ ଏକ ଗତିଷ୍ମାନ ଜୀବନ ର ନିଖୁଣ ଚରିତ୍ର ମାନଙ୍କର ଏକ ସମ୍ମେଳନ।ଓଡ଼ିଶାର ପୁରପଲ୍ଲୀର ନିଚ୍ଛକ ଚିତ୍ର ଜଗନ୍ନାଥ ଦାସଙ୍କ ଲେଖନୀ ମୁନରେ ହେଇଛି ପ୍ରାଣବନ୍ତ।ଓଡ଼ିଆ ବାରମାସରେ ତେର ପର୍ବ ରେ ଭାଗବତ ହିଁ ମୂଖ୍ୟ ଆଧାର।ଓଡ଼ିଆ ର ପ୍ରତ୍ୟେକ କର୍ମରେ ଲୋଡାହୁଏ ଭାଗବତ।ଏପରିକି ଜୀବ ଯିବା ସମୟରେ ଭାଗବତ ପାଠ କରାଯାଏ।ଭାଗବତ ମୋ ମତରେ ଭା-ଭାଷା,ଗ-ଜ୍ଞାନ,ବ-ବାର୍ତ୍ତା, ତ-ତତ୍ତ୍ୱ।ଅର୍ଥାତ ଭାଗବତ ଯେଉଁ ଭାଷାରେ ବର୍ଣ୍ଣନା କରାଯାଇଛି ତାହା ପ୍ରାକୃତ କଥିତ ଭାଷା ଯାହା ଓଡ଼ିଆ ଭାଷା କୋଷକୁ ସମୃଦ୍ଧିଶାଳୀ କରିବ ଯୁଗ ଯୁଗ ଧରି।,ଭାଗବତ ପାଠ ନିଶ୍ଚିତଭାବେ ଏକ ପ୍ରକୃତ ଜ୍ଞାନ ର ଗନ୍ତାଘର,ଭାଗବତ ପଠନରେ ଆଚରଣ ଓ ଉଚ୍ଚାରଣ ନିଶ୍ଚିତ ହେବା ସହ ମଧୁର ବାଣୀ ପରିସ୍ଫୁଟିତ ହୋଇ ଏହାର ପ୍ରତ୍ୟେକ କାହାଣୀରେ ଏକ ସ୍ୱତନ୍ତ୍ର ବାର୍ତ୍ତା ବିଦ୍ୟମାନ।
ଏହାବ୍ୟତୀତ ଜୀବନ ନିର୍ଯାସ ର ଗହନ କଥା ସରଳ ଭାବରେ ଜ୍ଞାତ ହୋଇଥାଏ।ଭାଗବତ ପଠନ ଓ ଶ୍ରବଣରେ ଅନନ୍ୟ ଭକ୍ତି ଭାବ ଧାରା ପ୍ଲାବିତ ହୋଇଥାଏ।ଓଡ଼ିଶାର ପ୍ରାକୃତିକ, ସାମାଜିକ, ସାସ୍କୃତିକ, ଅର୍ଥନୈତିକ, ରାଜନୈତିକ ଜୀବନ ଚେତନାର ପ୍ରେରଣାର ଉତ୍ସ ଓଡ଼ିଆ ଭାଗବତ।ଏକ ସମୃଦ୍ଧିଶାଳୀ ଓଡିଶା ଗଠନରେ ଭାଗବତ ଅତ୍ୟନ୍ତ ଉପାଦେୟ।ତତ୍କାଳୀନ ରାଜା ପ୍ରତାପ ରୁଦ୍ରଦେବ ଙ୍କ ଅମଳରୁ ଭାଗବତ ପୁରପଲ୍ଲୀରେ ପ୍ରଚାର ପ୍ରସାର ପାଇଁ ଗାଁ ଗାଁରେ ଗଢିଉଠିଲା ଭାଗବତ ଟୁଗୀଂ।ବିଶେଷକରି ମହାନଦୀ ଅବବାହିକାରେ ସମ୍ବଳପୁର ଠାରୁ କଟକ ଯାଏ ଅନେକ ଭାଗବତ ଟୁଗୀଂ ମୁଣ୍ଡଟେକିଲା। ପରେ ପରେ ବଲାଗୀଂର,ଖରିଆର,କଳାହାଣ୍ଡି ଅଞ୍ଚଳରେ ଭାଗବତ ଟୁଗୀଂମାନ ସ୍ଥାପନ ହୋଇ ସାରା ଓଡ଼ିଶାରେ ପ୍ରସାରିତ ହେଲା।ସେହି ସମୟରେ ଭାଗବତ ଟୁଗୀଂ ପାଳଟିଥିଲା ଗାଁର ପାଠାଗାର,ରାତ୍ରି ଶିକ୍ଷାଦାନ କେନ୍ଦ୍ର, ଧାର୍ମିକ ଆଲୋଚନା ସ୍ଥଳ ଏପରିକି ଗାଁର ପ୍ରତ୍ୟେକ ଆବଶ୍ୟକ ସ୍ଥଳେ ଭାଗବତ ଟୁଗୀଂ ଖୋଜା ପଡୁଥିଲା।ପ୍ରତ୍ୟହ ସଂଧ୍ୟାରେ ଭାଗବତ ପାଠ ହେଉଥିଲା।
ସମସ୍ତେ ଏକତ୍ରୀତ ରୁଣ୍ଡ ହୋଇ ବସୁଥିଲେ।ଏହାର ମର୍ମ ଗାଁର ଗୁଣିଜନ ମାନେ ବ୍ୟାଖା କରୁଥିଲେ।ଘରେ ଘରେ ଭାଗବତ ପାଠ ଆରମ୍ଭ ହେଲା।ଭାଗବତ ପାଠ କରିବା ପାଇଁ ବିଦ୍ୟା ଅଧ୍ୟୟନ କରୁଥିଲେ।ଗାଁ ମାନଙ୍କରେ ବିଦ୍ୟାର୍ଥିମାନଙ୍କ ସଂଖ୍ୟା ବଢିବାରେ ଲାଗିଲା।ଭାଗବତ ଅତ୍ୟନ୍ତ ଶ୍ରବଣଗ୍ରାହୀ ଏଣୁ ସମସ୍ତେ ଏହାର ପଦ ସବୁ ମନେ ମନେ ଅନାୟସରେ ଉଚ୍ଚାରଣ କରୁଥିଲେ।ଭାଗବତ ବାଣୀ ଜୀବନ ବଂଜିବାର ନୂତନ ରାହା ଦେଖାଇଲା।ପରସ୍ପର ସଂପର୍କ ଦୃଢିଭୂତ ହେଲା। ବିଚାର,ଚିନ୍ତନ,ସମର୍ପଣ, ସେବା ମନୋଭାବ ଜାଗରଣ ହେଲା।ଅଧ୍ୟାତ୍ମିକ ଜ୍ଞାନ ସହ ବୌଦ୍ଧିକ ଜ୍ଞାନ ଲାଭ ଅଧିକ ହେଲା।ସତ୍ୟଧର୍ମ ପ୍ରତି ଲୋକଙ୍କର ନିଷ୍ଠା ବଢିଲା।ଭାଗବତର ସାମଗ୍ରୀକ ମୂଲ୍ୟବୋଧ ପରୋପକାରାୟ ସ୍ୱର୍ଗାୟ ବାର୍ତ୍ତା ପ୍ରଦାନ କରେ।ଲୋକେ ଏହି ତତ୍ତ୍ଵ ବୁଝି ସେବା ସହଯୋଗର ହାତ ବଢେଇଲେ।ନିଜ ଧର୍ମ ନିଜ ଜ୍ଞାନ କୁ ଯେତିକି ନିଜର କଲେ ଅନ୍ୟ ଧର୍ମ ପ୍ରତି ସମ୍ମାନ ବୋଧ ସମପରିମାଣରେ ରହିଲା।ଭାଗବତ ସହିଷ୍ଣୁତା ବୃଦ୍ଧି କରିଥାଏ।ତେଣୁ ତ ଭାଗବତକାର କହିଲେ “ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ।ଯେ ଅନ୍ୟ ଶାସ୍ତ୍ର ଗୁଣଦୋଷ ମୁଖେ ନକରିବ ପ୍ରକାଶ”।।
ବାସ୍ତବରେ ସେଥିପାଇଁ କହନ୍ତି ଅନ୍ୟ ଦୋଷ ଦେଖିବା ପୂର୍ବରୁ ନିଜ ଗୁଣଦୋଷକୁ ନିରୀକ୍ଷଣ କର।ବିଡମ୍ବନା ଆଜିକାଲି ଅନ୍ୟ କୁ ଦୋଷାରୋପ କରିବାରେ ଯେତିକି ତତ୍ପରତା ପ୍ରକାଶ କରନ୍ତି ନିଜକୁ ସଜାଡିବାରେ ସମୟ ପାଆନ୍ତି ନାହିଁ। “କହି ଦେଉଥାଏ ପରକୁ। ବୁଦ୍ଧି ନ ଦିଶଇ ନିଜକୁ”।।ଭାଗବତ ଉଭୟ କର୍ମ ଓ ଧର୍ମ ର କଥା କହିଥାଏ।”କୃଷ୍ଣ ଅର୍ଜିତ ଯେତେ କର୍ମ।ସେ ଅଟେ ଭାଗବତ ଧର୍ମ”।।ଭାଗବତ ସାକ୍ଷର ହାର ବୃଦ୍ଧି ରେ ଯେ ସହାୟକ ହୋଇଥାଏ ଅସ୍ବୀକାର କରିହେବ ନାହିଁ।୧୯୦୧ମସିହାରେ ଓଡ଼ିଶାର ସାକ୍ଷରତା ହାର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ ଥିଲା।କାରଣ ସେତେବେଳେ ଭାଗବତ ଟୁଗୀଂ ବହୁଳ ଭାବରେ ଆରମ୍ଭ ହୋଇଥିଲା। ପରାଧିନ ଭାରତରେ ଶିକ୍ଷା ବୃଦ୍ଧି କ୍ଷେତ୍ରରେ ଚାଟଶାଳୀ ପରି ଭାଗବତ ଟୁଗୀଂ କାର୍ଯ୍ୟ କରିଥିଲା।ବର୍ତ୍ତମାନ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଗାଁରେ ଭାଗବତ ଟୁଗୀଂ ସ୍ଥାପନ କରିବାର ଆବଶ୍ୟକତା କୁ ଏଡେଇଦିଆ ଯାଇନପାରେ।
୨୦୧୪-୧୫ ମସିହାରେ ଓଡ଼ିଶା ସରକାର ଭାଗବତ ଟୁଗୀଂ ର ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣକରିଛନ୍ତି।ଏବଂ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରିଛନ୍ତି।କିନ୍ତୁ ଏହି ଅଭିଯାନ ଏତେ ଫଳପ୍ରଦ ହେବାର ପରିଲକ୍ଷିତ ହୋଇପାରିନାହିଁ।ଓଡ଼ିଶାର ହୃତଗୌରବ ଫେରେଇ ଆଣିବାକୁ ହେଲେ ଓଡିଶା ସରକାରଙ୍କୁ ପ୍ରତ୍ୟେକ ଗାଁ ରେ ଭାଗବତ ଟୁଗୀଂ ସ୍ଥାପନ କରିବାର ଆବଶ୍ୟକତା ରହିଛି।ଭାଗବତ ଟୁଗୀଂ ସ୍ଥାପନ କରିବାର କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରାଯାଉ।ସହୃଦୟତାସହ ସରକାର ବିଚାର କରନ୍ତୁ।ଗୋଟେ ଦଂଶଦ୍ଧି ଧରି ଏକ ପ୍ରକାର ପରୀକ୍ଷା ମଧ୍ୟ କରାଯାଉ।ଯେତେ ପରିମାଣରେ ଭାଗବତ ଟୁଗୀଂ ସ୍ଥାପିତ ହେବ ସାକ୍ଷରତା ହାର ବଢିବା ସହ ଗାଁ ପରିବେଶ ସୁସ୍ଥ,ସୁନ୍ଦର, ନିର୍ମଳ ହେବ ।
ଲୋକଙ୍କ ଚାଳିଚଳନ,ଆଚାର ବ୍ୟବହାର ରେ ଅନେକ ପରିବର୍ତ୍ତନ ଦେଖାଯିବ।ଭାଗବତ ପଠନ,ମନନ,ଶ୍ରବଣ,ଧ୍ୟାନ,ଧାରଣା କରିବା ରହସ୍ୟମୟ ଜୀବନର ତାତ୍ପର୍ଯ୍ୟ ବୁଝିପାରିବା।କାରଣ ଭାଗବତ ହେଉଛି ସୃଷ୍ଟି ବିଜ୍ଞାନ, ଜ୍ୟୋତିଷ ଵିଜ୍ଞାନ,ବିବର୍ତନବାଦ, ଭୂଗୋଳ, କିମ୍ଭଦନ୍ତି,ନୃତ୍ୟ, ସଂଗୀତ,ଯୋଗ,ସଂସ୍କୃତି ର ଏକ ଗନ୍ତାଘର।