ଭଦ୍ରକ ଏଫ.ସି.ଆଇ ଗୋଦାମରୁ ୫ଶହ ବସ୍ତା ପିଡିଏସ୍ ଗହମ ଗାୟବ : ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ, କାର୍ଯ୍ୟାନୁଷ୍ଠାନ ଅସ୍ପଷ୍ଟ
ଭଦ୍ରକ,୦୩ ।୦୮(Umakalayan Mohapatra):ଭଦ୍ରକ ରାଣୀତାଲ ସ୍ଥିତ ଏଫ.ସି.ଆଇ(ଭାରତୀୟ ଖାଦ୍ୟ ନିଗମ)ଗୋଦାମରୁ ୫ଶହ ବସ୍ତା ପିଡିଏସ୍(ସାଧାରଣ ବଣ୍ଟନ ବ୍ୟବସ୍ଥା)ଗହମ ଗାୟବ ହୋଇଯିବା ନେଇ ଭିଡିଓ ଭାଇରାଲ ହେବା ପରେ ଜୋରଦାର ଚର୍ଚ୍ଚା ଧରିଛି । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଏଫ୍.ସି.ଆଇର ଜଣେ ଡିଜିଏମ୍, ବାଲେଶ୍ୱର ସ୍ଥିତ ଏରିଆ ମ୍ୟାନେଜର ପ୍ରମୁଖ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ: ଭଦ୍ରକ ରାଣୀତାଲ ସ୍ଥିତ ଏଫ୍.ସି.ଆଇ ଗୋଦାମରୁ ଗତ ୩୧ ତାରିଖ ପୂର୍ବାହ୍ନ ସାଢେ ୧୧ଟା ସମୟରେ ତାରିଣୀ ଟ୍ରାନ୍ସପୋଟିଂ ସ୍ଥଂସ୍ଥାର ଏକ ୧୦ଚକିଆ ଟ୍ରକରେ ଗୋଦାମରେ ମହଜୁଦ ଥିବା ପ୍ରାୟ ୫ଶହ ବସ୍ତା(୫ଶହ କ୍ୱିଣ୍ଟାଲ)ଗହମ ଲୋଡିଂ ହୋଇ ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ଗହମ ନେଇ ପଳାଇଥିଲା । ଏହି ଲୋଡିଂ ହେବା ଦୃଶ୍ୟକୁ କେତେକ ମୋବାଇଲରେ ଭିଡିଓ ସୁଟ୍ କରିଥିଲେ । ପରେ ଏହି ଗହମ ଗାଡି ପଳାଇବା ନେଇ ସେହି ଦିନ ବାଲେଶ୍ୱର ସ୍ଥିତ ଏରିଆ ମ୍ୟାନେଜରଙ୍କୁ ପଠାଇଥିଲେ ।
ପରେ ମଧ୍ୟାହ୍ନରେ ଏରିଆ ମ୍ୟାନେଜର ଆସି ଏଫ.ସି.ଆ ଗୋଦାମ ଯାଞ୍ଚ କରିବା ସହ ସିଲ୍ କରିଥିଲେ । ଏଥିସହ ୩ଜଣ ଓ୍ୱାଚ୍ମେନ ଓ ଭଦ୍ରକ ମ୍ୟାନେଜରଙ୍କ ଠାରୁ ଲିଖିତ ମତାମତ ନେଇଥିଲେ । ଘଟଣାର ପରଦିନ ଅର୍ଥାତ ୧ତାରିଖ ଦିନ ଏଫ.ସି.ଆଇର ଜଣେ ବରିଷ୍ଠ ଡିଜିଏମ୍ ଓ ଅନ୍ୟ ପଦାଧିକାରୀମାନେ ଆସି ଘଟଣାର ତଦନ୍ତ କରିଥିଲେ । ଅନୁରୂପଭାବେ ଆଜି ପୂର୍ବାହ୍ନରେ ବି ନିଗମର ବରିଷ୍ଠ ପଦାଧିକାରୀମାନେ ଆସି ରାଣୀତାଲ ସ୍ଥିତ ଡିପୋରେ ପହଁଞ୍ଚି ଥିଲେ । ପରେ ଦୀର୍ଘ ଘଣ୍ଟାକାଳ ମୁଖ୍ୟଫାଟକରେ ତାଲା ପକାଇ ତଦନ୍ତ ଚାଲିଥିଲା । ଏହି ଭିଡିଓ ଭାଇରାଲ ହେବା ନେଇ ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ତଥ୍ୟ ହାସଲ ଓ ତଦନ୍ତରେ ଆସିଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ବି ସେମାନଙ୍କୁ ଯିବାକୁ ଓ୍ୱାଚ୍ମେନ ସିଧାସଳଖ ମନା କରି ଫାଟକର ଚାବି ଖୋଲି ନଥିଲେ ।
ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏଫ୍.ସି.ଆଇର ଜିଏମ୍, ଡିଜିଏମ୍ ଓ ବାଲେଶ୍ୱର ସ୍ଥିତ ଏରିଆ ମ୍ୟାନେଜରଙ୍କୁ ତଦନ୍ତ ସମ୍ପର୍କରେ ଜାଣିବାକୁ ବହୁବାର ସେମାନଙ୍କମୋବାଇଲ(ନଂ-୭୦୭୭୭୦୫୬୦୦, ୮୬୩୭୨୧୬୫୬୬ ଓ ୭୦୭୭୭୦୫୬୩୫)ଙ୍କୁ ଯୋଗାଯୋଗ କରିଥିଲେ ବି ସେମାନେ ମୋବାଇଲ ଫୋନ୍ ଉଠାଇନଥିଲେ । ଯାହାକି ସମୁଦାୟ ଗହମ ଗାୟବ ଘଟଣାକୁ ଅଧିକ ସନ୍ଦେହାଚ୍ଛନ୍ନ କରିଛି । ସରକାର ସାଧାରଣ ଜନତାଙ୍କ ପାଇଁ ପ୍ରଦାନ କରୁଥିବା ପ୍ରାୟ ୫ଲକ୍ଷ ଟଙ୍କାର ଗହମକୁ ଏକ ଟ୍ରାନ୍ସପୋଟ ସଂସ୍ଥାର ଗାଡି କୁଆଡେ (?)ଓ କାହା(?)ଇଙ୍ଗିତରେ ନେଲା ଏଥିନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଘଟଣା ନେଇ ଏଫ୍.ସି.ଆଇ କର୍ତ୍ତୃପକ୍ଷ ଥାନାରେ କୌଣସି ଅଭିଯୋଗ ନକରିବା ସନ୍ଦେହକୁ ଅଧିକ ଦୃଢିଭୂତ କରିଛି । କେବଳ ଏହି ଗୋଟିଏ ଗହମ ଭର୍ତ୍ତି ଟ୍ରକ ନୁହେଁ ନିରପେକ୍ଷ ତଦନ୍ତ ହେଲେ ଅନେକ ଗାୟବ ଘଟଣାର ପଦାଫାସ ହେବ ବୋଲି ମଧ୍ୟ ଅଭିଯୋଗ ହୋଇଛି
