ଭଦ୍ରକ :ଭଦ୍ରକ ସହରାଞ୍ଚଳରେ ପ୍ରଶାସନର “ଲକ୍ଡାଉନ’ର ସୁଯୋଗ ନେଇ ଚୋରା ବିଦେଶୀ ମଦର କାରବାର ବଢି ଚାଲିଛି । ଗତ ୨ଦିନ କାଳ ଟାଉନ ପୋଲିସ ପୃଥକ୍ ପୃଥକ୍ଭାବେ ଚଢାଉ କରି ୨ଟି ସ୍ଥାନରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିଛି । ଘଟଣାରେ ୨ଜଣ ଚୋରା ବେପାରୀ ବି ଗିରଫ୍ ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟଧାରା ନେଇ ସାଧାରଣରେ ସ୍ୱତଃ ସନ୍ଦେହଜାତ ହୋଇଛି । ପ୍ରକାଶ ଯେ, ଭଦ୍ରକ ବଙ୍କସ୍କୁଲ ନିକଟରେ ଏକ ଘରେ ଚୋରା ମଦବିକ୍ରି ହେଉଥିବା ଜାଣିବା ପରେ ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢାଉ କରି ବହୁ ପରିମାଣର ବିଦେଶୀ ମଦ ଜବତ କରିଥିଲା ।
ଘଟଣାରେ ଚୋରା ବେପାର କରୁଥିବା ରଣଜିତ ସାହୁକୁ ପୋଲିସ ଗିରଫ୍ କରିଥିଲା । ଅନ୍ୟପକ୍ଷରେ ଚରମ୍ପା ଅଞ୍ଚଳରେ ପ୍ରବଳ ଚୋରା ମଦ କାରବାର ହେଉଥିବା ଖବର ପାଇ ଟାଉନ ପୋଲିସ ଚଢାଉ କରି ବିପୁଳ ପରିମାଣର ବିଦେଶୀ ଚୋରା ମଦ ଜବତ କରିଥିଲା । ଏହି ଚୋରା କାରବାର କରୁଥିବା ମୋହନ ଓରଫ୍ ପ୍ରଦୀପ ବେହେରାକୁ ପୋଲିସ ଗିରଫ୍ କରିଥିଲା । ଲଗାତରଭାବେ ସହରାଞ୍ଚଳର ୨ଟି ସ୍ଥାନରୁ ପୋଲିସ ଚଢାଉ କରି ଚୋରା ବିଦେଶୀ ମଦ ଜବତ କରିବାରେ ସକ୍ଷମ ହୋଇଥିଲେ ବି ଏଠାକାର ଅବକାରୀ ବିଭାଗ ଚେଇଁ ଶୋଇବା ଘଟଣା ବୁଦ୍ଧିଜୀବୀ ମହଲକୁ ଚକିତ କରିଛି
