ଭଦ୍ରକ :ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତା ସମୀପରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଭଙ୍ଗା ନୋଟିସ ପାଇ ବାସୁଦେବପୁର ଅଞ୍ଚଳର ଅଗଣିତ ଭକ୍ତ ସମୂହ ବ୍ୟଥିତ ହେବା ସହ ଏ ନେଇ ଭଦ୍ରକ ଜିଲ୍ଲା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଗଭୀର ଉଦ୍ବେଗ ପ୍ରକଟ କରିଛି । ସମିତି ପକ୍ଷରୁ ସର୍ବ ସମ୍ମତି କ୍ରମେ ଏ ସମ୍ପର୍କରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଏହି ପ୍ରସ୍ତାବରେ ବାସୁଦେବପୁର ଜାମୁଝାଡି ରାସ୍ତା ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ରାସ୍ତା ପ୍ରଶସ୍ତି କରଣ ନିମନ୍ତେ ଭଙ୍ଗାଯିବ ବୋଲି ଏକ ନୋଟିସ ପ୍ରଦାନ କରାଯାଇଥିବା ବେଳେ ଏହାର ବିକଳ୍ପ ଭାବେ ମନ୍ଦିର ପ୍ରତିଷ୍ଠା ପାଇଁ ଅନ୍ୟତ୍ର ଅନ୍ୟ କୌଣସି ସ୍ଥାନରେ ଜମି ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ମନ୍ଦିର ପାଇଁ ଅନ୍ୟତ୍ର ଜମି ନ ଯୋଗାଣ ହେବା ପର୍ଯ୍ୟନ୍ତ ମନ୍ଦିର ନ ଭାଙ୍ଗିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି ।
ଜାଗା ନ ଯୋଗାଇ ମନ୍ଦିର ଭଙ୍ଗା ଗଲେ ଜନ ଅସନ୍ତୋଷ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ପ୍ରଚାର ସମିତି ପକ୍ଷରୁ ଦିଆ ଯାଇଥିବା ଏହି ପ୍ରସ୍ତାବକୁ ଜିଲ୍ଲାପାଳ ସୁବିଚାର କରି ତୁରନ୍ତ ଜମି ଓ ଅର୍ଥ ଯୋଗାଇବାକୁ ଅନୁରୋଧ କରିଛନ୍ତି ।