ଭଦ୍ରକ :ଭଦ୍ରକ ଜିଲ୍ଲାରେ ମହାମାରୀ “କରୋନା’ସ୍ଥିତି ଅସମ୍ଭାଳ ଆଡକୁ ମୁହାଁଇଛି । ଆଜି ଦିନରେ ସର୍ବାଧିକ ୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଜିଲ୍ଳାରେ କରୋନା ଭୟର ଆତଙ୍କ ଦେଖାଯାଇଛି । ଜୁଲାଇ ଶେଷ ସୁଦ୍ଧା କରୋନା ଯେଉଁ ଉକିଟ ଓ ଭୟଙ୍କର ରୂପ ନେବ ବୋଲି ଆକଳନ କରାଯାଉଥିଲା ଏହା ବାସ୍ତବରେ ପରିଣତ ହେବ ବୋଲି ମତପ୍ରକାଶ ପାଇଛି । ପୂର୍ବରୁ ପୌରପାଳିକା, ତହସିଲ କାର୍ଯ୍ୟାଳୟ ଓ ଥାନାକୁ କରୋନା କବଳିତ କରିଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଜଣେ କର୍ମଚାରୀ ଆକ୍ରାନ୍ତ ହେବା ଘଟଣା ପ୍ରଶାସନର ଗୁରୁତ୍ୱପୂଣ୍ଣ ବିଭାଗ ଗୁଡିକୁ ଦୋହଲାଇ ଦେଇଛି ।
ଆଜିର ଚିହ୍ନଟଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ଓ ଖୋଦ ଜିଲ୍ଲାପାଳ ନିଜେ ହୋମ୍ କ୍ୱାରେନଟାଇନ୍ରେ ରହିବା ପରେ ଅଫିସର ଓ କର୍ମଚାରୀମହଲ ଭୟଭୀତ ହେବା ସହ ଅଫିସ ଯିବାକୁ ଭୟ କରୁଥିବା ଜଣାଯାଇଛି । କେବଳ ଲକ୍ଡାଉନ ଘୋଷଣା କରି ସାମାଜିକ ଦୂତତା ରକ୍ଷାକୁ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ ବୋଲି ବୁଦ୍ଧିଜୀବୀ ମହଲ ମତପ୍ରକାଶ କରିଛି । ପ୍ରଶାସନର ଦିନ ୧ଟାରେ ବଜାର ବନ୍ଦ ନିଷ୍ପତ୍ତି ପରେ ଭଦ୍ରକ ସହରରେ ଆଜି ଦିନ ୧୦ରୁ ୧୨ଟା ମଧ୍ୟରେ ପ୍ରବଳ ଭିଡ ଲାଗିଥିଲା । ସତେ ଅବା ୫୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଖୁସିରେ ଲୋକେ ବଜାର ଜାମ କରୁଛନ୍ତି କି ବୋଲି କେତେକ ତାଚ୍ଛଲ୍ୟ କରି କହିଛନ୍ତି । “କରୋନା’ ର ପ୍ରାଥମିକ ପର୍ଯ୍ୟାୟର ସର୍ଟଡାଉନ ଭଳି କଠୋର ପଦକ୍ଷେପ ନେବାର ଏବେ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇବା ୨ସପ୍ତାହ ଲାଗି ସର୍ଟଡାଉନ କରି ଅମାନିଆଙ୍କୁ ସାବାଡ କରିବାକୁ ଦାବି ହୋଇଛି । ନଚେତ୍ ଜିଲ୍ଲାରେ କରୋନା ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବା ନିଶ୍ଚିତ ବୋଲି କୁହାଯାଉଛି ।
ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ଭଦ୍ରକ ତହସିଲ, ଭଦ୍ରକ ପୌରପାଳିକା ଓ ଅନ୍ୟ ସରକାରୀ ବିଭାଗର କର୍ମଚାରୀମାନେ ହେଡକ୍ୱାଟର ହସ୍ପିଟାଲକୁ ଯାଇ କରୋନା ପାଇଁ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଭିଡ ଜମାଇଥିଲେ । ସେହିପରି ଆଜି ସର୍ବାଧିକ ସଂଖ୍ୟକ କରୋନା ପଜେଟିଭ୍ ଚିହ୍ନଟ ହେବା ଓ ସରକାରୀ ଅଧିକାରୀମାନେ ଆକ୍ରାନ୍ତ ହେବା ଖବର ଜାଣିବା ପରେ ଜନସାଧାରଣରେ ବି ଭୟ ସୃଷ୍ଟି ହୋଇଛି । ବିଶେଷ କରି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ଆଗକୁ ଗୋଷ୍ଠୀ ସଂକ୍ରମଣର ଆଶଂଙ୍କାରେ ଭଦ୍ରକ ଜିଲ୍ଲାବାସୀ ଭୟଭୀତ ହୋଇ ପଡିଛନ୍ତି । ଆଜି ଚିହ୍ନଟ ହୋଇଥିବା ୫୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ସରକାରୀ କରୋନା ଯୋଦ୍ଧାଙ୍କୁ ମିଶାଇ ୨୦ଜଣ ସ୍ଥାନୀୟ ସଂକ୍ରମଣରେ ଶିକାର ହୋଇଛନ୍ତି ।
ଅନ୍ୟ ୩୮ଜଣ ଟିଏମ୍ସିରେ ଥିବା ଜଣାଯାଇଛି । ଚିହ୍ନଟ ସ୍ଥାନୀୟ ସଂକ୍ରମଣରେ ଶିକାରଙ୍କ ମଧ୍ୟରୁ-୬ଜଣ ଧାମନଗର ଥାନାର କର୍ମଚାରୀ ହୋଇଥିବା ବେଳେ, ୧୦ରୁ ଅଧିକ ସହରାଞ୍ଚଳର ଅଧିବାସୀ ଅଛନ୍ତି । କାନ୍ତକବି ନଗର, ସାବନବଜାର, ଚରମ୍ପା ରାଇସ୍ ମିଲ, ୪ଜଣ ବଙ୍କସାହି ଅଞ୍ଚଳର, ବାଉଦପୁର, ଅବତ୍ତିବିନ୍ଧା, ଚରମ୍ପା ଶୁକ୍ତସାହି ଥିବା ବେଳେ ତିହିଡି, ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଲକରୁ ବି ଅନେକ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୧ରେ ପହଞ୍ଚିଛି । ଏଥିରୁ ୩୦୩ଜଣ ସୁସ୍ଥ ହୋଇଥିବା ବେଳେ ୭୮ଟି ଆକଫିଭ୍ କେଶ ରହିଥିବା ପ୍ରଶାସନ ସୂଚନା ଦେଇଛି । ସେହିଭଳି ଜିଲ୍ଲାରେ ଆଜିସୁଦ୍ଧା ୧୨୯୧୩ଜଣଙ୍କ ସ୍ୱାବ ପରୀକ୍ଷା ସରିଛି
