ତିହିଡି :ସାଳନ୍ଦୀ ନଦୀରୁ ସୃଷ୍ଟି ଦଶମୌଜା କେନାଲ ଭଦ୍ରକ ଉତ୍ତରବାହିନୀ ଠାରୁ ବାହାରି ତିହିଡି ବ୍ଲକ ଅନ୍ତର୍ଗତ ଅର୍ଜୁନବିନ୍ଦା ଯାଏଁ ଯାଇଛି । ଏହି କେନାଲ ଦ୍ୱାରା ଭଦ୍ରକ ବ୍ଲକର କିଛି ପଞ୍ଚାୟତ ସମେତ ତିହିଡି ବ୍ଲକର ପ୍ରାୟ ୧୦ରୁ ଉର୍ଦ୍ଧ୍ୱର୍ ପଞ୍ଚାୟତର ଚାଷୀ ମାନେ ଜଳସେଚନ ପାଇଁ ନିର୍ଭର କରିଥାନ୍ତି । ବିଶେଷକରି ବର୍ଷାଭାବ ସମୟରେ ଏହି କେନାଲରେ ପାଣି ଆସିବା ଦ୍ୱାରା ଚାଷୀମାନେ ଅନେକାଂଶରେ ଉପକୃତ ହୋଇଥାନ୍ତି । ମାତ୍ର ଏହି କେନାଲ ଏବେ ବିଲାତି ଦଳରେ ପରିପୂର୍ଣ୍ଣ ହୋଇଥିବା ଯୋଗୁଁ ଏଥିରେ ଜଳ ପ୍ରବାହିତ ହେବା ନେଇ ପ୍ରତିବନ୍ଧକ ସୃଷ୍ଟି ହୋଇଛି । କେତେବେଳେ କେନାଲର ଉପର ମୁଣ୍ଡରେ ବନ୍ଦ ପକାଇ ଚାଷୀ ମାନେ ପାଣିକୁ ଅବରୋଧ କରୁଥିବା ବେଳେ ପୁଣି କେତେବେଳେ କେନାଲ ବନ୍ଧକୁ ବେଆଇନ ଭାବେ ଜବରଦଖଲ କରି ଏହାକୁ ସଙ୍କୁଚିତ କରିବାକୁ ଉଦ୍ୟମ କରୁଛନ୍ତି ।
ଯାହାଫଳରେ କେନାଲ ପାଣି ତଳମୁଣ୍ଡ ଯାଏଁ ପହଞ୍ଚିବାରେ ଅସୁବିଧା ହେଉଛି । ଏହାବାଦ୍ ବିଲାତି ଦଳ ଓ ଅଳିଆ ଆବର୍ଜନା ନିୟମିତ କେନାଲରେ ପଡିବା ଦ୍ୱାରା ଏହା ଧୀରେ ଧୀରେ ପୋତି ହୋଇପଡୁଛି । ପ୍ରାୟ ପ୍ରତିବର୍ଷ ଜଳସେଚନ ବିଭାଗ ପକ୍ଷରୁ କେନାଲ ସଂସ୍କାର ଦିଗରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାର ଅଧିକାଂଶ ଭାଗ ବାଟମାରଣା ହେଉଛି । ଯାହାଫଳରେ କେନାଲ ଅବସ୍ଥାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ । କେବଳ ସେତିକି ନୁହେଁ ପାଣି ଟୋପେ ନ ପାଇ ମଧ୍ୟ ଚାଷୀମାନେ ପ୍ରତିବର୍ଷ ଜଳ କର ଦେବାକୁ ବାଧ୍ୟ ହେଉଛନ୍ତି । ଚଳିତବର୍ଷ ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦଶମୌଜା କେନାଲରେ ପାଣି ମଧ୍ୟ ଛଡା ଯାଇଛି । ମାତ୍ର ଏହି ପାଣି ଏଯାବତ୍ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ପାଖରେ ପହଞ୍ଚିପାରିନି । ଇତିମଧ୍ୟରେ ହଦଗଡ ଡ୍ୟାମର ପାଣି ସାଳନ୍ଦୀରେ ଆସି ଅନ୍ୟ ପଞ୍ଚାୟତ ମାନଙ୍କରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଥିବା ବେଳେ ସାଳନ୍ଦୀରୁ ବାହାରିଥିବା ଏହି କେନାଲରେ ପାଣି ଏଯାବତ ଚାଷୀଙ୍କ ବିଲରେ ନ ପହଞ୍ଚିବା ପରିତାପର ବିଷୟ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
