Odisha news

ଭଦ୍ରକ ପ୍ରଶାସନର ସନ୍ଧ୍ୟା ୭ରୁ ଦୋକାନ ବନ୍ଦ କଟକଣା “ସନ୍ଧ୍ୟା ଉଠାଦୋକାନୀଙ୍କ ଆଖିରେ ଆଣିଛି ଲୁହ’

0

ଭଦ୍ରକ :”କରୋନା’ କଟକଣାରେ ଦୀର୍ଘ ସାଢ ୩ମାସ କାଳ “ଲକ୍‍ଡାଉନ’ ଓ “ସର୍ଟଡାଉନ’ ଘୋଷଣା ହେବା ପରେ ଭଦ୍ରକ ବଜାରରେ ସନ୍ଧ୍ୟା ସମୟରେ ପରିବାର ଚଳାଉଥିବା ରାସ୍ତାକଡର ଛୋଟ ଉଠାଦୋକାନୀ(ଷ୍ଟିଟଭେଣ୍ଡର)ମାନେ ଘୋର ଆର୍ଥିକ ଅନାଟନରେ ଶିକାର ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଭଦ୍ରକ ପୌରପାଳିକାରେ ୨୦୧୬-୧୭ତାଲିକା ଅନୁଯାୟୀ ମାତ୍ର ସାଢେ ୪ଶହ କେବଳ ୩ହଜାର ଟଙ୍କାର ଅନୁଦାନ ପାଇଲେ, ହେଲେ ଶହଶହ ଉଠାଦୋକାନୀ ତାଲିକାରେ ନାଁ ନଥିବାରୁ ଏଥିରୁ ବଞ୍ଚିତ ହେଲେ । ଏଭଳି ପରିସ୍ଥିତରେ ଗତ ଜୁନ୍‍ ୩୦ରୁ ଲକ୍‍ଡାଉନ ଉଠିବା ପରେ ଏହି ଉଠାଦୋକାନୀଙ୍କ ଆର୍ଥିକ ସ୍ଥିତି ସୁଧୁରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ରାତି ୧୦ଟା ଓ ୯ଟା ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଥିଲେ । ତେବେ ଭଦ୍ରକ ଜିଲ୍ଲା ପ୍ରଶାସନ କିନ୍ତ ଏହି ନିୟମକୁ ପରିବର୍ତ୍ତନ କରି ସନ୍ଧ୍ୟା ୭ରୁ ସବୁ ଦୋକାନ ବଜାର ବନ୍ଦ କରିବାକୁ କଟକଣା ଜାରି କରିଛନ୍ତି ।

ଜିଲ୍ଲା ପ୍ରଶାସନର ଏହି ନିୟମ ଦୀର୍ଘ ମାସ ହେବ ଭୋକରେ ରହିଥିବା ଉଠା ଦୋକାନୀଙ୍କ ମଧ୍ୟରେ ଅଧିକ ନୈରାଶ୍ୟ ଦେଖାଦେଇଛି । ଆଗକୁ ଏହି କଟକଣା ବଳବତ୍ତର ରହିଲେ, ସନ୍ଧ୍ୟାରେ ଉଠାଦୋକାନ କରୁଥିବା ଏହି ପରିବାର ଗୁଡିକ ବିପର୍ଯ୍ୟୟରେ ସାମ୍ନା କରିବା ନିଶ୍ଚିତ ବୋଲି ସେମାନେ କହିଛନ୍ତି । ସହରାଞ୍ଚଳର ଗାନ୍ଧି ପଡିଆ ଛକରେ ଦୀର୍ଘ ୧ଦଶନ୍ଧି ଧରି ପକୁଡି ଦୋକାନ କରି ଜୀବିକା ନିର୍ବାହ କରୁଥିବା ଗମୁ ଦେ କୁହନ୍ତି : ସନ୍ଧ୍ୟା ୭ରୁ ମୋ ପକୁଡି ବେପାର ଚାଲେ, ଗ୍ରାହକ ଆସନ୍ତି । ତେବେ ଦୀର୍ଘମାସ ଧରି ଦୋକାନ ବନ୍ଦ ପରେ ଜୁଲାଇ ମାସରୁ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲି । ତେବେ ଜିଲ୍ଲା ପ୍ରଶାସନର ସନ୍ଧ୍ୟା ୭ରେ ଦୋକାନ ବନ୍ଦ ନିଷ୍ପତ୍ତି ମୋ ରୋଜଗାରକୁ ଛଡେଇ ଦେଲା । କେମିତି ଚଳିବି କିଛି ଚିନ୍ତା କରି ପାରୁନି ବୋଲି ଗମୁ କହିଛନ୍ତି । ସେହିପରି ନୂଆବଜାର ଛକରେ ଗୁପଚୁପ୍‍ ଦୋକାନ କରିଥିବା ଜାଗ୍ରତ ବାରିକ, ପୋଷ୍ଟ ଅଫିସ ଛକରେ ଗୁପଚୁପ୍‍ ଦୋକାନୀ ମୁକ୍ତିକାନ୍ତ ସାହୁ ବି ସମାନ କଥା କହିଛନ୍ତି । ସନ୍ଧ୍ୟା ନହେଲେ ଆମ ଦୋକାନରୁ ଗୁପଚୁପ୍‍ ଖାଇବାକୁ କେହି ଆସିବେ ନାହିଁ । ଆମ ବେପାର ସନ୍ଧ୍ୟାରୁ ରାତି ୮ଟା ଯାଏଁ ଚାଲେ ।

କରୋନା କଟକଣା ପାଇଁ ପାଖରେ ପଇସା ନାହିଁ, ବହୁ କଷ୍ଟରେ ଚଳୁଛୁ ବୋଲି ଛଳଛଳ ଆଖିରେ ଏହି ପ୍ରତିନିଧିକୁ କହିଛନ୍ତି । ସେହିପରି ଦୀର୍ଘ ୨୦ବର୍ଷ ହେବ କଲେଜରୋଡରେ ଠେଲା ଗାଡିରେ ଚଟପଟି ବିକ୍ରି କରୁଥିବା ଦିନେଶ ଚୌଧୁରି କୁହନ୍ତି : ମୋ ବେପାର ସନ୍ଧ୍ୟାରୁ ୭ରୁ ଆରମ୍ଭ ହୁଏ । ହେଲେ ପ୍ରଶାସନର କଟକଣା ଯୋଗୁଁ ଦିନକୁ ମୋ ଖର୍ଚ୍ଚ ତୁଲାଇବା ମୁସ୍କିଲ, ପରିବାର ଚଳିବାର ପ୍ରଶ୍ନ ଉଠୁନି । ଆମେ ଭଡାଘରେ ରହିଛୁ । ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସହାୟତାବି ଟଙ୍କାଟିଏ ପାଇନୁ । ଜିଲ୍ଳା ପ୍ରଶାସନର ନୂତନ କଟକଣା ବେଡି ଉପରେ କରୋଡା ମାଡ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବହୁ ଠେଲାରେ ଦୋକାନ କରୁଥିବା ଛୋଟ ବେପାରୀ ସେମାନଙ୍କ ଠେଲାକୁ ରଖି ସହରଛାଡି ଗାଁକୁ ଚାଲିଯାଇଥିବା ଜଣାଯାଇଛି । ଉଠାଦୋକାନୀଙ୍କ ଦୁର୍ଦ୍ଦଶା ନେଇ ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ ପ୍ରଶାସନ ନୂତନ କଟକଣାକୁ ପରିବର୍ତ୍ତନ କରି ସନ୍ଧ୍ୟା ୭ ପରିବର୍ତ୍ତେ ରାତି ୯ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦେଲେ ଶହଶହ ଗରିବ, ଅସହାୟ ଉଠାଦୋକାନୀ ଭୋକ ଉପାସରୁ ବର୍ତ୍ତିଯାଇପାରନ୍ତେ ବୋଲି ଦାବି କରିଛନ୍ତି ।

Leave A Reply