ଭଦ୍ରକ : ପ୍ରବାସୀ ଓ କ୍ୱାରେନଣ୍ଟାଇନରେ ରନ୍ଧାଖାଦ୍ୟ ଯୋଗାଣ , ଲକ୍ଷାଧିକ ଟଙ୍କାର ବିଲ୍ ପେମେଣ୍ଟକୁ ନେଇ ଜିଲ୍ଲାପାଳଙ୍କ ଖୋଳତାଡ ଆରମ୍ଭ
ଭଦ୍ରକ :କୋଭିଡ୍-୧୯ ଭଳି ବିଶ୍ୱ ମହାମାରୀକୁ ଭଦ୍ରକରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଏନଜିଓ ମାନେ ମହାମାରୁରେ ପରିଣତ କରିଛନ୍ତି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଖୋଦ୍ ଜିଲ୍ଲାପାଳଙ୍କ ସନେ୍ଦହ ଓ ତଦନ୍ତ ପାଇଁ ନିଦେ୍ର୍ଦଶଦେବା ଏହି ଚର୍ଚ୍ଚାକୁ ଅଧିକ ସରଗରମ କରିଛି । କରୋନା ଆରମ୍ଭରେ ଭଦ୍ରକ ସହରାଞ୍ଚଳରେ ଥିବା ବିଭିନ୍ନ କ୍ୱାରେନଣ୍ଟାଇନ୍ ସେଣ୍ଟର, ଟ୍ରେନରୁ ଓହ୍ଲାଇଥିବା ପ୍ରବାସୀ ଓ ସହରରେ ରହୁଥିବା ବାସହୀନ ତଥା ଦୁସ୍ଥ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇବାକୁ ପୌର କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଥିଲେ । ପୌର କର୍ତ୍ତୃପକ୍ଷ ଭଦ୍ରକ ଅଞ୍ଚଳର ୪/୫ଟି ଏନଜିଓଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ଅବଶ୍ୟ ଏହି ଏନଜିଓଙ୍କ ଚୟନ ପଛରେ ରାଜନୈତିକ ସମର୍ଥନ ଥିବା କଥା ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ଏବେ ଏହି ରନ୍ଧାଖାଦ୍ୟ ଯୋଗାଣ ବାବଦ ପାଖାପାଖି ୭୦ଲକ୍ଷ ଟଙ୍କାର ବିଲ୍ ପେମେଣ୍ଟ ପୌରପ୍ରଶାସନ ପାଖରେ ପଡିରହିଛି । ସୂଚନା ଥାଉକି, ଗତ ୩୧.୩.୨୦ ତାରିଖରେ ଏଡିଏମ(ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ ଏନଜିଓ କାଉନସିଲ ଜରିଆରେ ପ୍ରୋସିଡିଙ୍ଗ ହୋଇ ସହରାଞ୍ଚଳରେ ଅସହାୟ, ଗରିବ, ଭିକ୍ଷୁକ ଓ ପ୍ରବାସୀ ଆଦି ଶ୍ରେଣୀରନ୍ଧାଖାଦ୍ୟ ବଣ୍ଟନ ପାଇଁ ୫ଟି ଏନଜିଓଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏବାବଦକୁ ପ୍ରାୟ ୩୦ଲକ୍ଷ ଟଙ୍କା ମଧ୍ୟ ପୂର୍ବ ପୌରନିର୍ବାହୀ ଅଧିକାରୀଙ୍କ ସମୟରେ ପେମେଣ୍ଟ ସରିଛି । ଏବେ ଅବଶିଷ୍ଟ ପେମେଣ୍ଟ ପାଇଁ ଏନଜିଓ ପକ୍ଷରୁ ପୌରପାଳିକାରେ ପେମେଣ୍ଟ ପାଇଁ ବିଲ୍ ଦାଖଲ ହୋଇଛି । ତେବେ ଏତେ ଗୁଡିଏ ପରିମାଣର ବିଲ୍ ପେମେଣ୍ଟକୁ ନେଇ ସମସ୍ତଙ୍କୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।
ତେବେ ଏତେ ଗୁଡାଏ ଅର୍ଥ ପେମେଣ୍ଟ ନେଇ ପେମେଣ୍ଟ ଅପେକ୍ଷାରେ ଥିବା ବିଲ୍ ଗୁଡିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାକୁ ଆସିଥିବା ପ୍ରବାସୀଙ୍କ ସଠିକ୍ ତାଲିକା ଦେବା ପାଇଁ ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଙ୍କୁ ଏହାର ବିଲ୍ ପେମେଣ୍ଟର ବିଧିବଦ୍ଧ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଗୋଟିଏ ପଟେ ଏନଜିଓଙ୍କ ଦ୍ୱାରା ପୈଠ ବିଲ୍ ର ସତ୍ୟାତାକୁ ପ୍ରଶାସନ ପରଖୁଥିବା ବେଳେ ଅନ୍ୟପଟେ ପୌର କର୍ତ୍ତୃପକ୍ଷ ବିଲ୍ ପେମେଣ୍ଟ ନେଇ ୧୦ପ୍ରତିଶତ ଅର୍ଥ ଦାବି କରୁଥିବାର ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାର ଅନୁସନ୍ଧାନରୁ ଜଣାଯାଇଛି । ତେବେ ବିଲ୍ ର ସତ୍ୟାସତ୍ୟ ନେଇ ଯେ କିଛିଟା ଖଟକା ରହିଛି ତାହା ଆଗାମୀ ତଦନ୍ତରୁ ଜଣାପଡିବ । କରୋନା ଭଳି ବିପତ୍ତି ଆଳରେ ଏହିଭଳି ହେରଫେରି ଘଟଣା ଚର୍ଚ୍ଚାକୁ ନେଇ ଜିଲ୍ଲାପାଳ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସାଧାରଣରେ ସ୍ୱାଗତ କରାଯାଇଛି । ସୂଚନା ଥାଉକି, ପୌରପାଳିକା ପକ୍ଷରୁ ପ୍ରତି ପ୍ରବାସୀଙ୍କ ଦିନକୁ ରନ୍ଧା ଖାଦ୍ୟ ଯୋଗାଇବାକୁ ୬୦ଟଙ୍କା ଓ କ୍ୱାରେନଣ୍ଟାଇନରେ ଥିବା ଅନ୍ତେବାସୀଙ୍କ ଲାଗି ଦିନକୁ ୧୨୦ଟଙ୍କାର ବ୍ୟବସ୍ଥା ରହିଛି ।