କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ରୋଜଗାର ଯୋଜନା : ଭଦ୍ରକ ଜିଲ୍ଳାକୁ ପେରିଥିବା ୩୦୨୪୦ ପ୍ରବାସୀ ଶ୍ରମିକଙ୍କ କର୍ମ ନିଯୁକ୍ତି ପାଇଁ ପ୍ରଶାସନ ତପ୍ତର
ଭଦ୍ରକ :ବିଶ୍ୱ ମହାମାରୀ”କରୋନା’ ପାଇଁ ବିଭିନ୍ନ ରାଜ୍ୟରୁ ନିଜ ଅଞ୍ଚଳକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ଜୀବିକା ନିର୍ବାହ ପାଇଁ କେନ୍ଦ୍ର ସରକାର “ଗରିବ କଲ୍ୟାଣ ରୋଜଗାର ଯୋଜନା’କୁ ଗତ ୧୯ ତାରିଖରେ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପାଇଁ ୫୦ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଯୋଜନା ଓଡିଶା ସମେତ ଦେଶର ୬ଟି ରାଜ୍ୟ-ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଛି । ସେହି ରାଜ୍ୟ ଗୁଡିକର ଯେଉଁ ଜିଲ୍ଳାରେ ୨୫ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଥିବେ, ସେଇ ଜିଲ୍ଲା ଗୁଡିକରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି ପରିପ୍ରେକ୍ଷୀରେ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଯୋଜନା କାର୍ଯ୍ୟକାରୀ ହେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆମ ରାଜ୍ୟର ୪ଟି ଜିଲ୍ଳାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଜିଲ୍ଳା ଗୁଡିକ ହେଲ-ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଓ ବଲାଙ୍ଗୀର ।
ଭଦ୍ରକ ଜିଲ୍ଲାରେ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳକୁ ୩୦ହଜାର ୨୪୦ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକ ଓ ପୌରାଞ୍ଚଳରେ ସର୍ବାଧିକ ୬ହଜାର ୫୪୬ଜଣ ଶ୍ରମିକ ଥିବା ବେଳେ ଚାନ୍ଦବାଲି ବ୍ଲକ ଓ ଏନଏସି ୬ହଜାର ୪୪୨ । ସେହିପରି ତିହିଡି ବ୍ଲକରେ ୫ହଜାର ୩୩୩, ଭଦ୍ରକ ବ୍ଲକ ଓ ପୌରାଞ୍ଚଳରେ ୩ହଜାର ୫୮୦, ଧାମନଗର ବ୍ଲକ ଓ ଏନଏସିରେ ୩୩୯୫, ବନ୍ତ ବ୍ଲକରେ ୨୭୩୧ ଓ ଭଣ୍ଡାରିପୋଖରୀ ବ୍ଲକରେ ୨୧୧୩ ଶ୍ରମିକ ଅଛନ୍ତି । ଏହି ଯୋଜନାର ଆଭିମୁଖ୍ୟ ଓ ନିଯୁକ୍ତିର ସମ୍ଭାବନା ନେଇ ଗତ ୧୯.୬.୨୦ ତାରିଖରେ କେନ୍ଦ୍ର ସରକାର େଓ୍ୱବଲଞ୍ଚିଂ କରିଛନ୍ତି । ଏହି ଶୁଭାରମ୍ଭ(େଓ୍ୱବଲଞ୍ଚିଂ)ର ସିଧା ପ୍ରସାରଣ କାର୍ଯ୍ୟକ୍ରମ କୃଷି ବିଜ୍ଞାନ ରାଣୀତାଲରେ ଓଡିଆ ପ୍ରବାସୀଙ୍କୁ ନେଇ କରାଯାଇଥିଲା ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏହି ଗରିବ କଲ୍ୟାଣ ରୋଜଗାର ଯୋଜନାର କାର୍ଯ୍ୟକାରୀତା ଓ ସୁପରିଚାଳନା ପାଇଁ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ପିଡି ମଧୁସୂଦନ ଦାସ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ.ଅରବିନ୍ଦ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କିରଣ କୁମାର ପରିଡା, ଜିଲ୍ଳା ଉଦ୍ୟାନ ବିଭାଗ ମୁଖ୍ୟ ଉର୍ମିଳା ମହାପାତ୍ରଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, କୃଷି, ପଞ୍ଚାୟତରାଜ, ମୃତ୍ତିକା ସଂରକ୍ଷଣ, ଜଳସେଚନ, ଜାତୀୟ ରାଜପଥ ଆଦି ୧୨ଟି ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ପ୍ରବାସୀ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ କର୍ମନିଯୁକ୍ତି ଯୋଗାଇ ଦେବା ପାଇଁ ୩ଦିନ ମଧ୍ୟରେ କାର୍ଯ୍ୟସୂଚୀ/ ଖସଡା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଡ. ଦାସ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପଟେମ୍ବର ୩୦ତାରିଖ ସୁଦ୍ଧା ଏହି ଯୋଜନାର ପ୍ରକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୃଷି କ୍ଷେତ୍ରରେ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ଭିତ୍ତିକ ଜୀବିକା ନିର୍ବାହ ତାଲିମ ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।