ଭଦ୍ରକ, ତା୦୩ା୮ : ଗାଡି ଚେକିଂ ସମୟରେ ପୋଲିସ ପଞ୍ଝାରେ ପଡିଲେ ବ୍ରାଉନ ସୁଗାର ବେପାରୀ । ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ତିନି ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ । ସୂଚନା ଅନୁଯାୟୀ, ଚରମ୍ପା ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗ୍ରାମର ଗଣେଶ ମଲ୍ଲିକଙ୍କର ପୁଅ ଉମାକାନ୍ତ ମଲ୍ଲିକ ଏବଂ ସେହି ଗ୍ରାମର ବିଜୟ ମଲ୍ଲିକଙ୍କ ପୁଅ ଅନୀଲ ମଲ୍ଲିକଙ୍କ ସହ ଜଣେ ନାବାଳକକୁ ମିଶାଇ ତିନିଜଣ ଏକ ଦୁଇଚକିଆ ଟିଭିଏସ ଆପାଚି ଗାଡିରେ ବିନା ହେଲମେଟ୍ରେ ବାଲେଶ୍ୱର ଆଡୁ ଭଦ୍ରକ ଆଡକୁ ଆସୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଗ୍ରାମାଂଚଳ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା । ତିନିଜଣ ବିନା ହେଲମେଟରେ ଆସୁଥିବା ବାଇକ ଆରୋହୀଙ୍କୁ ପୋଲିସ ଚେକିଂ କରିବା ସମୟରେ ସେମାନଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା । ପରେ ଏନେଇ ପୋଲିସ ଅଧିକ ଖୋଳତାଡ଼ କରିବାରୁ ସେମାନଙ୍କ ନିକଟରୁ ୩୦୦ଟି ଖାଲି ବ୍ରାଉନ ସୁଗାର ପୁଡିଆ, ଛୁରୀ, ବ୍ଲେଡ, ଦୁଇ ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଥିଲା । ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି । ବ୍ରାଉନ ସୁଗାର କେଉଁଠୁ ଆସିଲା ଓ ଏହି ବେପାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଏହା କହିଛନ୍ତି
