Odisha news

ଭଦ୍ରକରେ ଲୁଟେରାଙ୍କ ଉତ୍ପାତ ଥମୁନି କୋର୍ଟ ପରିସରରୁ ମନିଟର ଲୁଟ୍‍, ବୃଦ୍ଧଙ୍କ ହାତରୁ ମୋବାଇଲ ଝାମ୍ପିନେଲେ

0

ଭଦ୍ରକ:ଭଦ୍ରକ ସହରାଞ୍ଚଳରେ ଲୁଟେରାଙ୍କ ଉତ୍ପାତ ଥମିବାରେ ନା ଧରୁନି । ଭଦ୍ରକ କୋର୍ଟ ପରିସରରୁ ଗତ ୧୫ଦିନ ମଧ୍ୟରେ ୪ଟି କମ୍ପ୍ୟୁଟର ମନିଟର ଚୋରି ହୋଇଥିବା ଜଣାଯାଇଛି । ପୂର୍ବରୁ ଏସ.ଡି.ଜେ.ଏମ. ଓ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପରିସରରୁ ଓ ଗତକାଲି ରାତିରେ ପରିବାର ଅଦାଲତ ଓ ଅତିରିକ୍ତ ଜିଲ୍ଲା ଜଜ୍‍ଙ୍କ ଅଦାଲତ ପରିସରରୁ କେହି ଦୁର୍ବୁତ୍ତ ମନିଟର ଚୋରି କରି ନେଇଛନ୍ତି ।

କୋର୍ଟ ବାହାରେ ପ୍ରଜେକଫ ଅଧିନରେ ବିଚାର ସମୟରେ ଜନସାଧାରଣ ସେମାନଙ୍କ ମାମଲା ଗୁଡିକର ବିଚାର ପ୍ରକ୍ରିୟାକୁ କୋର୍ଟ ବାହାରେ ରହି ମଧ୍ୟ ଅନୁଧ୍ୟାନ କରିପାରିବା ପାଇଁ ମନିଟର ଗୁଡିକ ଉପରୋକ୍ତ କୋର୍ଟ ବାହାର କାନ୍ଥରେ ଟଙ୍ଗା ଯାଇଥାଏ । ଆଶ୍ଚର୍ଯ୍ୟର କଥା ହେଲା କୋର୍ଟ ବାହାର ଲୁହା ଗ୍ରିଲରେ ଆବଦ୍ଧ କୋର୍ଟ ପରିସରକୁ ରାତିରେ ରାତ୍ରି ଜଗୁଆଳି ରହିବା ସତ୍ତେ୍ୱ ଏମିତି ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସେହିଭଳି ଆଜି ସନ୍ଧ୍ୟାରେ ଲୋକନାଥ ମନ୍ଦିର ସମ୍ମୁଖ ରାସ୍ତାରେ ସାଇକେଲ ଯୋଗେ ମୋବାଇଲ ଫୋନରେ କଥା ହୋଇ ଯାଉଥିବା ଜଗନ୍ନାଥପୁର ଅଞ୍ଚଳର ବିଶ୍ୱନାଥ ସାହୁ ନାମକ ବୃଦ୍ଧଙ୍କ ହାତରୁ ବାଇକ୍‍ରେ ଆସୁଥିବା ୨ଜଣ ଦୁର୍ବୁତ୍ତ ମୋବାଇଲ ଫୋନକୁ ଝାମ୍ପି ନେଇ ପଳାଇଥିଲେ ।

ବିଶ୍ୱନାଥଙ୍କ ଏମ୍‍ଆଇ ସ୍ମାର୍ଟ ଫୋନ୍‍ ଲୁଟ୍‍ ହେବା ନେଇ ଟାଉନଥାନରେ ଏତଲା ଦିଆଯାଇଛି । ପୂର୍ବରୁ ସୁନାହାର, ଟଙ୍କା ଆଦି ଲୁଟ୍‍ ହେଉଥିବା ବେଳେ ଏବେ ଲୁଟେରାମାନେ ମୋବାଇଲ ଫୋନ୍‍କୁ ଛଡାଇ ନେବା ଘଟଣା ସହରବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

Leave A Reply