ଭଦ୍ରକ,୨୫ ।୦୯(ଜିପ୍ର):ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ବିକଳାଙ୍ଗ ମଞ୍ଚ ଜିଲ୍ଲା ଶାଖା ତରଫରୁ ଆଜି ଏକ ବୈଠକ ବାଲ୍ଗୋପାଲ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦାବିର ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଭଦ୍ରକ ଶାଖା ସଭାପତି ଯଦୁମଣି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସହ ସମ୍ପାଦକ ଅକ୍ଷୟ ସାହୁଙ୍କ ସହ ୭ଟି ବ୍ଲକର ୨୧ଜଣ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଜିଲ୍ଳାର ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ପରେ ଏକପ ପ୍ରତିନିଧି ଦଳ ପିଡି, ଡିଆରଡିଏ ମଧୁସୂଦନ ଦାସ ଓ ଜିଲ୍ଳା ସାମବାଜିକ ସୁରକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି କେତେକ ଦାବି ଉପସ୍ଥାପନ କରିଥିଲେ । ଚାରିଘରିଆ ଠାରେ ଅବସ୍ଥିତ କୁଷ୍ଠ କଲୋନୀରେ ରହୁଥିବା ୧୭ଟି ପରିବାରଙ୍କ ପାଇଖାନାକୁ ଜଳର ସୁବିଧା ଯୋଗାଇଦେବାକୁ ୬ମାସ ପୂର୍ବରୁ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠରେ ଦରଖାସ୍ତ କରିଥିଲେ ମଧ୍ୟ ଆଜି ଯାଏଁ ଏହା କାର୍ଯ୍ୟକାରୀ ନହେବା ଘଟଣାନେଇ ମଞ୍ଚର ର ଏକ ପ୍ରତିନିଧି ଦଳ ପିଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ତେବେ ପିଡି ଏହାର ଏକ ଏଷ୍ଟିମେଟ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ପାଇଁ ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ରିପୋର୍ଟ ମିଳିବା ପରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ୧୮୬ଭିନ୍ନକ୍ଷମ ମହିଳା-ପୁରୁଷଙ୍କୁ ଅନ୍ର୍ତ୍ୟୋଦୟରେ ସାମିଲ କରିବା ପାଇଁ ଜିଲ୍ଳା ଯୋଗାଣ ଅଧିକାରୀ ନିକଟରେ ସମସ୍ତ କାଗଜପତ୍ର ଆଜି ଦାଖଲ କରିବା ସହ ଓଡିଶା ଖାଦ୍ୟ ସୁରକ୍ଷା କମିଶନ ଓ ସଚିବଙ୍କ ଲିଖିତ ପତ୍ର ଜରିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହାକୁ କାର୍ଯ୍ୟକାରୀ କରାନଗଲେ ଓଡିଶା ବିକଳାଙ୍ଗ ମଞ୍ଚ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ପଦୁମଣି ଦାସ, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ଚନ୍ଦ୍ରକାନ୍ତ ନାୟକ, ପବିତ୍ରମୋହନ ଜେନା, ଦିଲିପ ବାରିକ, ଭାସ୍କର ଚନ୍ଦ୍ର ଜେନା, ଅମୂଲ୍ୟ ମହାଳିକ, କରୁଣାକାର ସାହୁ, ସନ୍ତୋଷ ବାରିକ ଓ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
