ଭଦ୍ରକ/ବନ୍ତ ( ଉମାକଲ୍ୟାଣ ମହାପାତ୍ର ):ଶନିବାର ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ବସନ୍ତିଆ ବଜାର ଠାରେ ଜଣେ ସମବାୟ ବ୍ୟାଙ୍କ ଏଜେଣ୍ଟଙ୍କ ଠାରୁ ଲୁଟେରା ମାନେ ୭୨ ହଜାର ୫ ଶହ ଟଙ୍କା ଲୁଟି ନେଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ଏହି ଘଟଣାରେ ପୋଲିସ ୪ ଯୁବକଙ୍କୁ ଗିରଫ କରିଥିବା ବେଳେ ୨ଟି ବାଇକ୍ ଜବତ୍ କରିଛି । ଗିରଫ ହୋଇଥିବା ଯୁବକ ମାନେ-ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବୋଲି ଜଣାଯାଇଛି ।
ଏନେଇ ପୋଲିସ କେସ ନଂ-୧୧୩/୨୦ ମୂଳେ ମାମଲା ରୁଜୁ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ବସନ୍ତିଆ ଗାଁର ସୁବାଷ ଚନ୍ଦ୍ର ମିଶ୍ର କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ହାଟଡିହୀ ଶାଖାର ଭାଗ୍ୟଲକ୍ଷ୍ମୀ ଡେଲି ଡିପୋଜିଟର ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି । ଶନିବାର ପୂର୍ବାହ୍ନ ସମୟରେ ସେ କଲେକ୍ସନ୍ ସାରି ବସନ୍ତିଆ ବଜାରସ୍ଥିତ ରମେଶ ପାଣିଗ୍ରାହୀଙ୍କ ପାନ ଦୋକାନ ସମ୍ମୁଖରେ ଠିଆ ହୋଇଥିଲୋ । କଲେକସନ୍ ହୋଇଥିବା ୭୨ ହଜାର ୫ ଶହ ଟଙ୍କା ବ୍ୟାଗ୍ଟି ତାଙ୍କ ବାଇକ୍ରେ ଟଙ୍ଗା ହୋଇଥିଲା । ଏତିକି ବେଳେ ଜଣେ ଅଜଣା ଯୁବକ ହଠାତ୍ ଆସି ତାଙ୍କୁ ଧMା ମାରି ଟଙ୍କା ବ୍ୟାଗଟିକୁ ଛଡାଇ ନେଇ ପାଖରେ ଠିଆ ହୋଇଥିବା ଓଡି-୦୭ଏ.ସି-୧୧୧୯ ନମ୍ବର ପଲସର ବାଇକ୍ ଯାହାକି ଆଉ ଜଣେ ଯୁବକ ଷ୍ଟାର୍ଟ କରି ରଖିଥିଲେ ।
ସେଥିରେ ବସି ବନ୍ତ ଆଡକୁ ପଳାଇ ଯାଇଥିଲେ ।ଆଉ ଏକ ଓଡି-୦୨-ଏ.କେ-୯୧୭୭ ପଲସର ଗାଡିରେ ୨ ଯୁବକ ସେମାନଙ୍କୁ ଅନୁସରଣ କରି ଦ୍ରୁତ ଗତିରେ ପଳାଇ ଯାଇଥିଲେ । ସେ ପାଟି କରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଫୋନ୍ କରି ଜଣାଇବା ସହିତ କିଛି ପିଲା ୨ବାଇକ୍କୁ ପିଛା କରି ଥିଲେ ମଧ୍ୟ ଧରିବାରେ ବିଫଳ ହୋଇଥିଲେ । ୨ଟି ବାଇକ୍ରେ ଲୁଟେରା ମାନେ ଓରାଳି-ଶାଳନିଆଁ ରାସ୍ତାରେ ପଳାଇ ଯାଇଥିଲେ ।ପରେ ୨ ଜଣ ଯୁବକଙ୍କୁ ଓଳମ ଗାଁର ଲୋକେ ଧରି ପୋଲିସର ଜିମା ଦେଇଥିଲେ । ସେହିପରି ଅନ୍ୟ ୨ ଜଣ ଲୁଟେରାଙ୍କୁ ମଞ୍ଜୁରୀରୋଡ ଫାଣ୍ଡି ଅଧିନ ସୋଲପରା ଠାରେ ସ୍ଥାନୀୟ ଲୋକେ ଧରିବାକୁ ସକ୍ଷମ ହୋଇଥିଲେ ।ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି ।