ଭଦ୍ରକ/ଆରଡି :ଆରଡି ଓ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସାମନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୫ଟି ଗାଁ ବନ୍ୟା ଘେରରେ ରହିଥିବାରୁ ବିପନ୍ନମାନେ ନାନା ଅସୁବିଧାରେ ସମୁଖିନ ହେଉଛନ୍ତି । ବିଶେଷକରି ପୁର୍ଣ୍ଣିମା ଜୁଆର ଯୋଗୁ ବନ୍ୟାଜଳ ଠିକ ଭାବେ ନିଷ୍କାସନ ହେଉନଥିବାରୁ ଏବେବି ୪ଟି ପଞ୍ଚାୟତରେ ଶହଶହ ଏକତର ଚାଷଜମିରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ବର୍ଷା ଆରମ୍ଭରୁ ଦୀର୍ଘ ୧୨ଦିନ ହେଲାଣି ଧାନକ୍ଷେତ ପାଣିରେ ବୁଡି ରହିଥିବାରୁ ଋଣ ପରିଷୋଧ ଚିନ୍ତାରେ ଏବେ ଶତାଧିକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେହିପରି ଯେଉଁ ସ୍ଥାନରେ ବନ୍ୟାପାଣି ଛାଡିଛି ଉଜୁଡି ଯାଇଥିବା ଘରକୁ ବିପନ୍ନମାନେ ଅଣ୍ଟା ସଳଖି ସଜାଡୁଥିବା ବେଳେ ଏବେ ଲଗାଣ ବର୍ଷା ପୁର୍ନବାର ଦାଉ ସାଜିଛି ।
ଫଳରେ ବନ୍ୟାପାଣି ପାଇଁ ଘର ଛାଡି କିଏ ରାସ୍ତା ଉପରେ ରହିଥିଲା ତ ଆଉକିଏ ନଦୀବନ୍ଦ ଉପରେ ଆଶ୍ରୟ ନେଥିଲା । ହେଲେ ଗତକାଲି ରାତିରୁ ତୁହାକୁତୁହା ବର୍ଷା ଲାଗି ରହିଥିବାରୁ ବିପନ୍ନଙ୍କ ଦୁର୍ଦଶା ୨ଗୁଣିତ ବଢି ଯାଇଛି । ବନ୍ୟାପାଣି ମାଡିବା ଠାରୁ ଦୀର୍ଘ ୬ଦିନ ବିତିଯାଇଥିଲେ ମଧ୍ୟ ବିପନ୍ନଙ୍କ ପାଖରେ ନା ପହଁଞ୍ଚିଛି ପ୍ରଶାସନ ସହାୟତା ନାଁ ପହଁଞ୍ଚିଛନ୍ତି କୈାଣସି ଉଦ୍ଧାରକାରୀ ଦଳ । ଦୀର୍ଘ ୬ମାସ ହେବ କରୋନା ଲୋକମାନଙ୍କର ମେରୁଦଣ୍ଡକୁ ବାଙ୍ଗି ଦେଇଥିବା ବେଳେ ଏବେ ବନ୍ୟା ଦୁର୍ବିସହ କରିଛି ହଜାରହଜାର ବିପନ୍ନଙ୍କୁ । ଏଥିପ୍ରତି ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ରିଲିଫ ଓ ସହୟତା ଯୋଗାଇ ଦେବା ପାଇଁ ଚାତକ ପରି ବସିଛନ୍ତି ବିପନ୍ନମାନେ ।