ଭଦ୍ରକ :ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତରରେ ବୃଦ୍ଧି ଘଟିଛି । ଆଗାମୀ ସମୟର ସମ୍ଭାବ୍ୟ ବନ୍ୟା ସ୍ଥିତିର ଆକଳନ ପାଇଁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଖୁଆପଦା ଆନ୍ନିକଟକୁ ଯାଇ ନଦୀର ଜଳପତ୍ତନର ସ୍ଥିତି ସର୍ବେକ୍ଷଣ କରିଛନ୍ତି । ବନ୍ୟା ପରିସ୍ଥିତି ନେଇ ଜଳସେଚନ ବିଭାଗର ସୁପରିଟେଣ୍ଡେଣ୍ଟ ଇଂଜିନିୟର, ଏକ୍ଜିକୁ୍ୟଟିଭ୍ ଇଂଜିନିୟର, ଭଣ୍ଡାରିପୋଖରୀ ବ୍ଲକ ବିଡିଓ, ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ।
ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ନଦୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସନ୍ଦ୍ୟା ୬ଟା ସମୟରେ ସେଠାରେ ନଦୀର ଜଳସ୍ତର ୧୭.୭୩ ମିଟର ରହିଛି । ଗତ ୨୪ ଘଣ୍ଟାରେ ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆ ଠାରେ ୭୨ ମିମି, କେନ୍ଦୁଝରରେ ୫୨.୮୦, ସ୍ୱାମପାଟଣାରେ ୪୮.୮୦, ଠାକୁରମୁଣ୍ଡା ଠାରେ ୭୧, ଆନନ୍ଦପୁରରେ ୯୪.୨୦, ଆଖୁଆପଦା ଠାରେ ୧୫୬.୪୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲାର ଭଦ୍ରକରେ ୫୨ ମିମି, ଭଣ୍ଡାରିପୋଖରୀରେ ୧୭୮, ବାସୁଦେବପୁରରେ ୪୧, ଚାନ୍ଦବାଲିରେ ୮୯.୩, ଧାମନଗରରେ ୮୩, ବନ୍ତରେ ୮୦, ତିହିଡିରେ ୭୪ ମିଲିମିଟର ବର୍ଷା ହୋଇଛି । ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀରେ ବନ୍ୟା ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି । ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ, ଝୁମ୍ପୁଡି ତଥା କଚ୍ଚା ଘରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅନୁରୋଧ କରାଯାଇଛି । ଏଥି ସହିତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ମାନଙ୍କୁ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ଭାବ୍ୟ ବନ୍ୟାର ସ୍ଥିତିକୁ ଲକ୍ଷ୍ୟ ରଖି ଭଦ୍ରକ ଡିଆରଡିଏର ପିଡି ମଧୁସୂଦନ ଦାସଙ୍କୁ ଧାମନଗର ବ୍ଲକ ଓ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କୁ ଭଣ୍ଡାରିପୋଖରୀ ବ୍ଲକ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ବନ୍ୟା ଆସିଲେ ଏହାର ମୁକାବିଲା କରିବେ ବୋଲି ଜଣା ପଡିଛି