ବେତନଟୀ : ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ନୂଆଗାଁ ଗ୍ରାମର ଜନୈକ ବୃଦ୍ଧ ବ୍ୟକ୍ତି ଅକ୍ଟୋବର ୨୨ ତାରିଖ ଦିନ ପାଖ ଜଙ୍ଗଲକୁ ଛତୁ କୁଢ଼ାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ l କିଛିଦିନ ଧରି ଉକ୍ତ ଜଙ୍ଗଲରେ ଗୋଟେ ବଣୁଆ ଦନ୍ତା ହାତୀ ବିଚରଣ କରୁଥିବାରୁ ବୃଦ୍ଧ ଜଣକ ହାତୀ ଆକ୍ରମଣର ଶିକାର ହୋଇଥିବା ନେଇ ସନ୍ଦେହ ଜାତ ହୋଇଥିଲା l ପ୍ରାପ୍ତ ସୂଚନା ମୁତାବକ ନୂଆଗାଁ ଗ୍ରାମର ସ୍ବର୍ଗତଃ ଢାଉଲ ବେହେରାଙ୍କ ୫୫ ବର୍ଷୀୟ ପୁଅ ଅନିରୁଦ୍ଧ ବେହେରା l ଅନିରୁଦ୍ଧ ବୁଧବାର ଭୋର ସକାଳୁ ଗାଁ ପାଖ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିଲା l ପରେ ଛତୁ କୁଢ଼ାଇ ଆଣି ଘରେ ରଖି ଖାଇପିଇ ସାରି ପୁଣି ଥରେ ଉକ୍ତ ଜଙ୍ଗଲକୁ ଶୌଚ ହେବାକୁ ଚାଲି ଯାଇଥିଲା l ହେଲେ ପରେ ଆଉ ଘରକୁ ଫେରିନଥିଲା l ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ଏଣେତେଣେ ଖୋଜାଖୋଜି କରିଥିଲେ ବି ଅନିରୁଦ୍ଧ ଙ୍କୁ ପାଇ ନଥିଲେ l ସୂଚନା ଅନୁଯାଇ କିଛିଦିନ ପୂର୍ବରୁ ଉକ୍ତ ଜଙ୍ଗଲକୁ ଏକ ଝାଡ଼ଖଣ୍ଡି ଦନ୍ତା ହାତୀ ପଶି ଆସିଥିଲା ଓ ସମୟ ସମୟରେ ଉତ୍ପାତ କରୁଥିଲା l ଯୋଉଁଥିପାଇଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହୁଥିଲେ l ତେବେ ଅନିରୁଦ୍ଧ ଜଙ୍ଗଲକୁ ଯାଇ ଘରକୁ ନ ଫେରିବା ଯୋଗୁଁ ସେ କାଳେ ହାତୀ ଆକ୍ରମଣର ଶିକାର ହୋଇଥିବ ଏନେଇ ସନ୍ଦେହ ପ୍ରକଟ ହେବାରୁ ଥାନାରେ ନିଖୋଜ ଅଭିଯୋଗ କରା ଯାଇଥିଲା । ତେବେ ଖବର ପାଇ ବନବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ ଭିତରେ ଖୋଜାଖୋଜି ଫେରି ଯାଇଥିଲେ । ୧୦ ଦିନ ପରେ ଆଜି ଶୁକ୍ରବାର ଦିନବେଳେ ପତ୍ର ତୋଳିବାକୁ ଯାଇଥିବା କେତେକ ଗ୍ରାମବାସୀ ଏକ କଙ୍କାଳ କୁ ଦେଖି ପୋଲିସ ଓ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ରେଞ୍ଜର ମନୱର ଖାଁ ,ବନପାଳ ପ୍ରଶାନ୍ତ ସିଂ ସାମନ୍ତ , ଗାର୍ଡ ଏବଂ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ, ଏସ.ଆଇ. ବୋଇତ ବେହେରା ଘଟଣା ସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଥିଲେ । ରେଞ୍ଜର ମନୱର ଖାଁ ଙ୍କ କହିବାନୁଯାଇ ନିଖୋଜ ଅନିରୁଦ୍ଧ ର ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିବା ଜଣାଯାଇଛି। ଏ ନେଇ ବୈଶିଙ୍ଗା ଥାନାରେ ୫୨/୨୪ ର ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।