ବେତନଟୀ :ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଦହିକୋଟି ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ l ଯାହାକି ସାରା ଅଞ୍ଚଳ ବାସୀଙ୍କୁ ଚକିତ କରିବା ସହ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ନିଜ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପୁତୁରା ହତ୍ୟା କରିଥିବା ବେଳେ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ l ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତଃ ପଙ୍କଜ କୁମାର ମିଶ୍ରଙ୍କ ୬୪ବର୍ଷୀୟା ଭଉଣୀ ଚାରୁଲତା ମିଶ୍ର l ହତ୍ୟାକାରୀ ଅଭିଯୁକ୍ତ ଜଣକ ହେଉଛି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପୁଅ କାନ୍ଦୁରୁ ଓରଫ ତନ୍ମୟ କୁମାର ମିଶ୍ର(୨୧) l ପ୍ରାପ୍ତ ସୂଚନା ମୁତାବକ ତନ୍ମୟ ଘରେ ନିଜର ଶିକ୍ଷୟିତ୍ରୀ ମା’ ପ୍ରଭାତୀ ମଞ୍ଜରୀ ଦାଶଙ୍କ ସହିତ ରହିଆସୁଥିଲେ l ବାରିପଦାରେ ଭାଇ ବ୍ରଜରାଜ ମିଶ୍ରଙ୍କ ଘରେ ରହୁଥିବା ବେଳେ ମଝିରେ ମଝିରେ ଦହିକୋଟି ସ୍ଥିତ ପୈତୃକ ଘରକୁ ଆସୁଥିଲେ l ବୁଧବାର ତନ୍ମୟର ମା ପ୍ରଭାତୀ ମଞ୍ଜରୀ ସବୁଦିନ ଭଳି ସ୍କୁଲ ପଳାଇ ଥିବାବେଳେ ତନ୍ମୟ ଡିପ୍ଲୋମା ପଢିବାକୁ କଲେଜ ଯାଇଥିଲେ l ତେବେ କଲେଜରୁ ଫେରିବାପରେ କୌଣସି କଥାକୁ ନେଇ ପିଉସୀ ଏବଂ କାନ୍ଦୁରୁ ମଧ୍ୟରେ କଥା କଟାକଟି ହେବା ସହ ବାକଯୁଦ୍ଧ ହୋଇଥିଲା l ଏଥିରେ କାନ୍ଦୁରୁ ଉତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ପିଉସୀ ଚାରୁଲତାଙ୍କୁ କ୍ରମାଗତ ଭାବରେ ହାଣି ଚାଲିଥିଲା l ଘର ଭିତରେ ହିଁ ଚାରୁଲତାଙ୍କର ମୃତ୍ୟୁ ହୋଇଯାଇ ଥିବାବେଳେ ଖବରପାଇ ଗ୍ରାମବାସୀ ଓ ପାଖ ପଡୋଶୀ ହତ୍ୟାକାରୀ କାନ୍ଦୁରୁ ଓରଫ ତନ୍ମୟକୁ କାବୁକରି ଘର ବାହାରେ ଥିବା ଏକ ଖୁଣ୍ଟ ରେ ବାନ୍ଧି ରଖିଥିଲେ । ଖବରପାଇ ବେତନଟୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ଅଭିଯୁକ୍ତ କାନ୍ଦୁରୁ କୁ ପୁଲିସ ଜିମା ରେ ଦେଇଥିଲେ l ଏନେଇ ବେତନଟୀ ପୁଲିସ ଏକ ହତ୍ୟାକାଣ୍ଡଜନିତ ମାମଲା ରୁଜୁକରି ସାଇଣ୍ଟିଫିକ ଟିମକୁ ଖବର ଦେଇଥିଲେ । ସନ୍ଧ୍ୟା ସମୟରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଆନୁସଙ୍ଗିକ ତଦନ୍ତ କରିଥିବା ବେଳେ ବେତନଟୀ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ବଡ ମେଡିକାଲ କୁ ପଠାଇ ଦେଇଥିଲେ । ରାତି ହୋଇଯାଇଥିବାରୁ ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି l ଶିକ୍ଷିତ ସମାଜରେ ଶିକ୍ଷା ଗ୍ରହଣ କରୁଥିବା ପୁଅ ଏଭଳି ଜଘନ୍ୟ ଲୋମହର୍ଷଣକାରୀ ହାତ୍ୟାକାଣ୍ଡ ଭିଆଇଥିବା ଘଟଣା ଏବଂ ନିଜ ରକ୍ତର ପିଉସୀ କୁ ସାମାନ୍ୟ କୌଣସି କଥା ନେଇ ଜୀବନରୁ ମାରିଦେବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି କରିଛି l
