Odisha news

ବୁଢ଼ାବଳଙ୍ଗ ନଦୀଶଯ୍ୟାରେ ଜଳସ୍ତର ବୃଦ୍ଧି : କୂଳ ଖାଇଯିବା ଯୋଗୁଁ ଚାଷଜମି ନଷ୍ଟ , କ୍ଷତିଗ୍ରସ୍ତ ହେଉଛନ୍ତି ଶହଶହ ଚାଷୀ

0
ବେତନଟୀ :  ଶିମିଳିପାଳର ପାଦଦେଶରେ ଜୋର ବର୍ଷା ହେବା ଫଳରେ ବୁଢାବଳଙ୍ଗ ନଦୀଶଯ୍ୟାରେ ବର୍ଷାଜଳ ବୃଦ୍ଧି ହୋଇ ପ୍ରବାହିତ ହେଉଥିବା ବେଳେ ନାଖରାସ୍ଥିତ ବୁଢାବଳଙ୍ଗ ସେତୁ କୁ ଲାଗି କୂଳର ଅତଡା ଖସି ଧୀରେ ଧୀରେ ନଦୀ ଗର୍ଭରେ  ମିଶି ଯାଉଥିବା ଦେଖାଯାଇଛି । ଏହା ପ୍ରଭାବରେ ଦରିହା , କାଠପାଳ , ସିଙ୍ଗଲାମୁଣ୍ଡୁଳି , ଶଙ୍ଖମୁଣ୍ଡ, ବେଲାଣପୁରା, ପାଟଳିପୁରା , ପ୍ରତିମାଦେଇପୁର, ଗଣ୍ଡବାଙ୍କ ସାହି, ଖଣ୍ଡଦେଉଳା, ଦେଓପଡା , ମଧୁନଣ୍ଡା ଏବଂ ନାଖରା ଗ୍ରାମର ଶତାଧିକ ଚାଷୀ ଏହା ପାଇଁ ପ୍ରତିବର୍ଷ କ୍ଷତି ସହୁଛନ୍ତି।   ୧୯୮୩ ମସିହାରେ ସେତୁର ଶୁଭ ପଡିଥିଲା ମାତ୍ର ବହୁ ବାଦବିବାଦ ପରେ ୧୯୯୬-୧୯୯୭ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା l  ଉକ୍ତ ନିର୍ମିତ ସେତୁର ଉଚ୍ଚତା କମ୍ ହେବା ଯୋଗୁଁ ପ୍ରତିବର୍ଷ ବନ୍ୟା ପାଣି ଆସିଲେ ଏହା ବୁଢିଯାଇଥାଏ । ନଦୀର ଦୁଇ ପାର୍ଶ୍ୱ ଅତଡା ଖାଇବା ଯୋଗୁଁ ଧୀରେ ଧୀରେ ଚଉତା ହେବାକୁ ଲାଗିଲା। ସେତୁର ଆୟତ୍ତ ଠାରୁ ନଦୀର  ଓସାର ଅଧିକ ହେବାକୁ ଲାଗିଲା। ସେତୁ ତିଆରି ହେବାର ଦୀର୍ଘ ଦିନ ପରେ ସ୍ଥାନୀୟ ପଞ୍ଚାୟତବାସୀଙ୍କର ଆନ୍ଦୋଳନାତ୍ମକ ଶୈଳୀ ଗ୍ରହଣ କରିବା ପରେ ଏହାକୁ ଦେଖି ସେତେବେଳର ସରକାର ସେତୁର ଗୋଟିଏ ପାର୍ଶ୍ୱକୁ ପଥର ପେଚିଙ୍ଗ କରାଇଲେ, ମାତ୍ର ଅନ୍ୟ ଏକ ପାର୍ଶ୍ଵ କୁ ପଥର ପେଚିଙ୍ଗ କରାଇଲେ ନାହିଁ । ବହୁ ଚାଷୀଙ୍କର ଶହ ଶହ ଏକର ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଗଲା। ବୁଢାବଳଙ୍ଗ ନଦୀକୂଳରେ ପରିବା ଚାଷ ପ୍ରଚୁର ପରିମାଣ ରେ ହେଉଥିବା ଯୋଗୁଁ ଚାଷୀମାନେ ନିଜର ଜୀବନ ଜୀବିକା ମଧ୍ୟ ହରାଇଲେ। ବର୍ତ୍ତମାନ ସବୁଠୁଁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ନଦୀର ତଳ ପାର୍ଶ୍ଵର ଗୋଟିଏ ପାଖ ବର୍ତମାନ ସେତୁର  ମୂଖ୍ୟ ଖମ୍ବ ଠାରୁ ଅଧିକ ଅତଡା ଖାଇଯିବା ଯୋଗୁଁ ସେତୁ ପ୍ରତି ମଧ୍ୟ ବିପଦ ଥିବା ଜଣାଯାଇଛି। କିଛି ବର୍ଷ ପୂର୍ବରୁ ପୋଲ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଗଲା ମାତ୍ର ନଦୀ କୂଳରେ ପେଚିଂ କରାଗଲା ନାହିଁ | ବର୍ଷ ବର୍ଷ ପରି ଏହି ବର୍ଷ ମଧ୍ୟ କୂଳରେ ଥିବା କେତେକ ଚାଷ ବିଲ ମଧ୍ୟ ନଦୀ ଗର୍ଭରେ ଲୀନ ହୋଇଗଲାଣି l ପ୍ରତିଦିନ ରାତିରେ ବୁଢାବଳଙ୍ଗ ନଦୀ ଗର୍ଭରୁ ଅହେତୁକ ବାଲି ଉତ୍ତୋଳନ କରି ବାହାର ଜିଲ୍ଲାକୁ ରପ୍ତାନୀ କରିବା ଉଦ୍ଦେଶ୍ୟ ଯୋଗୁଁ ନଦୀ ଗର୍ଭ ରେ ଖାଲ ସୃଷ୍ଟି ହେବା ଫଳରେ ବର୍ଷା ଜଳ ଆସିଲେ ଏହାର ପ୍ରଭାବରେ ନଦୀ କୂଳ ଧୋଇ ହୋଇଯାଉଥିବାର ଅଭିଯୋଗ ହେଉଛି ।  ସ୍ଥାନୀୟ ପ୍ରଶାସନ ,ମୟୂରଭଞ୍ଜ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀ ,ଅଞ୍ଚଳବାସୀ , ବୁଦ୍ଧିଜୀବି ଦାବି କରିଛନ୍ତି।

Leave A Reply