ବେତନଟୀ : ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଆଗ୍ରିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ବେତନଟୀ ଅଞ୍ଚଳର ମାଛ ବେପାରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି l ମୃତକ ହେଲେ ବେତନଟୀ ଥାନା ଅଧୀନ ଆଗଡା ଗ୍ରାମର ସ୍ବର୍ଗତଃ ହାଡିବନ୍ଧୁ ଦାସଙ୍କ ୪୫ ବର୍ଷୀୟ ପୁଅ ପରମେଶ୍ୱର ଦାସ l ସୂଚନା ଅନୁଯାଇ ଶୁକ୍ରବାର ପୂର୍ବାହ୍ନରେ ପରମେଶ୍ୱର ବାଲେଶ୍ୱର ଜିଲ୍ଲା ବଳରାମଗଡି ମୁହାଣରୁ ମାଛ ନେଇ ନିଜର ଓଡି୧୧କେ-୭୩୬୧ନଂ ବିଶିଷ୍ଟ ବାଇକରେ ବେତନଟୀ ଅଭିମୁଖେ ଆସୁଥିବାବେଳେ ଆଗ୍ରିଆ ଛକ ଅତିକ୍ରମ କଲା ପରେ ବଡପୋଲ ନିକଟରେ ଏକ ଏନଏଲ୦୧ଏଏଫ-୪୧୧୬ ନଂ ବିଶିଷ୍ଟ ଦ୍ରୁତଗାମୀ ଟ୍ରଲର ଧକ୍କା ଦେଇଥିଲେ l ଘଟଣା ସ୍ଥଳରେ ପରମେଶ୍ୱର ରକ୍ତ ଜୁଡୁବୁଡୁ ହୋଇ ପଡିଥିବାବେଳେ ବକେଟରେ ଥିବା ମାଛ ସବୁ ରାସ୍ତା ସାରା ଛୀନଭିନ ହୋଇ ପଡିଥିଲା l ସ୍ଥାନୀୟ ଲୋକ ପରମେଶ୍ୱରଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ନେଇଯାଇଥିଲେ l ସେଠାରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ହେଲେ ସେଠାରେ ପହଞ୍ଚିଲା ପରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଓ ଟ୍ରଲରକୁ ଜବତ ପୂର୍ବକ ଶବ ବ୍ୟବଛେଦ କରାଇଛି l
