Odisha news

ତେଜିଲା ଦୁର୍ନିତୀଖୋର ତହସିଲଦାରଙ୍କ ଗିରଫ ଦାବି : ଆନେ୍ଦାଳନରେ ଯୋଗ ଦେଲେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର , ତଦନ୍ତ ଚାଲିଛି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ଯିବ : ଏସଡିପିଓ

0

ବେତନଟୀ  : ବୈଶିଙ୍ଗା ଥାନା ସମ୍ମୁଖରେ ବେତନଟୀର ବିଦାୟୀ ତହସିଲଦାର ଅନିଶା ଦାସଙ୍କୁ ଗିରଫ ଦାବି ଆଜି ଆହୁରି ଯୋର ଧରିଛି । ଗତକାଲି ବିଜେପି ଦଳର ବଡସାହି ବିଧାୟକ ସନାତନ ବିଜୁଳିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଧାରଣାରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ ସାମିଲ ହୋଇ ଥିଲେ । ଆଜି ମୟୂରଭଞ୍ଜ ବିଜେପି ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣାରେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ବିଶେଶ୍ୱର ଟୁଡୁ, ବଡସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ ଓ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ, ଜିଲ୍ଲା ସଦସ୍ୟ ବ୍ରଜମୋହନ ବେହେରା, ବ୍ଲକ ଅଧ୍ୟକ୍ଷ କାଳିଚରଣ ସୋରେନ ଧାରଣାରେ ବସି ଥିଲେ ।

ଦୁର୍ନିତୀଖୋର ଅଧିକାରୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ବଦଳରେ ପୋଲିସ କୋହଳ କାର୍ଯ୍ୟାନୁଷ୍ଠାନ କାହିଁକି ନେଉଛି ସେ ନେଇ ପ୍ରଶ୍ନ ଉଠାଇ ଥିଲେ । ସାଂସଦ ବିଶେଶ୍ୱର ଟୁଡୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୁର୍ନିତୀଗ୍ରସ୍ତ ତହସିଲଦାର ଅନିଶା ଦାସଙ୍କୁ ଗିରଫ କରା ଯାଉ ନହେଲେ ଆନେ୍ଦାଳନକୁ ଜିଲ୍ଲାବ୍ୟାପି ତୀବ୍ରତର କରା ଯିବ ବୋଲି କହିଛନ୍ତି । ବିଜେପିର ଏହି ପଦକ୍ଷେପକୁ ବୁଦ୍ଧିଜୀବି ମହଲରେ ସ୍ୱାଗତଃ କରା ଯାଇଛି । ଦୁର୍ନିତୀ ବିରୁଦ୍ଧରେ ନିର୍ବାଚିତ ପ୍ରତିନିଧି ମାନେ ଜନସାଧାରଣଙ୍କ ସ୍ୱର ଭାବେ ଛିଡା ହୋଇଛନ୍ତି । ଏହା ଛଡା ଖଣି ଖାଦାନ ଦୁର୍ନିତୀର ସମ୍ପୂର୍ଣ୍ଣ ଖୋଳତାଡ ହେବା ସହିତ ଜିଲ୍ଲାରୁ କେତେ ଲଘୁ ଖଣିଜ ବେଆଇନ ଭାବେ ଉତ୍ତୋଳନ ହୋଇଛି ତାର ଆକଳନ କରା ଯାଇ ରାଜସ୍ୱ ରିକୋଭରି କରିବାକୁ ପଦକ୍ଷେପ ନିଆ ଯିବାକୁ ଦାବି କରା ଯାଇଛି ।

ଶାନ୍ତିପୂର୍ଣ୍ଣ ଭାବେ ଚାଲି ଥିବା ସାମ୍ବିଧାନିକ ଦାବିକୁ ଆଗକୁ ଅଧିକ ତୀବ୍ରତର କରା ଯାଇ ଦୁର୍ନିତୀର ମୂଳତ୍ପାଟନ କରା ଯିବ ବୋଲି ବଡସାହି ବିଧାୟକ ସନାତନ ବିଜୁଳି ମତ ଦେଇଛନ୍ତି । ବେତନଟୀ ତହସିଲର କେବଳ ଲଘୁ ଖଣିଜ ଦୁର୍ନିତୀ ନୁହଁ ଅନ୍ୟାନ ଦୁର୍ନିତୀର ମଧ୍ୟ ଖୋଳତାଡ କରା ଯିବାକୁ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଦାବି କରି ଥିଲେ । ଆଜି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ଭାରପ୍ରାପ୍ତ ତହସିଲଦାର ନମିତା ଧଳ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଁ ଓ ଅନ୍ୟମାନେ ନେତୃବୃନ୍ଦଙ୍କୁ ବୁଝାସୁଝା କରି ଥିଲେ । ହେଲେ ସେମାନେ ବେତନଟୀର ପୂର୍ବତନ ତହସିଲଦାରଙ୍କ ଗିରଫ ସହିତ ଦୁର୍ନିତୀର ସମ୍ପୂର୍ଣ୍ଣ ତଦନ୍ତ, ଖଣି ମାଫିଆ, ଦଲାଲ, ମଧ୍ୟସ୍ଥି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ ଥରି ଥିଲେ ।

ଏହି ଆନେ୍ଦାଳନ ଆଗାମୀ ଦିନରେ ଭୟଙ୍କର ରୁପ ନେବ ବୋଲି ସୂଚନା ଦେଇ ଥିଲେ । ଅନ୍ୟ ପକ୍ଷରେ ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ଆହୁରି ଅନେକ ଦଫା ଲାଗିବ ବୋଲି ପୋଲିସ ସୁତ୍ରରୁ ଜଣା ପଡିଛି । ଏହି ମାମଲାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରା ଯାଉଛି । ତଦନ୍ତ ସମୂର୍ଣ୍ଣ ହେବା ପରେ ଆହୁରି ଅନେକ ତଥ୍ୟ ଓ ପ୍ରମାଣ ମଧ୍ୟ ନଜରକୁ ଆସିବ । ଆଇନ ଅନୁଯାୟୀ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ତରଫରୁ କୁହା ଯାଇଛି । ଏହି ମାମଲା ଉପରେ ମୟୂରଭଞ୍ଜ ଏସପି ସ୍ମିଥ ଏସ ପାରମାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ନଜର ରହିଛି । ତେଣୁ ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ ଏଥିରେ ଦ୍ୱିମତ ନାହିଁ ବୋଲି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଧାରଣା ପରେ ବିଜେପି କାର୍ଯ୍ୟାଳୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ପୂର୍ବତନ ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ପରେଶଚନ୍ଦ୍ର ମହାନ୍ତ, ଜିଲ୍ଲା ସମ୍ପାଦକ ବୀରେନ୍ଦ୍ର ପ୍ରଧାନ, ସମସ୍ତ ମଣ୍ଡଳ ସଭାପତି, ସମ୍ପାଦକ, ଯୁବ ମୋର୍ଚ୍ଚା ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଥିଲେ ।

Leave A Reply