ନିଜ ବାଡି ଗଡିଆକୁ ଗାଧୋଇବାକୁ ଯାଇ ଅଘଟଣ : ବଡ ଯାଆକୁ ବଞ୍ଚାଇବାକୁ ଯାଇ ବୁଡିଗଲା ସାନ ଯାଆ , ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯିବା ପରେ ମୃତ ଘୋଷଣା
ବେତନଟୀ : ଆଜି ବେତନଟୀ ଅପରାହ୍ନ ୨ଟା ୩୦ ସମୟରେ ୧୦୮ ଆମ୍ବୁଲାନସ ଦୁଇ ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରି ଥିଲା । ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସିପୁନ ପଣ୍ଡା, ଡାକ୍ତର ପଲାସ ଗିରି ପ୍ରମୁଖ ଏହି ଦୁଇ ମହିଳାଙ୍କୁ ମୃତ ଘୋଷଣା କରି ଥିବାର ଜଣା ପଡିଛି । ମିଳି ଥିବା ଖବର ମୁତାବକ ଆଜି ମୋରଡା ବ୍ଲକର ମାକୁନ୍ଦ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୈଠକ ହୋଇ ଥିଲା । ଏହି ବୈଠକ ସାରି ଦୁଇ ଯାଆ ଭୀମ ହାଁସଦାଙ୍କ ପନôୀ ସାଲଗେ ହାଁସଦା (୬୫) ଓ ଧାନାଏ ହାଁସଦାଙ୍କ ପନôୀ ଯମୁନା ହାଁସଦା (୬୦) ଅନ୍ୟ ଜଣେ ମହିଳାଙ୍କ ସହିତ ନିଜ ବାଡି ଗଡିଆକୁ ଗାଧୋଇବାକୁ ଯାଇ ଥିଲେ । ସେଠାରେ ଗୋଡ ଖସି ଯିବା ହେତୁ ବଡ ଯାଆ ଗଭୀର ପାଣିକୁ ଚାଲି ଯାଇ ଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଯାଆ ମଧ୍ୟ ଗଭୀର ପାଣିକୁ ଚାଲି ଯାଇ ଥିଲେ ।
ପରେ ଉଭୟ ପାଣି ତଳକୁ ଚାଲି ଯାଇ ଥିଲେ । ଘଟଣାସ୍ଥଳରେ ଥିବା ଅନ୍ୟ ଜଣେ ମହିଳା ପାଟି କରିବାରୁ ପରିବାରର ରତିକାନ୍ତ ହାଁସଦା, ଧାନାଏ ହାଁସଦା, ରଘୁନାଥ ମୁର୍ମୁ ପ୍ରମୁଖ ଗଡିଆ ଘାଟରେ ପହଞ୍ଚି ଥିଲେ । ସେମାନେ ଦୁଇ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଗଡିଆରୁ ଉଦ୍ଧାର କରି କୂଳକୁ ଆଣି ଥିଲେ । ପରେ ସେମାନଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇ ଥିଲା । ଏଠାରେ ଡାକ୍ତର ଦୁଇ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇବା ପରେ ଦୁଇ ମହିଳାଙ୍କ ପରିବାର ଓ ସମ୍ପର୍କୀୟ ମାନେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ । ଏଠାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇ ଥିବାର ଜଣା ପଡିଛି । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଖବର ପାଇବା ପରେ ବେତନଟୀ ଥାନା ପୋଲିସ ମୋରଡା ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରା ଯିବ ବୋଲି ଜଣା ପଡିଛି । ମୃତା ସାଲଗେଙ୍କର ଦୁଇ ଜଣ ପୁତ୍ର ଓ ଜଣେ କନ୍ୟା ସନ୍ତାନ ଅଛନ୍ତି । ସେହିପରି ମୃତା ଯମୁନାଙ୍କର ଜଣେ ମାତ୍ର ପୁତ୍ର ଥିବାର ଜଣା ପଡିଛି ।