ବେତନଟୀ : ବୈଶିଙ୍ଗା ଡାକ୍ତରଖାନାରେ ଉତ୍ତମ ସ୍ୱାସ୍ଥ୍ୟସେବା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗତ ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ କରାଯାଇଥିବା ରିଲେ ଅନଶନ ଆଜି ନବମ ଦିନରେ ପହଞ୍ଚିଛି। ପ୍ରତ୍ୟେକ ଦିନ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଶିଷ୍ଠ ବ୍ୟକ୍ତିବିଶେଷ ଅନଶନ ସ୍ଥଳରେ ପହଞ୍ଚି ଯଥାର୍ଥତାର ସମର୍ଥନ ଜଣାଇବା ସହିତ ଅନଶନକାରୀ ଙ୍କୁ ଆଗକୁ ବଢ଼ିବାର ବଳ ଯୋଗାଇ ଛନ୍ତି । ଆଜିର ନବମ ଦିନରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା , ବେତନଟୀ ବ୍ଲକ୍ର ପ୍ରେସ କ୍ଳବ ଉପଦେଷ୍ଟା ପ୍ରକାଶ ବେହେରା ଏବଂ ପ୍ରମେୟର ବାଲେଶ୍ଵର ସଂସ୍କରଣ ବ୍ୟୁରୋ ମୂଖ୍ୟ ସତ୍ୟଶିବ ଦାସ ପ୍ରମୁଖ ଉପସ୍ଥିତ ରହି ଆପଣମାନଙ୍କର ନ୍ୟାଯ୍ୟ ଦାବିକୁ ହାସଲ କରିବା ପର୍ଯ୍ୟନ୍ତ ଅନଶନ ଜାରି ରହୁ ବୋଲି ମତ ଦେଇଥିଲେ। ଏଥିପାଇଁ ଆମ୍ଭମାନଙ୍କ ଦ୍ଵାରା ଯାହା ସହଯୋଗ ଆବଶ୍ୟକ ସେଥିପାଇଁ ଆମ୍ଭେମାନେ ପ୍ରସ୍ତୁତ ବୋଲି ମଧ୍ୟ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି ଡାକ୍ତରଖାନା ଶହେ ବର୍ଷ ପୁରିବାକୁ ବସିଥିବା ବେଳେ ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରତି ବିଭିନ୍ନ ସରକାର ଗୁରୁତ୍ଵ ନ ଦେବା ପରିତାପର ବିଷୟ ବୋଲି ମତାମତ ଦେଇଥିଲେ।ଆଞ୍ଚଳିକ ବିକାଶ ପରିଷଦର ସଭାପତି ପ୍ରବୋଧ କୁମାର ପଣ୍ଡା ଅତିଥି ମାନଙ୍କର ଆଗମନ କୁ ଧନ୍ୟବାଦ ଜଣାଇଥିଲେ।