ମୟୂରଭଞ୍ଜରୁ କୋଟି କୋଟି ଟଙ୍କାର ଲଘୁ ଖଣିଜ ଲୁଟର ନାଟକକୁ ଉପଭୋଗ କରୁ ଥିଲା ଜିଲ୍ଲା ପ୍ରଶାସନ : ବଡସାହି ବିଧାୟକ ସନାତନ ବିଜୁଳି ବିଧାନସଭାରେ ପ୍ରଶ୍ନ କରିବାର ୮ ମାସ ପରେ ତତ୍ପରତା ପ୍ରକାଶ
ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲରୁ କୋଟି କୋଟି ଟଙ୍କାର ଲଘୁ ଖଣିଜ ଲୁଟ ହୋଇଛି । ପୁରୁଣିଆ, ସଠିଲୋ, ବେତନଟୀ, କେନ୍ଦୁଆ, ବୈଶିଙ୍ଗା, ଗଡଦେଉଳିଆ, ମହୀଷାଶୋଳ, ଆମ୍ବଗଡିଆ, ସନ୍ତରା, ମେରଦା ଓ ଅନ୍ୟାନ ପଞ୍ଚାୟତରେ ମାଫିଆ ମାନେ ବିନା ଅନୁମତି, ବିନା ପରମିଟ, ବିନା ଲିଜରେ ମାଫିଆ ମାନେ ମେସିନରେ ଖୋଳି, ଡମ୍ଫର ଓ ହାଇୱା ସହାୟତାରେ ହଜାର ହଜାର ଟ୍ରିପ ମୋରମ ବାହାର ଜିଲ୍ଲା ଓ ପଶ୍ଚିମବଙ୍ଗକୁ ଚାଲାଣ କରିଛନ୍ତି । ଏଥିରୁ ଆସିବାକୁ ଥିବା କୋଟି କୋଟି ଟଙ୍କାର ସରକାରୀ ରାଜସ୍ୱକୁ ମାଫିଆ ଓ ସରକାରୀ ବାବୁ ମାନେ ଗିଳି ଦେଇଛନ୍ତି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଚୁପ ରହିବା ପଛରେ କଣ ରହସ୍ୟ ରହିଛି ତାହା ତଦନ୍ତ ପରିସରଭୁକ୍ତ କରା ଯିବା ଆବଶ୍ୟକ ରହିଛି । ସେହିପରି ବାଲି ଘାଟ ଗୁଡିକରୁ ପରମିଟ ଟେମ୍ପୋରିଂ ଓ ଜାଲିଆତି କରା ଯାଇ କୋଟି କୋଟି ଟଙ୍କାର ବାଲି ଲୁଟ ହୋଇ ଥିବାର ଦେଖା ଯାଇଛି । ମାଇନିଂ ପ୍ଲାନ ମୁତାବକ ଲିଜଧାରୀଙ୍କୁ ଦିଆ ଯାଇଥିବା ଅଞ୍ଚଳରୁ କେତେ ବାଲି ଉଠି ପାରିବ, କେତେ ଗଭୀର ପର୍ଯ୍ୟନ୍ତ ଖୋଳା ଯାଇ ପାରିବ ତାହା ନିର୍ଦ୍ଧିଷ୍ଟ କରା ଯାଇ ଥାଏ ।
କିନ୍ତୁ ପଟାଦାର ଓ ମାଫିଆ ମାନେ ସବୁ ନିୟମକୁ ଜଳାଞ୍ଜଳୀ ଦେଇ ଅନୁମତି ପତ୍ରରୁ କୋଟି କୋଟି ଟଙ୍କାର ଅଧିକ ବାଲି ମଧ୍ୟ ଉଠାଇ ନେଇ ଥିବାର ଜଣା ପଡିଛି । ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ, ରାଜ୍ୟ ଅଡିଟ ଟିମ, ଜିଲ୍ଲା ଅଡିଟ ଟିମ, ରାଜସ୍ୱ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ, କେହି ହେଲେ କ୍ଷେତ୍ରକୁ ଆସି ରାଜସ୍ୱ ସହିତ ସିଧା ସଳଖ ସମ୍ପୃକ୍ତ ଥିବା ଲଘୁ ଖଣିଜର କ୍ଷତିକୁ ଆକଳନ ନକରିବା ଏବେ ପରିବେଶବିତ ମାନଙ୍କୁ ମଧ୍ୟ ବ୍ୟଥିତ କରିଛି । ଅନ୍ୟ ପକ୍ଷରେ ଅନୁମତି ନଥିବା ସ୍ଥାନରୁ କୋଟି କୋଟି ଟଙ୍କାର ମୋରମ ଓ ବାଲି ଉଠି ଚାଲାଣ ହେବା ପରେ ସଂପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମାନେ ରାଜସ୍ୱହାନୀ ରିପୋର୍ଟ ବନାଇ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି କି ନାହିଁ । ତହସିଲଦାର ପରବର୍ତ୍ତୀ କାଳରେ ଏହି ରିପୋର୍ଟ ଭିତ୍ତିରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ।
ବଡସାହି ବିଧାୟକ ସନାତନ ବିଜୁଳି ଗତ ୨୨ ନଭେମ୍ବର ୨୦୧୯ରେ ଓଡିଶା ବିଧାନା ସଭାରେ ୟୁଡି ପ୍ରଶ୍ନ ସଂଖ୍ୟା ୧୫୧୩ ଜରିଆରେ ବେତନଟୀ ଓ ବଡସାହି ତହସିଲ ଅଞ୍ଚଳରୁ ଚୋରା ମୋରମ ଓ ବାଲି ଚାଲାଣ ଖବର ସରକାରଙ୍କ ନିକଟରେ ଅଛିକି ନାହିଁ ବୋଲି ପ୍ରଶ୍ନ କରି ଥିଲେ । ଏହି ପ୍ରଶ୍ନର ଉତ୍ତର ରଖି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଲେ ଯେ ବେତନଟୀ ଓ ବଡସାହି ତହସିଲ ଅଞ୍ଚଳରୁ ବାଲି କିମ୍ବା ମୋରମ ଚୋରା ଚାଲାଣ ହୋଇ ବାଲେଶ୍ୱରକୁ ଯାଉ ନାହିଁ ବୋଲି ସେତେବେଳେ ସଫା ମନା କରି ଦେଇ ଥିଲେ । ରାଜସ୍ୱ ବିଭାଗ ଦ୍ୱାରା ୨୦୧୮-୧୯, ୨୦୧୯-୨୦ର (ଅକ୍ଟୋବର ୩୧) ପର୍ଯ୍ୟନ୍ତ ଆଦାୟ ହୋଇଥିବା ରାଜସ୍ୱ ଓ ଚୋରା ଚାଲାଣ ରୋକିବାକୁ ହୋଇ ଥିବା ଚଢ଼ାଉ ବାବଦରେ ସୂଚନା ଦେଇ ଥିଲେ । ସୂଚନା ମୁତାବକ ବଡସାହି ତହସିଲ ଅଧୀନରେ ମୋଟ ୫୨.୫୩୪ ହେକ୍ଟର ବାଲି ଶୈରାତ ଓ ୦.୫୫୮ ହେକ୍ଟର ମୋରମ ଶୈରାତକୁ ଲିଜ ଦିଆ ଯାଇ ୨୦୧୮-୧୯ରେ ୮୭ ଲକ୍ଷ ୧୭ ହଜାର ୦୦୪ଟଙ୍କା ରାଜସ୍ୱ ଆଦାୟ କରା ଯାଇ ଥିଲା ।
ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ଅକ୍ଟୋବର ପର୍ଯ୍ୟନ୍ତ ୬୩ ଲକ୍ଷ ୬୩୨ ଟଙ୍କା ରାଜସ୍ୱ ଆଦାୟ ହୋଇ ଥିଲା । ୨୦୧୯-୨୦ରେ ବାଗୁଲି ଓ ଆରପଟା ପାଇଁ କୌଣସି ରାଜସ୍ୱ ଆଦାୟ ହୋଇ ନଥିଲା । ଉକ୍ତ ଦୁଇ ବର୍ଷରେ କେବଳ ବାଲି ଉପରେ ୯୦ଟି ଚଢ଼ାଉ କରା ଯାଇ ୨ ଲକ୍ଷ ୮୧ ହଜାର ୨୧୦ ଟଙ୍କା ଜୋରିମାନା ଆଦାୟ କରା ଯାଇ ଥିଲା । ସେହିପରି ବେତନଟୀ ତହସିଲର ୨୫ ହେକ୍ଟର ବାଲି ଶୈରାତକୁ ଲିଜ ଦିଆ ଯାଇ ୨୦୧୮-୧୯ରେ ୪ ଲକ୍ଷ ୪୬ ହଜାର ଟଙ୍କା ଓ ୨୦୧୯-୨୦ରେ ଅକ୍ଟୋବର ପର୍ଯ୍ୟନ୍ତ ୨ ଲକ୍ଷ ୬୩ ହଜାର ଟଙ୍କା ଆଦାୟ ହୋଇ ଥିଲା । ୨୦୧୯-୨୦ରେ ବାଉଁଶନାଳ ବାଲି ଶଯ୍ୟା-୧, ବାଉଁଶନାଳ ବାଲି ଶଯ୍ୟା-୨ରୁ କୌଣସି ରାଜସ୍ୱ ମିଳି ନଥିଲା । ବେତନଟୀ ତହସିଲରେ ବାଲି ଚୋରା ଚାଲାଣ ଉପରେ ୨୭ଟି ଚଢ଼ାଉ କରା ଯାଇ ୨ ଲକ୍ଷ ୪୨ ହଜାର ୮୩୦ ଟଙ୍କା ଜୋରିମାନା ଆଦାୟ ହୋଇ ଥିଲା । ଏହି ଲିଜ ଗୁଡିକର ଅବଧି ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଥିଲା ବୋଲି ମନ୍ତ୍ରୀ ସୂଚନା ଦେଇ ଥିଲେ ।
କୋଭିଡ ପାଇଁ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫୁ୍ୟ ପାଇଁ ଜିଲ୍ଲାରେ ବହୁ କାମଦାମ ବନ୍ଦ ରହିଛି । ଏହା ଛଡା ସରକାରୀ ଭାବେ ନିଲାମ କାର୍ଯ୍ୟ ମଧ୍ୟ ହୋଇ ନାହିଁ । ପୁଣି ତର୍ଜମା କଲେ ଦେଖା ଯାଏ ମୋରମ ପାଇଁ ବେତନଟୀ ଓ ବଡସାହିରେ ସେମିତି କୌଣସି ସରକାରୀ ଶୈରାତ ମଧ୍ୟ ନାହିଁ । ତେବେ ହଜାର ହଜାର ଟ୍ରିପ ମୋରମ ଚାଲାଣ ବିଭିନ୍ନ ସ୍ଥାନରୁ ଉଠା ଯାଇ ଚାଲାଣ ପଛରେ କେଉଁ ରହସ୍ୟ ରହିଛି ତାକୁ ପର୍ଦ୍ଦାଫାଶ କରିବାକୁ ସାଧାରଣରେ ଦାବି ହୋଇଛି ।