ଆଞ୍ଚଳିକ ବିକାଶ ପରିଷଦର ରିଲେ ଅନଶନ କୁ କୁଡୁମୀ ସେନାର ସମର୍ଥନ, ଦାବି ପୂରଣ ନ ହେଲେ ତୀବ୍ର ଭାବେ ଏହାକୁ ବିରୋଧ କରାଯିବ : କୁଡୁମୀ ସେନା ପ୍ରତିଷ୍ଠା ସଭାପତି
ବେତନଟୀ : ବୈଶିଙ୍ଗା ଡାକ୍ତରଖାନା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପାଇଁ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବୈଶିଙ୍ଗା ଡାକ୍ତରଖାନା ପାର୍ଶ୍ଵରେ ରିଲେ ଅନଶନ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ୯୮ ବର୍ଷର ଏହି ଡାକ୍ତରଖାନା କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର -୨ ର ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ଧରି ୨୦ ପଞ୍ଚାୟତବାସୀଙ୍କ ସଂଘର୍ଷ ଜାରି ରହିଥିଲେ ମଧ୍ୟ ସରକାର ନ ଶୁଣିବା ପରିତାପର ବିଷୟ ପାଲଟିଛି । ଏହି ସମୟ ମଧ୍ୟରେ କେତେ ବିଧାୟକ, ମନ୍ତ୍ରୀ ଡାକ୍ତରଖାନା ପରିଦର୍ଶନ କରି ଉନ୍ନତ୍ତିକରଣ ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ପୂରଣ କରିବାରେ ବିଫଳ ହୋଇଛନ୍ତି ।ବଡ଼ସାହି ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ଅନଶନ ସ୍ଥଳ ରେ ପହଞ୍ଚି ଏହାକୁ ସମର୍ଥନ କରିବା ସହିତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବାକୁ ପରାମର୍ଶ ମଧ୍ୟ ଦେଇଥିବା ବେଳେ ଆଜି କୁଡ଼ୁମୀ ସେନାର ପ୍ରତିଷ୍ଠାତା ସଭାପତି ଜୈମୁନୀ କୁମାର ମହାନ୍ତ ଏବଂ ତାଙ୍କର ଏକାଧିକ ସମର୍ଥକଙ୍କ ସହ ଅନଶନ ସ୍ଥଳରେ ପହଞ୍ଚି ଅନଶନକାରୀ ଙ୍କୁ ଉତ୍ସାହିତ କରିବା ସହିତ ଏହି ଅନଶନ କୁ ଜାରି ରଖିବା ନିମନ୍ତେ ମତ ପ୍ରଦାନ କରିଥିଲେ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ର ଉନ୍ନତି କୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ବୈଶିଙ୍ଗା ଭଳି ଜାଗାରେ ଡାକ୍ତରଖାନାର ଉନ୍ନତିକରଣ ଏକାନ୍ତ ଆବଶ୍ୟକ ହୋଇ ପଡିଥିବା ବେଳେ ସରକାର କିପରି ନିଘୋଡ଼ ନିଦ୍ରାରେ ଶୋଇ ରହିଛନ୍ତି ତାହା ନିଜ ବକ୍ତବ୍ୟ ମାଧ୍ୟମରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଶ୍ରୀ ମହାନ୍ତ ପ୍ରଶ୍ନ କରିଥିଲେ । କୁଡ଼ୁମୀ ସେନା ତରଫରୁ ଏହି ଅନଶନ କୁ ସମର୍ଥନ କରିବା ସହ ଯଦି ଦାବି ଯଥା ଶୀଘ୍ର ପୂରଣ ନ ହୁଏ ତାହେଲେ ଏହି ଆନ୍ଦୋଳନକୁ ତୀବ୍ର ରୁ ତୀବ୍ରତର କରା ଯିବା ନେଇ ସରକାରଙ୍କୁ ମଧ୍ୟ ଚେତାବନୀ ମଧ୍ୟ ଦେଇଥିଲେ। ଏହି ଆନ୍ଦୋଳନରେ ଶହସ୍ର ସଂଖ୍ୟାରେ ଯୋଗ ଦେବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ । ଏହି ଅନଶନ ପାଇଁ ବିଭିନ୍ନ ରାଜନେତା, ସଙ୍ଗଠନ ଜନ ସାଧାରଣମାନଙ୍କର ସମର୍ଥନ ବଢି ବଢି ଚାଲିଥିବା ବେଳେ ଯଦି ଏହାର ସ୍ଥାୟୀ ସମାଧାନ ଶୀଘ୍ର ଭାବେ ନ ହୁଏ ତେବେ ଏହା ତୀବ୍ର ରୂପ ନେଇପାରେ ବୋଲି ଆକଳନ କରାଯାଉଛି । ବୈଶିଙ୍ଗା ଡାକ୍ତରଖାନା ର ସମସ୍ୟା ଏକ ସ୍ଥାନୀୟ ସମସ୍ୟା ହୋଇଥିବା ବେଳେ ସରକାର ଏଥି ପ୍ରତି ଦୃଷ୍ଟି ନଦେବା ସହ ଏହା କେବଳ ମିଥ୍ୟା ପ୍ରତିଶୃତିରେ ସୀମିତ ରଖିବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ସରକାରଙ୍କ ପ୍ରତି ଏକ ନକରାତ୍ମକ ଭାବନା ସୃଷ୍ଟି ହୋଇଥିବା ଦେଖାଯାଉଛି । ବୈଶିଙ୍ଗା ଡାକ୍ତରଖାନାର ସ୍ୱାସ୍ଥ୍ୟ ସେବା ପରିସ୍ଥିତି ବିଗିଡି ଯାଇଥିବା ବେଳେ କେତେକ ନେତୃ ଶ୍ରେଣୀ ର ଲୋକେ ଏହି ସମସ୍ୟାକୁ ନେଇ ରାଜନୀତି କରିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହାର ପ୍ରତିଫଳନ ଭୋଟ ମାଧ୍ୟମରେ ଦେଖାଇବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ବିକାଶ ପରିଷଦର ସଭାପତି ପ୍ରବୋଧ କୁମାର ପଣ୍ଡା ପ୍ରକାଶ କରିଛନ୍ତି।
