ବେତନଟୀ : ଆଜି ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ଭୁରୁଡୁବଣୀ ମୌଜାରୁ ରାତ୍ରୀରେ ମୋରମ ଚାଲାଣ ବେଳେ ଚଢ଼ାଉ କରି ଥିଲେ । ଜନ ସାଧାରଣଙ୍କ ଅଭିଯୋଗ ମୂଳେ ପୋଲିସ ତରଫରୁ ଏହି ଚଢ଼ାଉ କରା ଯାଇ ଥିବାର ଜଣା ପଡିଛି । ଏଠାରୁ ଦୀର୍ଘ ଦିନ ଧରି ମୋରମ ଉତ୍ତୋଳନ ହେଉ ଥିବାର ଅଭିଯୋଗ ପୋଲିସକୁ ମିଳି ଥିଲା । ଏହି ଚଢ଼ାଉ ବେଳେ ମୋରମ ବୋଝେଇ ହୋଇ ଥିବା ପାଞ୍ଚ ଗୋଟି ଡମ୍ଫର, ଗୋଟିଏ ଜେସିବିକୁ ପୋଲିସ ଜବତ କରି ଥାନାକୁ ଆଣି ଥିବାର ଜଣା ପଡିଛି । ଏହି ପାଞ୍ଚ ଗୋଟି ଡମ୍ଫର ମଧ୍ୟରୁ ଦୁଇ ଜଣ ଡ୍ରାଇଭର ଅନ୍ଧକାରର ସୁବିଧା ନେଇ ଫେରାର ହୋଇ ଯାଇ ଥିବା ବେଳେ ତିନି ଜଣ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।
ଜବତ ହୋଇ ଥିବା ଗାଡି ଗୁଡିକର ନମ୍ବର ହେଲା ଓଡି-୦୧ଜି-୬୬୪୧, ଓଡି-୦୧ଏଚ-୨୮୪୩, ଓଆର-୦୧ଆର-୩୫୭୯, ଓଆର-୦୧ଏସ-୭୫୩୩, ଓଡି-୦୧ଡି-୮୮୩୦ ବୋଲି ଜଣା ପଡିଛି । ବେତନଟୀ ଥାନା ଏସଆଇ ଶ୍ରୀନିବାସ ମାର୍ଥା, ଏସଆଇ ବିନୟ ରଞ୍ଜନ ପରିଡା, ଏସଆଇ ଲକ୍ଷ୍ମୀ ମାଝୀ, ଏଏସଆଇ ପିକେ ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଚଢ଼ାଉରେ ଭାଗ ନେଇ ଥିଲେ । ଘଟଣାକୁ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ତଦାରଖ କରୁ ଥିବାର ଜଣା ପଡିଛି । ଏହି ପାଞ୍ଚ ଗୋଟି ଡମ୍ଫର ନାମରେ ବେତନଟୀ ଥାନାରେ ଦଫା ୩୭୯, ୩୪ ଭାରତୀୟ ପିଙ୍ଗଳ କୋଡ, ଅନୁଚ୍ଛେଦ ୨୧ ଏଏମଡିଆର ଆଇନ ମୂଳେ ପାଞ୍ଚ ଗୋଟି ପୃଥକ ମାମଲା ରୁଜୁ ହୋଇ ଥିବାର ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।