ବେତନଟୀ : ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳ ମାନେ ଭୋଟରଙ୍କ ପାଇଁ ବହୁ ପ୍ରତିଶୃତି ଦେଇଥାଆନ୍ତି । ବିଜେଡି ସରକାର ୨୦୧୮ ମସିହା ମେ ମାସ ୩୧ ତାରିଖରେ ଚିଠି ନଂ ୩୨୩୩/୨୦୧୮ ଜରିଆରେ ସମଗ୍ର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୨ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ୩ ପ୍ରତିଶତ ସୁଧରେ ସ୍କୁଟର ପାଇଁ ୫୦ ହଜାର, କାର ପାଇଁ ୪ଲକ୍ଷ, ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କାର ଋଣ ସୁବିଧା ମିଳିବ ବୋଲି ଘୋଷଣା କରିଥିଲେ। ଏଥିରୁ ମୂଖ୍ୟତଃ ପେନସନ ଯୋଜନାକୁ ବାଦ ଦିଆ ଯାଇଥିଲା। ସେହିପରି କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁ ବରଣ କରିଲେ ତାଙ୍କ ପୁତ୍ର, କନ୍ୟା ମାନଙ୍କୁ ପାଠ ପଢାଇବା ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା , ଉଚ୍ଚ ଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ଯୋଗାଇ ଦିଆଯିବାର ଘୋଷଣା କରିଥିଲେ। ଏହି ଯୋଜନା ଦେଶର ହରିଆନା , ଆସାମ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡୁ ଭଳି ଅନେକ ରାଜ୍ୟରେ ସାମ୍ବାଦିକ ମାନଙ୍କ ପାଇଁ କାର୍ଯ୍ୟକାରୀ କରୁଅଛି। କରୋନା କାଳରେ ଓଡ଼ିଶାରେ କାର୍ଯ୍ୟରତ କିଛି ସାମ୍ବାଦିକଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାରକୁ ସାହାଯ୍ୟ ସହଯୋଗ ଦିଆଯାଇଛି ସତ କିନ୍ତୁ ପେନସନ ଏବଂ ବାଇକ, କାର, ଗୃହ ଋଣ ଯୋଜନାର ସୁଫଳ ଅଦ୍ୟାବଧି ସାମ୍ବାଦିକଙ୍କ ନିକଟରେ ଅପହଞ୍ଚ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ତଥା ରାଜ୍ୟ ସଂଘ ର ବହୁ ଦାବି ପରେ କେବଳ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ର ବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରାଗଲା, ତତସହିତ ଏକ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହେଲା। କିନ୍ତୁ ବହୁ ସାମ୍ବାଦିକ ଏଥିରେ ଥିବା କଟକଣାକୁ ସଠିକ ଢଙ୍ଗରେ ପୂରଣ କରି ନ ପାରି ବହୁ ସାମ୍ବାଦିକ ଆବେଦନର ଶେଷ ତାରିଖ ପର୍ଯ୍ୟନ୍ତ ଏଥିରୁ ବଞ୍ଚିତ ହୋଇ ଥିବା ଜଣାଯାଇଛି। ତେଣୁ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପ୍ରତି କେତେ ଯତ୍ନବାନ ତାହା ବାରିହୋଇ ପଡ଼ୁଛି। ଏଥି ସହିତ ସାରା ରାଜ୍ୟରେ ଅନେକ ସମୟରେ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର , ପୋଲିସ ଜୁଲମ, ପ୍ରଶାସନର ଅଣଦେଖା , ରାଜନୈତିକ ଗୁଣ୍ଡାଙ୍କର ଧମକ ବିରୁଦ୍ଧରେ ସରକାର ଦେଇଥିବା ପ୍ରତିଶୃତି ଏବେ ବି ଶୀତଳଭଣ୍ଡାର ରେ ପଡି ରହିଛି। ଗଣତାନ୍ତ୍ରିକ ସରକାରରେ ଚତୁର୍ଥ ସ୍ତମ୍ଭ ପ୍ରତି ଏ ଅବିଚାର କୁ ବରଦାସ୍ତ କରାଯିବ ନାହିଁ ବୋଲି ମୟୂରଭଞ୍ଜ ଜିଲ୍ଲା ସଂଘ, ବୈଶିଙ୍ଗା ସାମ୍ବାଦିକ ସଂଘ ଏବଂ ରାଜ୍ୟ ସାମ୍ବାଦିକ ସଂଘ ମହଲରେ ପ୍ରକାଶ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ପୁଣି ରାଜ୍ୟ ସରକାର ଏଭଳି କିଛି ଲଲିପପ ଦେଇ ଆନ୍ଦୋଳନକୁ ପ୍ରଶମିତ କରିବେନି ତ ବୋଲି ସମସ୍ତ ସାମ୍ବାଦିକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।
