Odisha news

ଶିମିଳିପାଳ ହାତୀଙ୍କ ଆକ୍ରୋଷର ଶିକାର ହେଲେ ଚାରି ଗୋଟି ଗ୍ରାମର ଗ୍ରାମବାସୀ , ବ୍ୟାପକ ଫସଲ ନଷ୍ଟ : କଦଳୀ ପଣସ ଖାଇ ଖୁସିରେ ନାଚିଲେ ଦୁଇ ଛୁଆ ହାତୀ

0

ବେତନଟୀ  : ମୟୂରଭଞ୍ଜ ଜିଲ୍ଲାର ସୁରେଇଡିହି, ଚାକୁଣ୍ଡାପଦା, ଜାମଶୂଳୀ ଓ ନୟାବସନ୍ତପୁର ଗ୍ରାମରେ ପଶି ୮ଟି ଶିମିଳିପାଳ ହାତୀ ପ୍ରବଳ ଉପଦ୍ରବ କରି ଥିବାର ଜଣା ପଡିଛି । ଏହି ଦଳରେ ଦୁଇଟି ଦନ୍ତା, ଦୁଇଟି ଛୁଆ ଓ ଚାରି ଗୋଟି ମାଈ ହାତୀ ଅଛନ୍ତି । ଏହି ହାତୀ ଗୁଡିକ ଲୋକଙ୍କ ଘର ବାଡିରେ ପଶି ପଣସ, କଦଳୀ, ପନିପରିବା ଖାଇ ଛାରଖାର କରି ଥିବାର ଜଣା ପଡିଛି । ସବୁଠାରୁ ବଡ କଥା ହେଲା ଏହି ଅଞ୍ଚଳର ଚାଷୀ ମାନେ ଗତ ତିନି ସପ୍ତାହ ତଳେ ଧାନ ତଳା ପକାଇ ଥିଲେ ଓ ମୌସୁମୀ ବର୍ଷାରେ ହଳ କରି ଜମିକୁ ଧାନ ପୋତିବାକୁ ଉଦ୍ୟତ ହେଉ ଥିଲେ । ଗତକାଲି ହାତୀ ଗୁଡିକ ଧାନ ତଳା ଗୁଡିକୁ ମାଡି ଚକଟି ନଷ୍ଟ କରି ଦେବା ଦ୍ୱାରା ଏବେ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି । ଏହି ଅଞ୍ଚଳର ଅନ୍ୟୁନ ୧୦୦ ଏକର ଜମିର ଚାଷ ଏବେ ପଛାଇ ଯିବ । ଚାଷୀ ମାନେ ନୂତନ ଭାବେ ତଳା ପକାଇରେ ଏହା ଉଠାଇ ପୋତିବା ଯୋଗ୍ୟ ହେବା ପାଇଁ ଆହୁରି ତିନି ସପ୍ତାହ ଲାଗିବ । ଗୋଟିଏ ପଟେ ବିହନ ମିଳୁ ନଥିବା ବେଳେ ଚାଷୀ ମାନେ ୨୦ କି:ଗ୍ରା: ବିହନକୁ ମାର୍କେଟରୁ ୯୦୦ ଟଙ୍କା ହିସାବରେ କିଣି ତଳା ଦେଇ ଥିଲେ ।

ବିହନ ଓ ଅନ୍ୟାନ ଖର୍ଚ୍ଚ ସହିତ ଏହି ୨୦ କି:ଗ୍ରା:କୁ ପୋତିବା ଉପଯୋଗୀ କରିବା ପାଇଁ ଚାଷୀ ୧୫୦୦ ଟଙ୍କା ଖର୍ଚ୍ଚ କରି ଥିଲେ । ଏହି ତଳା ଗୋଟିଏ ଏକର ଜମି ପାଇଁ ଉଦ୍ଧିଷ୍ଟ ଥିଲା । ସେହିପରି ୧୦୦ ଏକର ଜମି ପାଇଁ ପ୍ରସ୍ତୁତ ତଳା ନଷ୍ଟ ହୋଇ ଯାଇଛି । ବିଶେଷ କରି ହାତୀ ଦ୍ୱାରା କାର୍ତ୍ତିକ ଚନ୍ଦ୍ର ମହାନ୍ତ, ଶୁଶୁଲ ଚନ୍ଦ୍ର ମହାନ୍ତ, ମହେଶ୍ୱର ମହାନ୍ତ, ବାବୁଜୀ ମହାନ୍ତ, ସୁକାନ୍ତ କୁମାର ମହାନ୍ତ, ସର୍ବେଶ୍ୱର ମହାନ୍ତ, ଦୀପ୍ତିପ୍ରକାଶ ମହାନ୍ତ, ଭୁବନ ପାତ୍ର, ସନ୍ତୋଷ କୁମାର ମହାନ୍ତ, ବିଦ୍ୟାଧର ପାତ୍ର, କାର୍ତ୍ତିକ ଚନ୍ଦ୍ର ମହାନ୍ତ ଓ ଅନ୍ୟମାନେ ପ୍ରଭାବିତ ହୋଇଛନ୍ତି । ହାତୀ ଚାକୁଣ୍ଡାପଦାର ମଧୁସୂଦନ ମହାନ୍ତଙ୍କ ପନôୀ ସୁବାସିନୀ ମହାନ୍ତଙ୍କ ଘର ଭାଙ୍ଗି ଦେଇ ଥିବାର ଜଣା ପଡିଛି । ଏହାକୁ ନେଇ ଗ୍ରାମ ଗୁଡିକରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇବା ପରେ ଚାକୁଣ୍ଡାପଦାର ବାବା ସ୍ୱପ୍ନେଶ୍ୱର ବନ ସୁରକ୍ଷା ସମିତିର ସଭାପତି ଅମରେନ୍ଦ୍ର ମହାନ୍ତ ଓ ଅନ୍ୟ ଗ୍ରାମବାସୀଙ୍କ ନିକଟରୁ ଖବର ପାଇବା ପରେ ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, ଜାମଶୂଳୀ ବନପାଳ ଦୁଲାଲଚନ୍ଦ୍ର ଦିଗାର, ବନରକ୍ଷୀ ରାଇଧନ ସିଂ ଓ ଅନ୍ୟମାନେ ଗ୍ରାମରେ ପହଞ୍ଚି ଥିଲେ ।

ଏହି ବୈଠକରେ ଗ୍ରାମର ଅମରେନ୍ଦ୍ର ମହାନ୍ତ, ରାମଚନ୍ଦ୍ର ମହାନ୍ତ, ସମରେନ୍ଦ୍ର ମହାନ୍ତ, ଲକ୍ଷ୍ମଣ ମହାନ୍ତ, ଝଗୁଳୁ ମହାନ୍ତ, ହରେକୃଷ୍ଣ ମହାନ୍ତ, ବଳ ମହାନ୍ତ, ଭୁଆ ମହାନ୍ତ ଓ ଟେକେରା ପାତ୍ର ଓ ଅନ୍ୟମାନେ ଯୋଗ ଦେଇ ହାତୀ ଗୁଡିକୁ ତୁରନ୍ତ ଅଞ୍ଚଳରୁ ଘଉଡାଇବାକୁ ମତ ରଖି ଥିଲେ । ଏହି ହାତୀ ପଲରେ ଥିବା ଦୁଇଟି ଯାକ ଦନ୍ତା ଅତ୍ୟନ୍ତ ଭୟାନକ ହେଉ ଥିବାର ଜଣା ପଡିଛି । ରାତ୍ରୀରେ ନିଆଁ ଜଳାଇଲେ କିମ୍ବା ମଶାଲ ଦେଖାଇଲେ ମଧ୍ୟ ଏହି ହାତୀ ଗୁଡିକ ଯାଉ ନଥିବାରୁ ଏବେ ଏମାନେ ଗ୍ରାମ ଗୁଡିକ ପାଇଁ ବିପଦର କାରଣ ହୋଇଛନ୍ତି । ତେବେ ହାତୀ ଗୁଡିକର ଗତିବିଧି ଉପରେ ଲକ୍ଷ୍ୟ ରଖିବାକୁ ଜଙ୍ଗଲ ସୁରକ୍ଷା କମିଟୀକୁ ଦାୟୀତ୍ୱ ଦିଆ ଯାଇଛି । ବନ କର୍ମଚାରୀ ମାନେ ଆଜି ଠାରୁ ପାଟ୍ରୋଲିଂ ବଢ଼ାଇବେ ବୋଲି ଜଣା ପଡିଛି । ବନ ସୁରକ୍ଷା ସମିତିକୁ ବନ ବିଭାଗ ତରଫରୁ ଟର୍ଚ୍ଚ କିଣିବାକୁ ପାଣ୍ଠି ଯୋଗାଇ ଦିଆ ଯାଇଛି । ଶେଷରେ ବନ ସୁରକ୍ଷା ସମିତିର ସଭାପତି ଅମରେନ୍ଦ୍ର ମହାନ୍ତ ଧନ୍ୟବାଦ ଜଣାଇ ଥିଲେ ।

Nalco
Leave A Reply