ବେତନଟୀ : ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ କରିବା ସହ ଛିନତାଇ କରି ଫେରାର ହେଇଯାଉଥିବା ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୁଲିସ। ମିଳିଥିବା ସୂଚନା ଅନୁସାରେ ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ଜାରକା ଛକ ନିକଟରେ ୨୧ ତାରିଖ ବୁଧବାର ରାତି ସମୟରେ ଜନୈକ ଯୁବକଙ୍କୁ ମାଡ ମାରି ତାଙ୍କ ନିକଟରୁ ମୋବାଇଲ ଏବଂ ପର୍ସ ଲୁଟି ନେଇ ଫେରାର ହୋଇଯାଇଥିଲେ ଏହି ଗ୍ୟାଙ୍ଗ । ଛିନତାଇର ଶିକାର ହୋଇଥିବା ଯୁବକ ଜଣକ ବେତନଟୀ ବ୍ଲକ ଅଧୀନ ଦହିକୋଟି ଅଞ୍ଚଳର ଚନ୍ଦ୍ରଶେଖର ମହାନ୍ତ । ସେ ବାଲେଶ୍ୱର ସ୍ଥିତ ଟାଟା ପାୱାର ଅଫିସରେ କାର୍ଯ୍ୟ କରୁଥିବା ବେଳେ ରାତି ୧୦ଟାରେ ଡିଉଟି ସରିବାପରେ ସେ ବୁଧବାର ନିଜ ବ୍ୟାଟେରୀ ଚାଳିତ ସ୍କୁଟିକୁ ଧରି ଘରକୁ ଯାଉଥିବା ବେଳେ ଜାରକା ଛକ ନିକଟରେ ସେ ଟିକେ ଅଟକି ଯାଇଥିଲେ l ଠିକ ସେହି ସମୟରେ ବିପରୀତ ଦିଗରୁ ଗୋଟେ ପଲସର ବାଇକରେ ତିନି ଜଣ ଅଜଣା ଯୁବକ ଆସି ତାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ସ୍କୁଟିକୁ ବି ଭାଙ୍ଗିରୁଜି ଦେଇଥିଲେ l ପରେ ତାଙ୍କଠାରୁ ତାଙ୍କ ମୋବାଇଲ ଓ ମନିପର୍ସ ନେଇ ବୈଶିଙ୍ଗା ପଟକୁ କ୍ଷିପ୍ର ଗତିରେ ପଳେଇଯାଇଥିଲେ l ଚନ୍ଦ୍ରଶେଖରଙ୍କ କହିବାନୁଯାଇ ମନିପର୍ସରେ ତାଙ୍କର ଜରୁରୀ କାର୍ଡ, ନଗଦ ପାଖାପାଖି ୨ ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଥିଲା l ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚି ଗୋଡ଼ରେ ଶକ୍ତ ଆଘାତ ପାଇ ଗୁରୁତର ଭାବେ ଚନ୍ଦ୍ରଶେଖରଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ଓ ପରେ ବାରିପଦା ଡାକ୍ତରଖାନାକୁ ନେଇଯାଇଥିଲେ l ଶୁକ୍ରବାର ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ୨୪୩/୨୨ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଏହି ଲୁଟ୍ ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୁଲିସ। ୪ଅଭିଯୁକ୍ତ ହେଲେ ବାଲେଶ୍ଵର ଅଞ୍ଚଳର ବାବୁ ଓରଫ୍ ଜଗଜିତ ରାଉତ (୨୮), ସେକ ବଣ୍ଟି (୨୧), ସେକ ୱାସିମ (୨୨)ଓ ମାଷ୍ଟର ମାଇଣ୍ଡ ଭାବେ ବିଜୁ ଓରଫ୍ ଅଜୁ ବାରିକ (୨୫) ବୋଲି ଜଣାଯାଇଛି ।