ବେତନଟୀ : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମ ରେଳ ଲାଇନ ନିକଟରେ ଟ୍ରେନ ଧକ୍କାରେ ଜଣେ ବାଇକ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନ ସମୟରେ ଭଗବାନପୁର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଜ୍ୟେଷ୍ଠ ପୁତ୍ର ଲକ୍ଷ୍ମୀଧର ଦେହୁରୀ(୨୭) କୌଣସି କାର୍ଯ୍ୟ ପାଇଁ ନିଜର ମୋଟର ସାଇକେଲ ଯୋଗେ ରେ ଗ୍ରାମ ପାର୍ଶ୍ୱ ଦେଇ ଯାଇଥିବା ରେଳ ଧାରଣା ପାର ହୋଇ ଯାଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଏହି ସମୟରେ ବାରିପଦାରୁ ରୁପ୍ସା ଆସୁଥିବା ମେମୁ ଟ୍ରେନ୍ ତାଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢିଯାଇଥିଲା ଯାହାଫଳରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁ ବରଣ କରିଥିଲେ । ଘଟଣାସ୍ଥଳରେ ହିଁ ବାଇକଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ସେ ଅନ୍ୟମନସ୍କଭାବେ ତରତର ହୋଇ ରେଳଧାରଣା ପାର କରୁଥିବାର ସୂଚନା ମିଳିଛି। ଟ୍ରେନ କିଛି ସମୟ ଧରି ଉକ୍ତ ସ୍ଥାନରେ ଅଟକ ରହିଥିଲା ଓ ପରେ ରେଳଧାରଣାରୁ ବାଇକଟିକୁ ଉଠାଯିବା ପରେ ଆଗକୁ ସ୍ଵାଭାବିକ ଭାବେ ଆଗକୁ ଯାଇଥିଲା। ଖବର ପାଇ ବୈଶିଙ୍ଗା ପୁଲିସ ଏବଂ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି। ସ୍ଥାନୀୟ ଲୋକ ମାନଙ୍କ କହିବା ମୁତାବକ ଉକ୍ତ ସ୍ଥାନରେ ନୂତନ ଫାଟକ ଏବଂ ଜଗୁଆଳି ପାଇଁ ବାରମ୍ଵାର ରେଳ ରୋକ, ଧାରଣ, ପ୍ରତିବାଦ ତତ୍ ସହିତ ବିଧାୟକ, ସାଂସଦ,ରେଳବିଭାଗ ଏବଂ ଅନ୍ୟ ସମସ୍ତଙ୍କୁ ଦାବିପତ୍ର ଦେଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଫଳାଫଳ ଶୂନ୍ । ଯଦି ସେହି ସ୍ଥାନରେ ଫାଟକ ଥାଆନ୍ତା ତାହାଲେ ଏହି ବ୍ୟକ୍ତି ଜଣକ ମୃତ୍ୟୁ ମୁଖରୁ ବଞ୍ଚି ପାରିଥାଆନ୍ତା ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।