ବେତନଟୀ : ବେତନଟୀ ବ୍ଲକ ଅଧୀନ ଚାଞ୍ଝିପଦା ପଞ୍ଚାୟତର କୁରାଢ଼ିକ ଗ୍ରାମରେ ୨୦୧୯ ମସିହାରୁ ବସୁଧା ଯୋଜନା ଅଧୀନରେ ନିର୍ମିତ ୧ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଏକ ପାଣି ଟାଙ୍କି ସହିତ ୨ଟି ଉଚ୍ଚ କ୍ଷମତା ସମ୍ପନ୍ନ ବୋରିଂ ଖୋଳା ଯାଇଥିଲା l କୌଣସି ସମସ୍ୟା ପାଇଁ ଦୀର୍ଘ ଦିନ ହେବ ବିଦ୍ୟୁତ ସଂଯୋଗ କରାଯାଇ ପାରିନଥିଲା l ଗତ ବର୍ଷ ଏପ୍ରିଲ ମାସରେ ସ୍ଥାୟୀ ବିଦ୍ୟୁତ ସଂଯୋଗ କରାଯାଇ ଗ୍ରାମବାସୀଙ୍କୁ ଟେପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା l ମାତ୍ର ୧ ମାସ ମଧ୍ୟରେ ଟେପରୁ ପାଣି ବଦଳରେ କୁଢ଼ କୁଢ଼ ବାଲି ବାହାରିବା ସହିତ ପାଣି ଆଉ ପାନୀୟ ଯୋଗ୍ୟ ହେଲାନି l ଏ ନେଇ ଗ୍ରାମବାସୀ ଠିକାଦାରଙ୍କୁ ଅଭିଯୋଗ କଲା ପରେ ସେ ୨ଟି ବୋରିଂରୁ ଗୋଟିଏରୁ ପ୍ରଚୁର ପରିମାଣରେ ବାଲି ବାହାରୁଥିବାର ଦେଖିଥିଲେ ଓ ସେହି ସମୟରେ ଓଭରହେଡ଼ ଟାଙ୍କିରୁ ମଧ୍ୟ ବାଲି ବାହାରି ଥିବାର ଗ୍ରାମବାସୀମାନେ ପ୍ରକାଶ କରିଥିଲେ l ପରେ ଠିକାଦାର ଦୁଇ ଦୁଇ ଥର କମ୍ପ୍ରେସର କରାଇଥିଲେ ବି ସମସ୍ୟାର କିଛି ସମାଧାନ ହୋଇନଥିଲା ଓ ସେ ନିରୁପାୟ ହୋଇ ଛାଡି ଚାଲି ଗଲେ l ଏହି ଟାଙ୍କିରୁ ଗ୍ରାମର ୨୭୦ ଜଣଙ୍କ ଘରକୁ ପାଇପ ସଂଯୋଗ କରାଯାଇ ପାଣି ଯୋଗାଇ ଦିଆଯାଉଥିଲା l ହେଲେ ଏବେ ଗୋଟେ ବୋରିଂ କାମ କରୁଥିବାବେଳେ ଏହା ଲୋକଙ୍କ ପାନୀୟ ଜଳ ଚାହିଦା ପୂରଣ କରିପାରୁନି ଫଳରେ ଲୋକମାନେ ପାନୀୟ ଜଳ ସମସ୍ୟାକୁ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଚଳିତ ବର୍ଷ ଖରାଦିନ ଆରମ୍ଭରୁ ଉତ୍କଟ ହୋଇଥିବା ଜଳ କଷ୍ଟ ନେଇ ଗ୍ରାମବାସୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ବି ଏଯାବତ କୌଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି l