ବେତନଟୀ :ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲରେ ସିଲିଂ ଉଦବୃତ୍ତ ଜମିର ବ୍ୟାପକ ଦୁର୍ନୀତି ଘଟଣାରେ ସୋମବାର ପୁଣି ପ୍ରତାରିତ ଭୂମିହୀନ ପରିବାର ବାରିପଦା ଠାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୨୨ମସିହା ସେପ୍ଟେମ୍ବର ୧୪ତାରିଖରେ ମୟୂରଭଞ୍ଜ ଗସ୍ତରେ ଆସିଥିବା ଆରଡ଼ିସିଙ୍କ ନିକଟରେ ଅଭିଯୋଗ କରିବାରୁ ବାରିପଦା ତହସିଲଦାର ବିକ୍ରମ କିଶୋର ପରିଡ଼ାଙ୍କୁ ତଦନ୍ତ ନେଇ ଦାୟିତ୍ୱ ପ୍ରଦାନ କରିଥିଲେ। ତତସହିତ ଆରଡିସିଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଘଟଣାର ତଦନ୍ତ ଆରମ୍ଭ କରି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନମିତା ଧଳଙ୍କ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ।ପରବର୍ତ୍ତୀ ସମୟରେ ତାଙ୍କ ନିକଟରୁ ତହସିଲଦାର ଦାୟିତ୍ଵ ଅପସାରଣ କରାଯାଇ ସ୍ଥାୟୀ ତହସିଲଦାର ନିଯୁକ୍ତି ପର୍ଯ୍ୟନ୍ତ ବାରିପଦା ତହସିଲଦାର ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କିଛି ଦିନ ପରେ ନୂତନ ତହସିଲଦାର ଭାବେ ଅନିତା ନାୟକ ୨୦୨୨ ଅକ୍ଟୋବର ୨୧ ତାରିଖରେ ଦାୟିତ୍ଵ ଗ୍ରହଣ କରିଥିଲେ ମଧ୍ୟ ଘଟଣାର ତଦନ୍ତ ଆଗକୁ ବଢୁନଥିବା ଅଭିଯୋଗ ହୋଇଛି। ସୂଚନା ଥାଉ କି, ବେତନଟୀ ତହସିଲ କାର୍ଯ୍ୟାଳୟ ବାଲି ମୋରମ ଦୁର୍ନିତୀ ପରେ ପୁଣି ଥରେ ସିଲିଂ ଜମି ଦୁର୍ନିତୀ ସନ୍ଦେହ ଘେରକୁ ଆସିଛି। ତହସିଲଦାର ପଦବୀ ଖାଲି ପଡିଥିବା ବେଳେ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ନାମରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆରଡିସି)ଙ୍କ ସମେତ ବାରିପଦା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ତହସିଲ ତଥା ବୈଶିଙ୍ଗା ରାଜସ୍ୱ ନିରୀକ୍ଷକ ଅଧୀନ ଦୁର୍ଗାପୁର ଗ୍ରାମର ହରିଜନ, ଆଦିବାସୀ ଓ ସାଧାରଣବର୍ଗର ଭୂମିହୀନ ହିତାଧିକାରୀ ଓଏଲଆର ସିଲିଂ ମୋକଦ୍ଦମା ୧୦/୧୯୭୪ମୂଳେ ସିଲିଂ ଉଦବୃତ୍ତ ଜମି ପାଇଥିଲେ । ଯାହାକି ସତ୍ତ୍ୱ ସ୍ୱାର୍ଥ ଅଧିକାର ବଳରେ ମିଳିଥିବା ଜମି ଭୋଗଦଖଲ କରି ଆସୁଛନ୍ତି। ତେବେ ଉଚ୍ଚନ୍ୟାୟାଳୟର ଆଦେଶକୁ ଅବମାନନା କରି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନମିତା ଧଳ ଅସାଧୁ ଉପାୟରେ ସେମାନେ ଦଖଲ କରୁଥିବା ୧୯ଏକର ଜମିକୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ପାଣିଷଣ୍ଢା ଗ୍ରାମର ଗୋଲାମ ଖାନ୍ଙ୍କ ପୁଅ ଜାଏଦ ଅଲ୍ଲୀଙ୍କ ନାମରେ ଏମସି ନଂ ୧୬୨୯/୨୦ ଆଧାରରେ ଖାତା ନଂ ୨୪୨/୧୬କ୍ରମେ ରେକର୍ଡ କରିଦେଇଥିବା ଅଭିଯୋଗ ହୋଇଛି। ଯାହାକି ବିକ୍ରେତାଙ୍କ ସିଲିଂ ବହିର୍ଭୁତ ଜମିକୁ ସେମାନଙ୍କୁ ଦିଆଯାଇଛି । ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ତହସିଲ କାର୍ଯ୍ୟାଳୟର ଦୁର୍ନିତି ଲୋକ ଲୋଚନକୁ ଆସିବ ବୋଲି ଅଭିଯୋଗକାରୀଗଣ ୨୦୨୨ ସେପ୍ଟେମ୍ବର ୧୪ତାରିଖରେ ୩ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସିଲିଟେସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିର କୋର୍ଟରେ ଭେଟି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆରଡିସି)ଙ୍କୁ ପ୍ରଦାନ କରିଥିଲେ । ଏଥିରେ ଆରଡିସି ଉତକ୍ଷିପ୍ତ ହେବା ସହିତ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତଦନ୍ତ ଆଦେଶ ଦେଇଥିଲେ। ଜିଲ୍ଲାପାଳ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ଆବଶ୍ୟକ ପଡ଼ିଲେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଆରଡ଼ିସି ଅଭିଯୋଗକାରୀଙ୍କୁ ପ୍ରତିଶୃତି ଦେଇଥିଲେ। ପରନ୍ତୁ ଆଜିକୁ ୮ମାସରୁ ଅଧିକ ସମୟ ବିତିଥିଲେ ହେଁ ତଦନ୍ତ ସରୁନାହିିଁ। ଫଳରେ ଭୂମିହୀନ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ରହିଛନ୍ତି ।