ବେତନଟୀ : ୧୮ ନଂ ଜାତୀୟ ରାଜପଥ ନହରପାଟଣା ଠାରୁ ଝାରପୋଖରିଆ ପର୍ଯ୍ୟନ୍ତ ୮୧ କିଲୋମିଟର ରାସ୍ତା ଦୋହରି କରଣ ରେ ସାମିଲ ହେଲା ପରେ ନିର୍ମାଣ ସରିବା ପାଇଁ ୩ବର୍ଷ ସମୟ ଲାଗିଲା ତଥାପି କେତେକ ସ୍ଥାନରେ ଅଣ୍ଡରପାସ ର ଆବଶ୍ୟକତାକୁ ଉପଲବ୍ଧି କରି ନବନିର୍ମିତ ରାଜପଥକୁ ଭାଙ୍ଗି ପୁନର୍ବାର ଅଣ୍ଡରପାସ ତିଆରି କରା ଚାଲିଛି। ଯାନବାହନ ଚଳାଚଳ ଏବଂ ଅଞ୍ଚଳବାସୀଙ୍କ ଆବଶ୍ୟକତା ମୁତାବକ ଅଭରବ୍ରିଜ ଏବଂ ଗଳାପୋଲ କରାଯାଉଥିବା ବେଳେ ବୈଶିଙ୍ଗା ପାଇଁ ରାଜପଥ ବିଭାଗର ଅସୂୟା ମନୋଭାବ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାସ୍ତା ଦୋହରିକରଣ ପୂର୍ବରୁ ସର୍ଭେ ସମୟରେ ବୈଶିଙ୍ଗା ବଜାର ଉପରେ ଏକ କି.ମି. ବ୍ୟାପୀ ନିର୍ମିତ ଅଭରବ୍ରିଜର ଦୁଇଟି ସ୍ଥାନରେ ଦୁଇଟି ଗୋଳା ପୋଲ ପାଇଁ ନିଷ୍ପତ୍ତି ନିଆଯାଇଥିଲା କାରଣ ଏହି ଅଭରବ୍ରିଜର ଦୁଇ ପାର୍ଶ୍ଵରେ ୩୦୦ ମି. ବ୍ୟବଧାନ ମଧ୍ୟରେ ଦୁଇଟି ଏମଡିଆର-୭୦ ରାସ୍ତା ସଂଯୋଗ କରୁଛି। ଗୋଟିଏ ରାସ୍ତା ରୂପସାରୁ ବୈଶିଙ୍ଗା ଏବଂ ଅନ୍ୟ ଏକ ରାସ୍ତା ମାଣତ୍ରୀ ରୁ ବୈଶିଙ୍ଗା ଏହି ୧୮ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଛି। ମାତ୍ର ନିର୍ମାଣ ସମୟରେ ଏହି ଦୁଇଟି ସଂଯୋଗ ସ୍ଥଳରେ ଦୁଇଟି ଗଳା ପୋଲ କରାନଯାଇ ଏହାର ମଧ୍ୟ ଭାଗରେ ଗୋଟିଏ ମାତ୍ର ଗଳା ପୋଲ ନିର୍ମାଣ କରାଗଲା। ଯଦ୍ଵାରା କି ଉଭୟ ପଟୁ ଏହି ଗଳା ପୋଲ ପର୍ଯ୍ୟନ୍ତ ୧୫୦ମି. ରାସ୍ତାରେ ଯାନବାହନ ମାନଙ୍କୁ ଭୁଲ ଟ୍ରାଫିକ ରେ ଯିବା ଯୋଗୁଁ ଅଧିକାଂଶ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ଅଧିକାଂଶ ସମୟରେ ଗଳା ପୋଲ ମଧ୍ୟରେ ଯାନବାହନ ଭିଡ଼ ହୋଇ ଯିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ସାଧାରଣ ଲୋକ, ବାଇକ ଏବଂ କାର ଗୁଡିକୁ ଦୀର୍ଘ ସମୟ ଧରି ଛିଡା ହେବା ପାଇଁ ପଡ଼ୁଛି। ବାରମ୍ଵାର କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାହାର ସୁଫଳ କିଛି ମିଳି ପାରିନାହିଁ। ଦ୍ୱିତୀୟ ଗଳା ପୋଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ତରଫରୁ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି। ବିଭାଗୀୟ କର୍ତ୍ତୁପକ୍ଷଙ୍କ ଅପରିଣାମଦର୍ଶିତା ଅବଲୋକନ ପାଇଁ ତ୍ରୁଟି ପୂର୍ଣ୍ଣ ନିର୍ମିତ ଗଳାପୋଲ ଯୋଗୁଁ ଭୁଲ ଟ୍ରାଫିକରେ ଯାତାୟତ ଭାରିଯାନ , ଯାତ୍ରୀବାହୀ ବସ ଗୁଡିକ ପାଇଁ ବୈଶିଙ୍ଗା ପୁଲିସକୁ ମଧ୍ୟ ନାକେଦମ ହେବା ପାଇଁ ପଡ଼ୁଛି। ଏହି ଭଳି ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୮ନଂ ଜାତୀୟ ରାଜପଥର ମାଣତ୍ରୀ-ବୈଶିଙ୍ଗା ସଂଯୋଗ ସ୍ଥଳରେ ଦ୍ୱିତୀୟ ଗଳା ପୋଲକୁ ଜରୁରୀ କାଳୀନ ଭିତ୍ତିରେ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।ଏହାର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ ।