Odisha news

ବିଦ୍ୟୁତ ଟାଓ୍ବାରରୁ ମୂଲ୍ୟବାନ ଗାଲଭାନାଇଜଡ଼ ଆଇରନ ଏଙ୍ଗେଲ ଚୋରି ଘଟଣାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

0

ବେତନଟୀ : ବେତନଟୀ ଥାନା ଅଧୀନ ଗରୁଡବସାସ୍ଥିତ ୧୩୨/୩୩କେଭି ଗ୍ରୀଡ ସବ-ଷ୍ଟେସନକୁ ଯୋଡ଼ୁଥିବା  ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଟାଓ୍ବାରରୁ ମୂଲ୍ୟବାନ ଗାଲଭାନାଇଜଡ଼ ଆଇରନ ଏଙ୍ଗେଲ ଚୋରି ଅଭିଯୋଗରେ ୫ଜଣଙ୍କୁ ଗିରଫକରି ବୁଧବାର କୋର୍ଟଚାଲାଣ କରିଛି ବେତନଟୀ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବେତନଟୀ ବ୍ଲକ ଅଧୀନ ଧନପୁର ଗ୍ରାମର ପରମେଶ୍ଵର(୨୩),ତପନ ମହାନ୍ତ (୩୪), ଅଲେଖ ମହାନ୍ତ(୨୭) ଏବଂ ତାରାକୋଟୀ ଗ୍ରାମର ଦୟାନିଧି ବେହେରା (୪୨) ସମେତ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଗ୍ରାମର ଶେଖ ମନସୁରର ପୁଅ ଶେଖ ଜେୟିରୁଦ୍ଦୀନ (୨୫) । ଏତଲାକାରୀ ୧୩୨/୩୩କେଭି ଗ୍ରୀଡ ସବ-ଷ୍ଟେସନର ଏସଡିଓ ଶରତଚନ୍ଦ୍ର ବେହେରାଙ୍କ ଅଭିଯୋଗମୁତାବକ ବେତନଟୀ ବଜାରକୁ ସଂଯୋଗ କରୁଥିବା ଲାଇନ ବିଳମ୍ବିତ ରାତିରେ ବାରମ୍ବାର ଟ୍ରିପ କରିବାପରେ ପେଟ୍ରୋଲିଂ ଟିମ୍ ତଦନ୍ତରେ ବାହାରିଥିଲା । ଏହାପରେ ତାରାକୋଟୀ ଏବଂ ପୁରୁଣାପାଣି ଏରିଆରେ ଟାୱାର ନଂ ୧,୩,୪,୬,୭,୮ରୁ ମୂଲ୍ୟବାନ ଗାଲଭାନାଇଜ୍ଜ ଆଇରନ ଏଙ୍ଗେଲ ଚୋରି ହୋଇଯାଇଥିବାର ଦେଖିଥିଲେ । ଏନେଇ ବେତନଟୀ ପୁଲିସ ଏସଡିଓ ଶ୍ରୀଯୁକ୍ତ ବେହେରାଙ୍କ ଏତଲାକୁ ଆଧାରକରି ୧୫୧/୨୩ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତକୁ ବ୍ୟାପକ କରିଥିଲା । ବେତନଟୀ ଥାନା ଅଧିକାରୀଣି ସସ୍ମିତା ମହାନ୍ତଙ୍କ ନେତୃତ୍ବରେ ବେତନଟୀ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ୧୨ଖଣ୍ଡ ଚୋରି ହୋଇଥିବା ଏଙ୍ଗେଲକୁ ଜବତକରି ଏସଡିଓଙ୍କ ଜିମା ଦିଆଯାଇଥିବା ବେଳେ ଏହି ଚୋରିରରେ ସମ୍ପୃକ୍ତ ଉପରୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫକରି ସ୍ୱାସ୍ଥ୍ୟ ପରୀକ୍ଷାପରେ ବେତନଟୀ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବାରିପଦାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ନିରଞ୍ଜନ ସେଠୀ ପ୍ରକାଶ କରିଛନ୍ତି।

Leave A Reply