ବେତନଟୀ (ସବ୍ୟୁ)– ଗତ ମାସ ୩୦ ତାରିଖ଼ ରବିବାର ଅପରାହ୍ନ ସମୟରେ ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୂପ୍ସା ରାସ୍ତାର ବାମଡା ଉପକଣ୍ଠ ହବିଗଞ୍ଜ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଦୁଇ ଜଣ ସ୍କୁଟି ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ଘଟଣାର ଚାରି ଦିନ ପରେ ଶନିବାର ସ୍ଥାନୀୟ ଜନସାଧାରଣ ଏବଂ ଟ୍ରକ ମାଲିକ ସଂଘ ମଧ୍ୟରେ ସମାଧାନ ହୋଇଥିବା ଜଣାଯାଇଛି। ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ଉକ୍ତ ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ସିମେଣ୍ଟ ଡମ୍ପଟି ଥିବାରୁ ଦୈନିକ ରୁପ୍ସା ଜଙ୍କସନରୁ ଶତାଧିକ ସିମେଣ୍ଟ ବୋଝେଇ ଟ୍ରକ ଏହି ସଂକୀର୍ଣ୍ଣ ରାସ୍ତା ଦେଇ ଯିବାଆସିବା କରିଥାଆନ୍ତି ଏବଂ ଅଧିକାଂଶ ସମୟରେ ନିଜ ନିଜ ଭିତରେ ଡ୍ରାଇଭର ମାନେ ପ୍ରତିଯୋଗିତା ପୂର୍ବକ ମଦ୍ୟ ପାନ କରି ବେପରୁଆ ଭାବେ ଦ୍ରୁତ ଗତିରେ ଟ୍ରକ ଚାଳନା କରିବା ଯୋଗୁଁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି। ଦୁର୍ଘଟଣାର ଦୁଇ ମାସ ପୂର୍ବରୁ ଏକ ସିମେଣ୍ଟ ଗାଡି ଧକ୍କାରେ ବାମୋଡା ଅଞ୍ଚଳର ଜଣେ ବ୍ୟକ୍ତିର ଜୀବନ ଚାଲିଯାଇଥିବା ବେଳେ ଗତ ମାସ ୩୦ ତାରିଖ ଗୁରୁବାର ଅପରାହ୍ନରେ ହୋଇଥିବା ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମଧ୍ୟରୁ ଜଣଙ୍କର ଗୋଟିଏ ଗୋଡ କଟାଯାଇ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ଅନ୍ୟ ଜଣେ ଏବେ ବି କୋମା ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ପରି ଦୁର୍ଘଟଣା ବାରମ୍ବାର ଘଟୁଥିଲେ ବି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଯୋଗୁଁ ଶତାଧିକ ଗ୍ରାମବାସୀ ଉତ୍ୟକ୍ତ ହୋଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିଥିଲେ। ଫଳସ୍ଵରୂପ ବୈଶିଙ୍ଗା ପୁଲିସ ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କ ସହଯୋଗରେ ଶନିବାର ପୂର୍ବାହ୍ନ ସମୟରେ ଥାନା ପରିସରର ଅଭ୍ୟର୍ଥନା ଗୃହରେ ବାମଡ଼ା ଅଞ୍ଚଳର ଜନସାଧାରଣ ଏବଂ ଟ୍ରକ ମାଲିକ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ସମାଧାନ ରୂପକ ଆଲୋଚନା ହୋଇଥିଲା। ସମାଧାନ ସ୍ୱରୂପ ପୂର୍ବ ଦାବି ଅନୁଯାୟୀ ଦୁର୍ଘଟଣାର ପିଡ଼ିତ ମାନଙ୍କୁ ଟ୍ରକ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ, ସିମେଣ୍ଟ ବୋଝେଇ ଟ୍ରକ ଗୁଡ଼ିକର ପାର୍କିଂ ର ବ୍ୟବସ୍ଥା ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଦ୍ରୁତଗତିରେ ଗାଡି ନ ଚଲାଇବା ଆଦି ଦିଗରେ ବିଶେଷ ଭାବେ ଆଲୋଚନା ହୋଇଥିଲା।
